ଭୁବନେଶ୍ବର : ପୂର୍ବତଟ ରେଳପଥ ଦ୍ୱାରା ଜୁଲାଇ ୧୮ରୁ ଆରମ୍ଭ ହୋଇଥିବା ‘ଆଜାଦୀ କି ରେଳଗାଡି ଓ ଷ୍ଟେସନ’ ସ୍ମରଣୀୟ ସପ୍ତାହ ଉତ୍ସବ ଶନିବାର ଉଦ୍‌ଯାପିତ ହୋଇଛି। ଭାରତୀୟ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ତଥା ଆଜାଦୀ କା ଅମୃତ ମହୋତ୍ସବର ଏକ ଅଂଶ ଭାବେ ସ୍ମରଣୀୟ ଆଜାଦୀ କି ରେଳ ଗାଡି ଏବଂ ଷ୍ଟେସନ ସପ୍ତାହ ପାଳନ କରାଯାଇଛି।

Advertisment

ଏହି ଉତ୍ସବ ପାଳନ ପାଇଁ ଭାରତୀୟ ରେଳ ବିଭାଗ ସମଗ୍ର ଭାରତ ବର୍ଷରେ ୭୫ଟି ରେଳ ଷ୍ଟେସନକୁ ମନୋନୀତ କରିଥିଲା। ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ଖୋର୍ଦ୍ଧାରୋଡ୍, କଟକ, ସାକ୍ଷୀଗୋପାଳ, ସମ୍ବଲପୁର ଓ ବିଶାଖାପାଟଣା ଷ୍ଟେସନକୁ ମନୋନୀତ କରାଯାଇଥିଲା।
ସପ୍ତାହବ୍ୟାପୀ ଉତ୍ସବ ପାଳନ ସମୟରେ ପଥପ୍ରାନ୍ତ ନାଟକ, ଦେଶାତ୍ମବୋଧକ ଗୀତ, ଦେଶଭକ୍ତି ନୃତ୍ୟ, ତତ୍‌କ୍ଷଣାତ୍ କୁଇଜ୍, ସେଲ୍‌ଫି ପଏଣ୍ଟ, ମନୋନୀତ ରେଳ ଷ୍ଟେସନଗୁଡିକର ଆଲୋକୀକରଣ, ସ୍ୱାଧୀନତା ସଂଗ୍ରାମୀମାନଙ୍କର ସଂକ୍ଷିପ୍ତ ଇତିହାସର ଅଡିଓ/ଭିଡିଓ ପ୍ରଦର୍ଶନ, ସ୍ୱାଧୀନତା ସଂଗ୍ରାମୀଙ୍କ ୩ଡି କଟ୍‌ଆଉଟ୍, ଆଲୋକ ଏବଂ ଧ୍ୱନି କାର୍ଯ୍ୟକ୍ରମ ଇତ୍ୟାଦିକୁ ଆୟୋଜନ କରାଯାଇଥିଲା। ଆମର ସ୍ୱାଧୀନତା ସଂଗ୍ରାମୀମାନଙ୍କ ଦ୍ୱାରା ଦିଆଯାଇଥିବା ମହାନ ବଳିଦାନ ବିଷୟରେ ସାଧାରଣ ଜନତାଙ୍କୁ ଅବଗତ କରାଇବା ପାଇଁ ଉପରୋକ୍ତ ସମସ୍ତ ତିନୋଟି ରେଳ ଷ୍ଟେସନରେ କାର୍ଯ୍ୟକ୍ରମମାନ ଆୟୋଜିତ ହୋଇଥିଲା।

ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନରେ ସମାପନ ସମାରୋହ ଆୟୋଜିତ ହୋଇଥିଲା, ଯେଉଁଠାରେ ପୂର୍ବତଟ ରେଳପଥର ମୁଖ୍ୟ ଇଲେକ୍ଟ୍ରିକାଲ୍ ଇଞ୍ଜିନିୟର ବାସୁଦେବ ପଣ୍ଡା ଏବଂ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳର ମଣ୍ଡଳ ରେଳବାଇ ପ୍ରବନ୍ଧକ ରିଙ୍କେଶ ରାୟ ଚାରିଜଣ ସ୍ୱାଧୀନତା ସଂଗ୍ରାମୀ ବା ତାଙ୍କ ପରିବାର ସଦସ୍ୟ ଏବଂ ନଅ ଜଣ ପାଇକ ବିଦ୍ରୋହ ଶହୀଦଙ୍କ ବଂଶଧରଙ୍କୁ ସମ୍ମାନିତ କରାଯାଇଥିଲା।

ଏହି ଅବସରରେ ଶ୍ରୀ ବସୁଦେବ ପଣ୍ଡା କହିଛନ୍ତି ଯେ ପୂର୍ବତଟ ରେଳପଥର ସମସ୍ତ ବିଭାଗ ସପ୍ତାହବ୍ୟାପୀ ଉତ୍ସବରେ ସକ୍ରିୟ ଅଂଶଗ୍ରହଣ କରିଥିଲେ। ସ୍ୱାଧୀନତା ସଂଗ୍ରାମୀ ଏବଂ ସେମାନଙ୍କ ପରିବାର ସଦସ୍ୟଙ୍କ ମହାନ ବଳିଦାନକୁ ସମ୍ମାନ ଦେବା ଏବଂ ଦେଶର ଏକତା ତଥା ଜାତୀୟତାକୁ ଆହୁରି ଆଗକୁ ବଢାଇବା ପାଇଁ ଜନସାଧାରଣଙ୍କୁ ସଚେତନ କରିବା ଏହି ଆୟୋଜନର ମୂଳ ଉଦ୍ଦେଶ୍ୟ। ଦୁଇ ଶହ ବର୍ଷର ପୁରୁଣା ପାଇକ ବିଦ୍ରୋହ ପାଇଁ ଖୋର୍ଦ୍ଧାରୋଡ୍ ରେଳ ଷ୍ଟେସନର ଏକ ସ୍ୱତନ୍ତ୍ର ପରିଚୟ ରହିଛି, ଯାହା ଓଡିଶାର ଗର୍ବ।

କଟକ ରେଳ ଷ୍ଟେସନରେ ଏହି ଉତ୍ସବରେ ଯୋଗଦେଇ ଖୋର୍ଦ୍ଧାରୋଡ୍ ରେଳମଣ୍ଡଳର ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ କଲ୍ୟାଣ ପଟ୍ଟନାୟକ ତିନିଜଣ ସ୍ୱାଧୀନତା ସଂଗ୍ରାମୀ ଓ ଜଣେ ସ୍ୱାଧୀନତା ସଂଗ୍ରାମୀଙ୍କ ପତ୍ନୀଙ୍କୁ ସମ୍ମାନିତ କରିଥିଲେ। ସେହିଭଳି ଅତିରିକ୍ତ ମଣ୍ଡଳ ରେଳବାଇ ପ୍ରବନ୍ଧକ ଅଶୋକ କୁମାର ଦୁଇଜଣ ସ୍ୱାଧୀନତା ସଂଗ୍ରାମୀଙ୍କ ପରିବାର ସଦସ୍ୟଙ୍କୁ ସାକ୍ଷୀଗୋପାଳଠାରେ ଆୟୋଜିତ କାର୍ଯ୍ୟକ୍ରମରେ ସମ୍ମାନିତ କରିଥିଲେ। ଏହା ବ୍ୟତୀତ ୱାଲ୍‌ଟିୟର୍‌ ଏବଂ ସମ୍ବଲପୁର ରେଳ ମଣ୍ଡଳରେ ଆୟୋଜିତ କାର୍ଯ୍ୟକ୍ରମରେ ମଣ୍ଡଳ ରେଳ ପ୍ରବନ୍ଧକମାନେ ସ୍ୱାଧୀନତା ସଂଗ୍ରାମୀ ଓ ସେମାନଙ୍କ ପରିବାର ସଦସ୍ୟଙ୍କୁ ମଧ୍ୟ ସମ୍ମାନିତ କରିଥିଲେ।