‘ଆଜାଦୀ କା ଅମୃତ ମହୋତ୍ସବ’ ସମ୍ପର୍କିତ ଆଲୋଚନାଚକ୍ର: ‘ଅଜଣା ସଂଗ୍ରାମୀଙ୍କୁ ଖୋଜି ବାହାର କରିବାକୁ ପଡ଼ିବ’

ଭୁବନେଶ୍ୱର : ଆଜି ବି ଶହ ଶହ ଅଜଣା ବୀର ଲୁଚି ଯାଇଛନ୍ତି। ଏହି ସଂଗ୍ରାମୀମାନଙ୍କୁ ଆମକୁ ଖୋଜି ବାହାର କରିବାକୁ ପଡ଼ିବ। ଦେଶର ସମସ୍ତ ବିବିଧତା ସତ୍ତ୍ବେ ଏକତାକୁ ‘ଆଜାଦୀ କା ଅମୃତ ମହୋତ୍ସବ’ ସମୟରେ ଆମକୁ ଦେଖାଇବାକୁ ପଡ଼ିବ । ‘ ଆଜାଦୀ କା ଅମୃତ ମହୋତ୍ସବ’ ପାଳନ ଅବସରରେ ଆୟୋଜିତ ଆଲୋଚନାଚକ୍ରରେ ଯୋଗଦେଇ ବକ୍ତାମାନେ ଏହା କହିଛନ୍ତି।

ସୂଚନା ଓ ପ୍ରସାରଣ ମନ୍ତ୍ରାଳୟ ଅନ୍ତର୍ଗତ ଭୁବନେଶ୍ୱରସ୍ଥିତ ପତ୍ରସୂଚନା କାର୍ଯ୍ୟାଳୟ ଏବଂ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ମିଳିତ ଉଦ୍ୟମରେ ‘ଆଜାଦୀ କା ଅମୃତ ମହୋତ୍ସବ’ ଶୀର୍ଷର୍କ ଏକ ୱେବିନାର୍‌ ଆଜି ଅନୁଷ୍ଠିତ ହୋଇଯାଇଛି। ଏଥିରେ ଯୋଗଦେଇ ଉତ୍କଳ ବିଶ୍ୱବିଦ୍ୟାଳୟ ଇତିହାସ ବିଭାଗର ପୂର୍ବତନ ମୁଖ୍ୟ ଡକ୍ଟର ସୋମାରାଣୀ ଚାନ୍ଦ କହିଛନ୍ତି ଯେ ସ୍ୱାଧୀନତା ସଂଗ୍ରାମର ଇତିହାସରେ ନେତାମାନଙ୍କ ନାମ ପଛରେ ଅନ୍ୟ ସଂଗ୍ରାମୀମାନେ ଲୁଚି ଯାଇଛନ୍ତି। ଏବେ ଲୋକଙ୍କ ମୁହଁରେ ସେହି ସଂଗ୍ରାମୀମାନଙ୍କ ଅନେକ କାହାଣୀ ଜୀବନ୍ତ ଅଛି। ଏହି ବାଚନିକ ଇତିହାସକୁ ଗୁରୁତ୍ୱ ଦିଆଗଲେ ବହୁ ନାରୀ ସ୍ୱାଧୀନତା ସଂଗ୍ରାମୀ ଏବଂ ସ୍ଥାନୀୟ ଯୋଦ୍ଧାଙ୍କର ନାମ ଇତିହାସକୁ ଆସିବ ବୋଲି ଡକ୍ଟର ଚାନ୍ଦ କହିଛନ୍ତି।

ଆଲୋଚନାରେ ଅଂଶଗ୍ରହଣ କରି ଜୟପୁର ସରକାରୀ ମହିଳା ମହାବିଦ୍ୟାଳୟ ଇତିହାସ ବିଭାଗର ମୁଖ୍ୟ ଡକ୍ଟର କନକଲତା ମହାପାତ୍ର କହିଛନ୍ତି ଯେ ଅବିଭକ୍ତ କୋରାପୁଟ ଜିଲ୍ଲାରୁ ଲକ୍ଷ୍ମୀ ପଣ୍ଡା ଶାନ୍ତିଶବରଙ୍କ ଭଳି ଅନେକ ମହିଳା ସଂଗ୍ରାମୀ ରହିଥିଲେ। ହଜାର ହଜାର ପୁରୁଷଙ୍କ ସହିତ ସ୍ୱାଧୀନତା ସଂଗ୍ରାମରେ ଉଲ୍ଲେଖନୀୟ ଅବଦାନ ନିଭାଇଥିଲେ। ସେମାନଙ୍କ ତ୍ୟାଗକୁ ମନେ ନ ପକାଇଲେ ଇତିହାସ ଅପୂର୍ଣ୍ଣ ରହିଯିବ। ପତ୍ରସୂଚନା କାର୍ଯ୍ୟାଳୟ ଏବଂ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅତିରିକ୍ତ ମହାନିର୍ଦ୍ଦେଶକ ରାଜିନ୍ଦର ଚୌଧୁରୀ ଆଲୋଚନା ସମ୍ପର୍କରେ ସୂଚନା ଦେଇଥିଲେ। ସେ କହିଥିଲେ ଯେ ୧୮୫୭ମସିହା ପାଇକ ବିଦ୍ରୋହରେ ଅଳ୍ପ କେତେଜଣଙ୍କୁ ଛାଡ଼ିଦେଲେ ଶହ ଶହ ଅଜଣା ବୀର ଲୁଚି ଯାଇଛନ୍ତି। ଏହି ସଂଗ୍ରାମୀମାନଙ୍କୁ ଆମକୁ ଖୋଜି ବାହାର କରିବାକୁ ପଡ଼ିବ। ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ନିର୍ଦ୍ଦେଶକ ଅଖିଳ କୁମାର ମିଶ୍ର ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

ଶୁଭେନ୍ଦୁ ମହାନ୍ତିଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଆଂଚଳିକ ଜନସମ୍ପର୍କ କାର୍ଯ୍ୟାଳୟର ଅଧିକାରୀ ମହେନ୍ଦ୍ର ପ୍ରସାଦ ଜେନା, ମନମୋହନ ପାଢୀ ପ୍ରମୁଖ ବହୁ ଅଧିକାରୀ, ଛାତ୍ରଛାତ୍ରୀ ଏବଂ ସାଧାରଣ ଜନତା ଅଂଶଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର