ସମନ୍ୱିତ ବି.ଏଡ୍‌ ଓ ଏମ୍‌.ଏଡ୍‌ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ପ୍ରସଙ୍ଗ : ପଦକ୍ଷେପ ନେବାକୁ ଗଣଶିକ୍ଷା ବିଭାଗକୁ ଚିଠି

ଉଚ୍ଚଶିକ୍ଷା ବିଭାଗର ନିଦ ଭାଙ୍ଗିଲା

ଭୁବନେଶ୍ବର : ସମନ୍ବିତ ବିଏଡ୍‌ ଓ ଏମ୍‌ଏଡ୍‌ ପାଠ୍ୟକ୍ରମରେ ଶିକ୍ଷାଲାଭ କରିଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷକ ଯୋଗ୍ୟତା ପରୀକ୍ଷାରୁ ବଞ୍ଚିତ କରାଯାଉଥିବାରୁ ବିଭିନ୍ନ ବିଶ୍ବବିଦ୍ୟାଳୟ ଓ ଶିକ୍ଷାନୁଷ୍ଠାନରେ ଛାତ୍ର ଅସନ୍ତୋଷ ଦେଖାଦେଇଛି। ଉତ୍ତର ଓଡ଼ିଶା, ଫକୀରମୋହନ, ସମ୍ବଲପୁର ବିଶ୍ବବିଦ୍ୟାଳୟ ଓ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧୀନରେ ତିନି ବର୍ଷିଆ ପାଠ୍ୟକ୍ରମରେ ଶିକ୍ଷା ଗ୍ରହଣ କରିଥିବା ଏହି ଛାତ୍ରଛାତ୍ରୀ ଓଟିଇଟି, ଓଏସ୍‌ଏସ୍‌ଟିଇଟି, ସିଟିଇଟି ପରି ପରୀକ୍ଷାରୁ ବଞ୍ଚିତ ହେଉଛନ୍ତି। ଯେଉଁଥିପାଇଁ ଛାତ୍ରଛାତ୍ରୀ ବିଭିନ୍ନ ସମୟରେ ପଦଯାତ୍ରା କରିବା ସାଙ୍ଗକୁ ଭୁବନେଶ୍ବରରେ ଧାରଣାରେ ବସିଥିଲେ। ମାତ୍ର ଏଥିପ୍ରତି କେହି ଧ୍ୟାନ ଦେଇ ନ ଥିଲେ କି ଏହି ସମସ୍ୟାର କୌଣସି ସମାଧାନ ପନ୍ଥା ବାହାରି ପାରି ନ ଥିଲା।

ଏହି ସମସ୍ୟା ନେଇ ଉଚ୍ଚଶିକ୍ଷା ବିଭାଗ, ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପରସ୍ପର ଆଡ଼କୁ ଆଙ୍ଗୁଳି ଉଠାଇଥିଲେ। ଆମ ବିଭାଗର ନୁହେଁ ବୋଲି ବିଭାଗୀୟ ମନ୍ତ୍ରୀମାନେ ବାରମ୍ବାର କହୁଥିଲେ। ତେବେ ବିଶ୍ବବିଦ୍ୟାଳୟ ଓ ମହାବିଦ୍ୟାଳୟଗୁଡ଼ିକ ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରହିଥିବାରୁ ସମ୍ପୃକ୍ତ ଶିକ୍ଷାନୁଷ୍ଠାନର ମୁଖିଆମାନେ ଉଚ୍ଚଶିକ୍ଷା ବିଭାଗର ଦ୍ବାରସ୍ଥ ହୋଇଥିଲେ। ଚିଠି ଲେଖି ସମସ୍ୟା ସମ୍ପର୍କରେ ଅବଗତ କରିବା ସହ ଛାତ୍ରଛାତ୍ରୀଙ୍କୁ ପରୀକ୍ଷା ଲାଗି ସୁଯୋଗ ଦେବାକୁ ଦାବି କରିଥିଲେ। ହେଲେ କେହି ଶୁଣି ନଥିଲେ। ତିନି ମାସ ହେଲା ଏଭଳି ସ୍ଥିତି ଲାଗି ରହିଥିବା ବେଳେ ଆଜି ଉଚ୍ଚଶିକ୍ଷା ବିଭାଗର ନିଜ ଭାଙ୍ଗିଛି। ଫକୀର ମୋହନ ବିଶ୍ବବିଦ୍ୟାଳୟ କୁଳପତି ପ୍ରଫେସର ମଧୁମିତା ଦାଶଙ୍କ ଚିଠି ଆଧାରରେ ପଦକ୍ଷେପ ନେବାକୁ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଗଣଶିକ୍ଷା ବିଭାଗର ଦୃଷ୍ଟି ଆକର୍ଷଣ କରାଯାଇଛି। ସେପଟେ ଗତ ମାସରେ ରାଜେନ୍ଦ୍ର ସ୍ବୟଂଶାସିତ ମହାବିଦ୍ୟାଳୟ ଅଧ୍ୟକ୍ଷ ବି ଏନେଇ ଉଚ୍ଚଶିକ୍ଷା ବିଭାଗ ସଚିବ ଶାଶ୍ବତ ମିଶ୍ରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ୩ ବର୍ଷିଆ ଇଣ୍ଟିଗ୍ରେଟେଡ୍‌ ବି.ଏଡ୍‌ ଓ ଏମ୍‌.ଏଡ୍‌ ପାଠ୍ୟକ୍ରମରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ବିଭିନ୍ନ ଶିକ୍ଷକ ଯୋଗ୍ୟତା ପରୀକ୍ଷା ଲାଗି ଅନୁମତି ଦେବାକୁ ଚିଠିରେ ଉଲ୍ଲେଖ କରିଥିଲେ। ତେବେ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ।

ସମ୍ବନ୍ଧିତ ଖବର