ଭୁବନେଶ୍ବର : ସରକାରୀ କଲେଜରେ ବିଏଡ୍ ନାମଲେଖା ନେଇ ଜାରି ରହିଥିବା ଅନିଶ୍ଚିତତା କିଛି ମାତ୍ରାରେ ଦୂର ହୋଇଛି। ଶିକ୍ଷାବର୍ଷ ଗଡ଼ିଯାଉଥିବା ବେଳେ ନାମଲେଖା ବିଳମ୍ବ ହେଉଥିବା ନେଇ ‘ସମ୍ବାଦ’ରେ ଲଗାତାର ଖବର ପ୍ରକାଶ ପରେ ଆଜି ଉଚ୍ଚଶିକ୍ଷା ବିଭାଗ ସ୍ଥଗିତ ରହିଥିବା ନାମଲେଖା ପ୍ରକ୍ରିୟାକୁ ପୁଣିଥରେ ଆରମ୍ଭ କରିଛନ୍ତି।
ଦିବ୍ୟାଙ୍ଗଙ୍କ ଲାଗି ୪୮ଟି ସିଟ୍ ସଂରକ୍ଷିତ
୧୯ କଲେଜର ୯୫୦ ସିଟ୍ରେ ହେବ ନାମଲେଖା
ପଦକ୍ଷେପ ନେବାକୁ ଓକାକ୍କୁ ଚିଠି ଲେଖିଲା ଉଚ୍ଚଶିକ୍ଷା ବିଭାଗ
ପୂର୍ବରୁ ପ୍ରକାଶ ପାଇଥିବା ମେଧା ତାଲିକାକୁ ବାତିଲ୍ କରାଯାଇଛି ଓ ନୂତନ ତାଲିକା ଜାରି ହୋଇଛି। ଏଥିରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ମଧ୍ୟ ସଂରକ୍ଷଣ ବ୍ୟବସ୍ଥା ରହିଛି, ଯାହାକି ପୂର୍ବ ତାଲିକାରେ ନ ଥିଲା। ସାଧାରଣ ବର୍ଗଙ୍କ ଲାଗି ୫୦% ସିଟ୍ ରହିଥିବା ବେଳେ ଅନୁସୂଚିତ ଜାତି(ଏସ୍ସି) ବର୍ଗଙ୍କ ଲାଗି ୧୬.୨୫%, ଅନୁସୂଚିତ ଜନଜାତି(ଏସ୍ଟି) ବର୍ଗଙ୍କ ପାଇଁ ୨୨.୫% ଓ ଏସ୍ଇବିସି ବର୍ଗଙ୍କ ପାଇଁ ୧୧.୨୫% ସିଟ୍ ସଂରକ୍ଷିତ ରହିଛି। ଏହାବାଦ୍ ଦିବ୍ୟାଙ୍ଗଙ୍କ ଲାଗି ୪୮ ଓ ଏକ୍ସ-ସର୍ଭିସ୍ ମ୍ୟାନ୍ଙ୍କ ପାଇଁ ୯ଟି ସିଟ୍ ରହିଛି। ୨୦୨୨-୨୩ ଶିକ୍ଷାବର୍ଷରେ ୧୯ଟି କଲେଜର ୯୫୦ ବିଏଡ୍ ସିଟ୍ରେ ନାମଲେଖା ହେବ। ପ୍ରତି କଲେଜର ୫୦ଟି ଲେଖାଏ ସିଟ୍ରେ ନାମଲେଖା ହେବ। ସମସ୍ତ କଲେଜରେ ଦିବ୍ୟାଙ୍ଗ ପିଲାଙ୍କ ଲାଗି ଗୋଟିଏରୁ ୩ଟି ସିଟ୍ ସଂରକ୍ଷିତ ରଖାଯାଇଛି।
ବିଭାଗୀୟ ଅତିରିକ୍ତ ସଚିବ ରମାକାନ୍ତ ନାୟକ କହିଛନ୍ତି ଯେ ୨୦୨୨-୨୪ ଶିକ୍ଷାବର୍ଷରେ ବିଏଡ୍ ନାମଲେଖା ନିର୍ଦେଶାବଳୀରେ ସଂଶୋଧନ କରାଯାଇଛି। ବିଏଡ୍ ଓ ବିଏଚ୍ଏଡ୍ ପାଠ୍ୟକ୍ରମରେ ଦିବ୍ୟାଙ୍ଗ ଛାତ୍ରଛାତ୍ରୀଙ୍କ ଲାଗି ସଂରକ୍ଷଣ ନେଇ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ(ଏସ୍ଏସ୍ଇପିଡି) ବିଭାଗର ସ୍ପଷ୍ଟୀକରଣ ପରେ ସଂଶୋଧିତ ମେଧା ତାଲିକା ପ୍ରସ୍ତୁତ କରାଯାଇଛି। ନୂତନ ମେଧା ତାଲିକା ଅନୁଯାୟୀ ନାମଲେଖା ପ୍ରକ୍ରିୟା ଅନୁଷ୍ଠିତ ହେବ। ତେଣୁ ଏଦିଗରେ ପଦକ୍ଷେପ ନେବାକୁ ଓକାକ୍ ପରିଚାଳନା ନିର୍ଦେଶକଙ୍କୁ କୁହାଯାଇଛି। ତେବେ କେବେଠାରୁ ନାମଲେଖା ପ୍ରକ୍ରିୟା ଆରମ୍ଭ ହେବ ଏବଂ ପାଠପଢ଼ା ଚାଲିବ ସେନେଇ ବିଭାଗ କୌଣସି ସ୍ପଷ୍ଟ କରି ନାହିଁ।