ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା: ୭୦ ହଜାର ପ୍ରତିଯୋଗୀ ନିଜ ସ୍ୱପ୍ନର ଓଡ଼ିଶା କଥା ଲେଖିଲେ

ସାରା ରାଜ୍ୟରେ ଛାତ୍ରଛାତ୍ରୀ, ଅଭିଭାବକଙ୍କ ମଧ୍ୟରେ ପ୍ରବଳ ଉତ୍ସାହ

ଭୁବନେଶ୍ବର : ରାଜ୍ୟପାଳଙ୍କ ପରାମର୍ଶ ଓ ଦିଗ୍‌ଦର୍ଶନରେ ସାରାରାଜ୍ୟରେ ରବିବାର ଦିନ ଆଜାଦୀ କା ଅମୃତ ମହୋତ୍ସବ ପ୍ରବନ୍ଧ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ରାଜ୍ୟର ୬୫୦ରୁ ଅଧିକ କେନ୍ଦ୍ରରେ ୬୯,୭୮୬ ହଜାର ଛାତ୍ରଛାତ୍ରୀ ଯୋଗଦେଇ ‘ମୋ ସ୍ବପ୍ନର ଓଡ଼ିଶା’ ବା ‘Odisha of My Dreams’ ବିଷୟବସ୍ତୁ ଉପରେ ନିଜର ଭାବନା ବ୍ୟକ୍ତ କରିଛନ୍ତି। ଉଭୟ ଓଡ଼ିଆ ଓ ଇଂରାଜୀରେ ପ୍ରବନ୍ଧ ଲେଖିବାର ସୁଯୋଗ ଥିବାରୁ ରାଜ୍ୟର ସମସ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମିକ ସ୍କୁଲର ନବମ ଓ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା। ଏପରିକି ସାରା ରାଜ୍ୟରେ ଲଗାଣ ବର୍ଷା ଜାରି ରହିଥିଲେ ବି ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକଙ୍କୁ ପରୀକ୍ଷା କେନ୍ଦ୍ରକୁ ଆସିବାରେ ଏହା ବାଧକ ସାଜି ପାରିନଥିଲା।

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦିଗ୍‌ଦର୍ଶନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ‘ସମ୍ବାଦ’ ପକ୍ଷରୁ ପ୍ରଥମ କରି ଆୟୋଜନ ହୋଇଥିବା ଏହି ପ୍ରତିଯୋଗିତା ଆଜି ସାରା ରାଜ୍ୟରେ ଏକ ଭିନ୍ନ ପରିବେଶ ସୃଷ୍ଟି କରିଥିଲା। ସମସ୍ତ ପୌରାଞ୍ଚଳ ଓ ବ୍ଲକ ମୁଖ୍ୟାଳୟରେ ଥିବା ପ୍ରମୁଖ ସ୍କୁଲଗୁଡ଼ିକରେ ପରୀକ୍ଷା କେନ୍ଦ୍ର ହୋଇଥିବା ବେଳେ ଗ୍ରାମାଞ୍ଚଳରୁ ଆରମ୍ଭ କରି ସହରାଞ୍ଚଳ ପର୍ଯ୍ୟନ୍ତ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

କୋରାପୁଟ ଗସ୍ତରେ ଥିବା ରାଜ୍ୟପାଳ ପ୍ରଫେସର ଲାଲ୍‌ ସେଠାରେ ଦୁଇଟି ପରୀକ୍ଷା କେନ୍ଦ୍ର ବୁଲି ଦେଖିଥିଲେ। ତାଙ୍କ ଅଭିଳାଷକୁ ପୂରଣ କରିବାକୁ ଯାଇ ‘ସମ୍ବାଦ’ ପକ୍ଷରୁ ଆୟୋଜନ ହେଉଥିବା ଏହି ପ୍ରତିଯୋଗିତା କିପରି ହେଉଛି ତାହା ନିଜେ ପରଖିଥିଲେ। ରାଜ୍ୟପାଳ କୋରାପୁଟ ଜୁଲ୍ଲା କୁନ୍ଦୁରା ସରକାରୀ ଶ୍ରୀଅରବିନ୍ଦ ଶିକ୍ଷାନିକେତନ ଉଚ୍ଚବିଦ୍ୟାଳୟ ପରୀକ୍ଷା କେନ୍ଦ୍ର ଏବଂ ଜୟପୁରର ଅରବିନ୍ଦନଗର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପରୀକ୍ଷା କେନ୍ଦ୍ର ପରିଦର୍ଶନ କରିବା ସହ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ କରିଥିଲେ।

ସୂଚନାଯୋଗ୍ୟ ଯେ ଜନ୍ମମାଟି ସମ୍ପର୍କରେ ପିଲାଙ୍କ ମନକଥା ଜାଣିବାକୁ ରାଜ୍ୟପାଳ ଆଗ୍ରହ ପ୍ରକାଶ କରିଥିବାରୁ ‘ସମ୍ବାଦ’ ପକ୍ଷରୁ ଆଜି ରାଜ୍ୟବ୍ୟାପୀ ପୂର୍ବାହ୍ନ ୧୧ଟା ୩୦ରୁ ମଧ୍ୟାହ୍ନ ୧୨ଟା ୧୫ ପର୍ଯ୍ୟନ୍ତ ଏହି ପ୍ରବନ୍ଧ ପ୍ରତିଯୋଗିତା ହୋଇଥିଲା। ପରୀକ୍ଷା କେନ୍ଦ୍ରରେ ବିଚାରକମାନଙ୍କ ଦ୍ବାରା ଉତ୍ତର ଖାତା ମୂଲ୍ୟାୟନ କରି କୃତୀ ପ୍ରତିଯୋଗୀଙ୍କୁ ପ୍ରମା‌ଣପତ୍ର ପ୍ରଦାନ କରାଯାଇଛି। ସେମାନଙ୍କ ଉତ୍ତର ଖାତା ଜିଲ୍ଲାସ୍ତରରେ ପୁନଃମୂଲ୍ୟାୟନ କରାଯାଇ ପୁରସ୍କୃତ କରିବାର କାର୍ଯ୍ୟକ୍ରମ ରହିଛି।

ରବିବାର ଦିନ ରାଜ୍ୟର ୩୦ ଜିଲ୍ଲାକୁ ୯ଟି ଜୋନ୍‌ରେ ବିଭାଜିତ କରି ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ସମ୍ବଲପୁର ଜୋନ୍‌ରେ ସର୍ବାଧିକ ୧୬,୫୩୫ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ କଟକ ଜୋନ୍‌ରେ ୯୩୭୧ଜଣ, ଭୁବନେଶ୍ବର ଜୋନ୍‌ରେ ୮୪୬୭ଜଣ, ବାଲେଶ୍ବର ଜୋନ୍‌ରେ ୭୭୨୯ଜଣ, ରାଉରକେଲା ଜୋନ୍‌ରେ ୭୩୭୫ଜଣ, ବ୍ରହ୍ମପୁର ଜୋନ୍‌ରେ ୫୮୭୩ଜଣ, ଜୟପୁର ଜୋନ୍‌ରେ ୫୫୯୪ଜଣ, ଯାଜପୁର ଜୋନ୍‌ରେ ୪୯୯୬ଜଣ ଓ ଅନୁଗୁଳ ଜୋନ୍‌ରେ ୩,୮୪୬ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର