ଭୁବନେଶ୍ବର ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶାର ରାଜ୍ୟପାଳଙ୍କ ପ୍ରବନ୍ଧ ପ୍ରତିଯୋଗିତା ଆଜି (୧୧ ତାରିଖ, ରବିବାର) ପୂର୍ବାହ୍ନ ୧୧ଟା ୩୦ରେ ରାଜ୍ୟବ୍ୟାପୀ ଆୟୋଜିତ ହେଉଛି। ମାନ୍ୟବର ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ଜନ୍ମମାଟି ସଂପର୍କରେ ପିଲାମାନଙ୍କର ମନକଥା ଜାଣିବା ଲାଗି ଆଗ୍ରହ ପ୍ରକାଶ କରିଥିବା ପରିପ୍ରେକ୍ଷୀରେ ରାଜ୍ୟର ହାଇସ୍କୁଲ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ସମ୍ବାଦ ପକ୍ଷରୁ ଆୟୋଜିତ ହେଉଛି ଏହି ପ୍ରବନ୍ଧ ପ୍ରତିଯୋଗିତା। ପ୍ରତିଯୋଗିତାରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମରୁ କେବଳ ନବମ ଓ ଦଶମ ଶ୍ରେଣୀର ପିଲା ଭାଗ ନେଉଛନ୍ତି। ସାରା ଓଡ଼ିଶାରେ ପ୍ରତ୍ୟେକ ବ୍ଲକ ଏବଂ ପୌରାଞ୍ଚଳରେ ୬୦୦ରୁ ଅଧିକ କେନ୍ଦ୍ରରେ ଏହି ପ୍ରତିଯୋଗିତା ହେଉଛି। ଏକାଧିକ ଥର ‘ସମ୍ବାଦ’ ପୃଷ୍ଠାରେ ପରୀକ୍ଷା କେନ୍ଦ୍ରଗୁଡ଼ିକ ବିଷୟରେ ସୂଚନା ପ୍ରକାଶିତ ହୋଇଛି। ପୂର୍ବରୁ ପଂଜୀକରଣ କରିନଥିବା ଛାତ୍ରଛାତ୍ରୀମାନେ ମଧ୍ୟ ସିଧାସଳଖ ପ୍ରତିଯୋଗିତାରେ ଭାଗ ନେଇପାରିବେ। ଛାତ୍ରଛାତ୍ରୀମାନେ ନିଜ ପରିଚୟ ପତ୍ର ସହ କେନ୍ଦ୍ରରେ ନିର୍ଦ୍ଧାରିତ ସମୟ ପୂର୍ବରୁ ପହଞ୍ଚିବାକୁ ହେବ।
ପ୍ରବନ୍ଧର ବିଷୟବସ୍ତୁ ‘ମୋ ସ୍ବପ୍ନର ଓଡ଼ିଶା’ (Odisha of My Dreams)
ରାଜ୍ୟପାଳଙ୍କ ପରାମର୍ଶ କ୍ରମେ ଏହି ପ୍ରବନ୍ଧ ପ୍ରତିଯୋଗିତାର ବିଷୟବସ୍ତୁ ରଖାଯାଇଛି ‘ମୋ ସ୍ବପ୍ନର ଓଡ଼ିଶା’ ଏବଂ ଇଂରାଜୀରେ ଏହାର ଶୀର୍ଷକ ହେଉଛି ‘Odisha of My Dreams’। ଓଡ଼ିଆ କିମ୍ବା ଇଂରାଜୀ ମଧ୍ୟରୁ ଯେକୌଣସି ଗୋଟିଏ ଭାଷାରେ ପ୍ରବନ୍ଧ ଲେଖିବା ଲାଗି ସୁଯୋଗ ରହିଛି। ପରୀକ୍ଷା ପାଇଁ ଯୋଗାଇ ଦିଆଯାଇଥିବା ଖାତା ଭିତରେ ହିଁ ପ୍ରବନ୍ଧ ସୀମିତ ରହିବ। ରାଜ୍ୟସ୍ତରରେ ପ୍ରଥମ ତିନି ଜଣ କୃତୀ ପ୍ରତିଯୋଗୀଙ୍କୁ ଏକ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦନ କରାଯିବ। ରାଜ୍ୟସ୍ତରୀୟ କୃତୀ ପ୍ରତିଯୋଗୀମାନଙ୍କୁ ମାନ୍ୟବର ରାଜ୍ୟପାଳଙ୍କ ହାତରୁ ପୁରସ୍କାର ରାଶି ଏବଂ ପ୍ରମାଣପତ୍ର ଗ୍ରହଣ କରିବା ଲାଗି ସୁଯୋଗ ମିଳିବ।
ମହାମହିମ ରାଜ୍ୟପାଳଙ୍କ ଦିଗଦର୍ଶନ ଓ ରାଜ୍ୟ ସରକାରଙ୍କ ସହଯୋଗରେ ହେଉଥିବା ଏଭଳି ପ୍ରତିଯୋଗିତା ହେଉଛି ରାଜ୍ୟରେ ପ୍ରଥମ। ଏହି ପ୍ରତିଯୋଗିତାରେ ଯେଭଳି ଅଧିକରୁ ଅଧିକ ନବମ ଓ ଦଶମ ଶ୍ରେଣୀ ଛାତ୍ର ଭାଗ ନେଇପାରିବେ ସେଥିପାଇଁ ଗତକାଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶକଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦିଆଯାଇଛି। ପ୍ରତିଯୋଗିତାରେ ଅଧିକ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେବାଲାଗି ସମ୍ବାଦ ପରିବାରର ମୁଖ୍ୟ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ନିବେଦନ କରିଛନ୍ତି।
/sambad/media/post_attachments/wp-content/uploads/2018/04/drawing.jpg)
ଆଜି ମଧ୍ୟ ‘ସମ୍ବାଦ-ଆମ ଓଡ଼ିଶା’ ବାର୍ଷିକ ପ୍ରତିଯୋଗିତା
ଭୁବନେଶ୍ବର : ‘ସମ୍ବାଦ’ର ସ୍ବନକ୍ଷତ୍ର ଦିବସ ଅବସରରେ ପ୍ରତିବର୍ଷ ପରି ଆଜି (୧୧ ସେପ୍ଟେମ୍ବର, ରବିବାର) ‘ସମ୍ବାଦ-ଆମ ଓଡ଼ିଶା’ ପକ୍ଷରୁ ପ୍ରତିଯୋଗିତା ଅନୁଷ୍ଠିତ ହେବାକୁ ଯାଉଛି। ଏଥିରେ ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀ ଚିତ୍ରାଙ୍କନ; ଷଷ୍ଠ, ସପ୍ତମ ଓ ଅଷ୍ଟମ ଶ୍ରେଣୀ ଛାତ୍ରଛାତ୍ରୀ ହସ୍ତାକ୍ଷର ଏବଂ ନବମରୁ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ଓଡ଼ିଆରେ ଭାଷାଜ୍ଞାନ-ପ୍ରବନ୍ଧ ପରୀକ୍ଷା ହେବ। ଏଥିରେ ଉଭୟ ଓଡ଼ିଆ ଓ ଇଂରାଜୀ ମାଧ୍ୟମ ସ୍କୁଲର ଛାତ୍ରଛାତ୍ରୀ ଭାଗ ନେଇପାରିବେ। ସକାଳ ୧୦ଟାରୁ ପରୀକ୍ଷା ଆରମ୍ଭ ହେବ। ପ୍ରତିଯୋଗିତା ଶେଷ ହେବା ପରେ ବିଚାରକମାନଙ୍କ ଦ୍ବାରା ଖାତା ମୂଲ୍ୟାୟନ କରାଯାଇ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯିବ। ପ୍ରତି କେନ୍ଦ୍ରସ୍ତରରେ ଯେଉଁମାନେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନରେ ରହିବେ ସେମାନଙ୍କ ଖାତା ରାଜ୍ୟସ୍ତରରେ ପୁନଃ ମୂଲ୍ୟାୟନ କରି ପ୍ରତି ବିଭାଗରେ ତିନିଜଣ ଲେଖାଏଁ ରାଜ୍ୟସ୍ତରୀୟ ବିଜେତା ବଛାଯିବ। ସେମାନଙ୍କୁ ‘ସମ୍ବାଦ’ର ବାର୍ଷିକ ଉତ୍ସବରେ ନଗଦ ଅର୍ଥରାଶି ସହ ମାନପତ୍ରରେ ସମ୍ବର୍ଦ୍ଧିତ କରାଯିବ।
ପୂର୍ବ ଦୁଇବର୍ଷ କରୋନା ପାଇଁ ପ୍ରତିଯୋଗିତାଗୁଡ଼ିକୁ ଅନ୍ଲାଇନ୍ରେ ସୀମିତ ରଖାଯାଇଥିଲା। ଦୁଇବର୍ଷ ଅନ୍ତରରେ ଏହା ପୁଣିଥରେ ଅଫ୍ଲାଇନ୍ରେ ହେଉଥିବାରୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ପ୍ରବଳ ଉତ୍ସାହ ପରିଲକ୍ଷିତ ହୋଇଛି। ପ୍ରତିଯୋଗିତା ଆୟୋଜିତ ହେଉଥିବା କେନ୍ଦ୍ରଗୁଡ଼ିକ ବିଷୟରେ ସୂଚନା ‘ସମ୍ବାଦ’ ପୃଷ୍ଠାରେ ଏକାଧିକ ଥର ପ୍ରକାଶିତ ହୋଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/exam-ff.jpg)