ଭୁବନେଶ୍ବର : ୨୮ ଶିକ୍ଷାନୁଷ୍ଠାନରେ ୨୬୫୦ ସିଟ୍‌। ନାମଲେଖା ଲାଗି ୧ ଲକ୍ଷ ୩ ହଜାର ୬୮୪ ଆବେଦନକାରୀ। ଅର୍ଥାତ୍‌ ଗୋଟିଏ ସିଟ୍‌ ପାଇଁ ପ୍ରାୟ ୪୦ ଜଣ ଆଶାୟୀ। ଉଚ୍ଚଶିକ୍ଷା ବିଭାଗ ଅଧୀନ ଶିକ୍ଷକ ତାଲିମ ପ୍ରତିଷ୍ଠାନରେ ବିଏଡ୍‌ ଓ ବିଏଚ୍‌ଏଡ୍‌ ପାଠ୍ୟକ୍ରମ ପାଇଁ ଏମିତି ସ୍ଥିତି ଦେଖିବାକୁ ମିଳିଛି।

Advertisment

ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଯେ ନ୍ୟାସନାଲ କାଉନସିଲ୍‌ ଫର୍‌ ଟିଚର ଏଜୁକେସନ(ଏନ୍‌ସିଟିଇ) ପକ୍ଷରୁ କେଉଁ ଶିକ୍ଷାନୁଷ୍ଠାନର କେତେ ସିଟ୍‌ରେ ନାମଲେଖା ହେବ ସେନେଇ ଅନୁମତି ମିଳିନାହିଁ। ମାତ୍ର ୨୦୨୨-୨୩ ଶିକ୍ଷାବର୍ଷରେ ୨୬୫୦ ସିଟ୍‌ରେ ନାମଲେଖା ହେବା ନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ କୁହାଯିବା ସହ ପ୍ରବେଶିକା ପରୀକ୍ଷା ଶେଷ ହୋଇଥିବାରୁ ସିଟ୍‌ ପାଇବାକୁ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଆଗ୍ରହ ବଢ଼ିଯାଇଛି। ସେପଟେ ୨୧ ଦିନ ହେଲା ଉକ୍ତ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଶେଷ ହୋଇଥିଲେ ମଧ୍ୟ ଫଳ ପ୍ରକାଶ କରାଯାଇ ନାହିଁ। ଯେଉଁଥିପାଇଁ ଗତ ଦୁଇ ବର୍ଷ ପରି ଏଥର ମଧ୍ୟ ଆନ୍ଧ୍ରପ୍ରଦେଶ ଓ ହରିଆନାର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଏଡ୍‌ କରିବାକୁ ଛାତ୍ରଛାତ୍ରୀ ମନ ବଳାଇଲେଣି।

ଗୋଟିଏ ପଟେ ଶିକ୍ଷାନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ ଶିକ୍ଷକ ଅଭାବ। ଅନ୍ୟପଟେ ଏନ୍‌ସିଟିଇର କଟକଣା ଯୋଗୁଁ ରାଜ୍ୟର ହଜାର ହଜାର ମେଧାବୀ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଅନ୍ଧକାର ମଧ୍ୟକୁ ଠେଲି ହୋଇଯାଇଛି। ଲଗାତାର ଦୁଇ ବର୍ଷ ହେଲା ବିଏଡ୍‌ ପାଠ୍ୟକ୍ରମରେ ଶିକ୍ଷାଗ୍ରହଣ ପ୍ରଭାବିତ ହେଉଛି। ୨୦୨୦-୨୧ ଶିକ୍ଷାବର୍ଷରେ ଭିତ୍ତିଭୂମି ଅଭାବ ଦର୍ଶାଇ ଏନ୍‌ସିଟିଇ ଓଡ଼ିଶାର କୌଣସି ବି ଶିକ୍ଷାନୁଷ୍ଠାନକୁ ବିଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ଅନୁମତି ଦେଇ ନ ଥିଲା। ପରିମାଣ ସ୍ବରୂପ ଲକ୍ଷାଧିକ ଛାତ୍ରଛାତ୍ରୀ ଏହି ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିବାରୁ ବଞ୍ଚିତ ହୋଇଥିଲେ। ଏହାପରେ ରାଜ୍ୟ ସରକାରଙ୍କ ହସ୍ତକ୍ଷେପ ପରେ ବିଏଡ୍‌ ଶିକ୍ଷାନୁଷ୍ଠାନଗୁଡ଼ିକ ଗଣଶିକ୍ଷା ବିଭାଗ ଅଧୀନରୁ ଉଚ୍ଚଶିକ୍ଷା ବିଭାଗକୁ ଆସିଥିଲା। ଲାଗୁଥିଲା ଭିତ୍ତିଭୂମିରେ ସୁଧାର ହେବ। ମାତ୍ର ସେଭଳି ଆଖିଦୃଶିଆ ପରିବର୍ତ୍ତନ ହୋଇ ନ ଥିଲା। ବରଂ ବିଭାଗ ପକ୍ଷରୁ ଶେଷ ମୂହୁର୍ତ୍ତରେ ଅଳ୍ପ ସଂଖ୍ୟାକ ଶିକ୍ଷକ ଓ ଅଣଶିକ୍ଷକ ନିଯୁକ୍ତ କରାଯିବାରୁ ଏନ୍‌ସିଟିଇ ପକ୍ଷରୁ ସର୍ତ୍ତ ରଖାଯିବା ସହ ବହୁତ କମ୍‌ ସଂଖ୍ୟକ ସିଟ୍‌ରେ ନାମଲେଖା ଲାଗି ଅନୁମତି ଦିଆଯାଇଥିଲା। ଏମିତିକି ଯେଉଁ ଶିକ୍ଷାନୁଷ୍ଠାନର ୧୫୦ ସିଟ୍‌ ରହିଛି ସେଠାରେ ମାତ୍ର ୫୦ଟିରେ ନାମଲେଖା ଲାଗି ଅନୁମତି ମିଳିଥିଲା। ପରିଣାମ ସ୍ବରୂପ ହଜାର ହଜାର ଛାତ୍ରଛାତ୍ରୀ ଆନ୍ଧ୍ରପ୍ରଦେଶର ବିଭିନ୍ନ ଶିକ୍ଷାନୁଷ୍ଠାନରେ ବିଏଡ୍‌ କରିବାକୁ ବାଧ୍ୟ ହୋଇଥିଲେ।

ଏଥର ମଧ୍ୟ ସମାନ ସ୍ଥିତି ଉପୁଜିଲାଣି। ବିଏଡ୍‌ ଓ ବିଏଚ୍‌ଏଡ୍‌ ପାଠ୍ୟକ୍ରମରେ ନାମଲେଖା ଲାଗି ପ୍ରବେଶିକା ପରୀକ୍ଷା ଶେଷ ହୋଇଛି। ମାତ୍ର କେଉଁ ଶିକ୍ଷାନୁଷ୍ଠାନର କେତେ ସିଟ୍‌ରେ ନାମଲେଖା ହେବ ସେନେଇ ଏପର୍ଯ୍ୟନ୍ତ ସ୍ଥିର ହୋଇ ନାହିଁ। ଏନ୍‌ସିଟିଇ ପକ୍ଷରୁ ଶିକ୍ଷାନୁଷ୍ଠାନକୁ ଅନୁମତି ମିଳି ନ ଥିବାରୁ ସମସ୍ତେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। କାହା ପାଖରେ ସିଟ୍‌ ସମ୍ପର୍କିତ କୌଣସି ବି ଉତ୍ତର ନାହିଁ। ପୂର୍ବତନ ଉଚ୍ଚଶିକ୍ଷା ସଚିବ ଶାଶ୍ବତ ମିଶ୍ର ଗତ ତିନି ମାସ ମଧ୍ୟରେ ଏକାଧିକ ଥର ଏନ୍‌ସିଟିଇକୁ ଚିଠି ଲେଖି ପୂର୍ଣ୍ଣାଙ୍ଗ ସିଟ୍‌ରେ ନାମଲେଖା ଲାଗି ଅନୁମତି ଦେବାକୁ ଅନୁରୋଧ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ଏନ୍‌ସିଟିଇ କୌଣସି ବି ପଦକ୍ଷେପ ନେଇ ନାହିଁ। ଗତ ମାସରେ ଏନ୍‌ସିଟିଇ ପକ୍ଷରୁ ସିଟ୍‌ ସମ୍ପର୍କିତ ଶୁଣାଣି କରିବାକୁ ସମୟ ଧାର୍ଯ୍ୟ ହୋଇଥିଲେ ମଧ୍ୟ ଶେଷ ମୁହୂର୍ତ୍ତରେ ବାତିଲ୍‌ କରାଯାଇଥିଲା। ଏହା ପୁଣି କେବେ ହେବ ସେନେଇ କା‌ହା ପାଖରେ ଖବର ନାହିଁ।
ବିଏଡ୍‌ ପ୍ରବେଶିକା ପରୀକ୍ଷା ଫଳ କେବେ ବାହାରିବ ସେନେଇ କେହି ବି ସ୍ପଷ୍ଟ କରିପାରୁ ନାହାନ୍ତି। ତେଣୁ ଏବେଠାରୁ ଓଡ଼ିଆ ଛାତ୍ରଛାତ୍ରୀ ବିଏଡ୍‌ ଶିକ୍ଷାଗ୍ରହଣ ଲାଗି ଆନ୍ଧ୍ରପ୍ରଦେଶ ମୁହାଁ ହେଲେଣି।

ଉଚ୍ଚଶିକ୍ଷା ବିଭାଗର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରବେଶିକା ପରୀକ୍ଷା ଫଳ ଚଳିତ ମାସ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି। ଏନ୍‌ସିଟିଇ ସହଯୋଗ କରୁ ନ ଥିବାରୁ ଏଦିଗରେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଇପାରୁ ନାହିଁ। ବାରମ୍ବାର ଚିଠି ଲେଖାଯିବା ସତ୍ତ୍ବେ କାହିଁକି ସିଟ୍‌ ସମ୍ପର୍କିତ ତଥ୍ୟ ଦେଉ ନାହାନ୍ତି ତାହା ଜଣାପଡ଼ୁନି। ସେମାନେ ସିଟ୍‌ ତଥ୍ୟ ଦେବା କ୍ଷଣି ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ।

ଓଷ୍ଟା ସାଧାରଣ ସମ୍ପାଦକ ପ୍ରକାଶ ଚନ୍ଦ୍ର ମହାନ୍ତିଙ୍କ କହିବା କଥା ହେଉଛି ରାଜ୍ୟରେ ବହୁ ବିଏଡ୍‌ ଶିକ୍ଷକଙ୍କ ଆବଶ୍ୟକତା ରହିଛି। ତେବେ ସେହି ଅନୁଯାୟୀ ବିଏଡ୍‌ ଶିକ୍ଷାନୁଷ୍ଠାନ କିମ୍ବା ସିଟ୍‌ ନାହିଁ। ରାଜ୍ୟ ସରକାରଙ୍କୁ ଏଥିପ୍ରତି ଦୃଷ୍ଟି ଦେବାର ଆବଶ୍ୟକତା ରହିଛି। ଏନ୍‌ସିଟିଇ ଅନୁମତି କିଭଳି ମିଳିପାରିବ ସେଦିଗରେ ପଦକ୍ଷେପ ନିଆଯାଉ। ନ ହେଲେ ପ୍ରତିବର୍ଷ ୧୦ରୁ ୧୫ ହଜାର ଓଡ଼ିଆ ପିଲା ସେଭଳି ବାହାର ରାଜ୍ୟରେ ଶୋଷିତ ହେଉଥିବେ। କୋର୍ସ ଫି’ ବାବଦରେ ରାଜ୍ୟ ବାହାରର ଶିକ୍ଷାନୁଷ୍ଠାନ ଜଣେ ପିଲା ପିଛା ୭୦ରୁ ୮୦ ହଜାର ଟଙ୍କା ନେଉଛନ୍ତି। ଏହାଦ୍ବାରା ବାହାର ରାଜ୍ୟର ଶିକ୍ଷାନୁଷ୍ଠାନ ସହ ଦଲାଲ୍‌ମାନେ ମଧ୍ୟ ମାଲାମାଲ୍‌ ହେଉଛନ୍ତି।