ଉଚ୍ଚଶିକ୍ଷା ବିଭାଗର ଆଉ ଏକ ନିଷ୍ପତ୍ତି : ବିଏଡ୍‌, ଏମ୍‌ଏଡ୍‌ ପାଇଁ ଏକକ ନାମଲେଖା

ଭୁବନେଶ୍ବର : ଉଚ୍ଚଶିକ୍ଷା ବିଭାଗ ଅଧୀନରେ ରାଜ୍ୟର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚାଲୁଥିବା ଶିକ୍ଷକ ଶିକ୍ଷା ତାଲିମ କାର୍ଯ୍ୟକ୍ରମରେ ବ୍ୟାପକ ସଂସ୍କାର ଆଣିବାକୁ ନିଷ୍ପତ୍ତି ନିଆଯାଇଛି। ୨୦୨୦-୨୧ ଶିକ୍ଷାବର୍ଷଠାରୁ ରାଜ୍ୟରେ ଥିବା ୯ଟି ବିଶ୍ବବିଦ୍ୟାଳୟ ଓ ୧୪ଟି ଡିଗ୍ରି କଲେଜରେ ଥିବା ବିଏଡ୍‌, ଏମ୍‌ଏଡ୍‌ ଓ ଇଣ୍ଟିଗ୍ରେଟେଡ୍‌ ପାଠ୍ୟକ୍ରମରେ ନାମଲେଖା ପାଇଁ ଏକକ ନାମଲେଖା ଅନୁଷ୍ଠିତ ହେବ। ତେବେ ବିଶ୍ବବିଦ୍ୟାଳୟଗୁଡ଼ିକ ପାଇଁ ବିକଳ୍ପ ବ୍ୟବସ୍ଥା ରଖାଯାଇଛି। ‌ଯଦି ସେମାନେ ଚାହିଁବେ ଏକକ ନାମଲେଖା ପ୍ରକ୍ରିୟାରେ ଭାଗ ନେଇପାରିବେ କିମ୍ବା ସେମାନେ ନିଜ ସ୍ତରରେ ପିଲା ଚୟନ କରିବେ।

ଏନେଇ ବିଶ୍ବବିଦ୍ୟାଳୟଗୁଡ଼ିକ ମାର୍ଚ୍ଚ ୩୧ ସୁଦ୍ଧା ଉଚ୍ଚଶିକ୍ଷା ବିଭାଗ ପରଫର୍‌ମାନ୍ସ ଟ୍ରାକିଂ ସେଲ୍‌ର ଭାରପ୍ରାପ୍ତ ଅଧିକାରୀଙ୍କ ନିକଟରେ ସେମାନେ ନିଜର ମତାମତ ରିପୋର୍ଟ ଦାଖଲ କରିପାରିବେ। ନ ହେଲେ ‘[email protected]’ରେ ନିର୍ଦ୍ଧାରିତ ସମୟ ମଧ୍ୟରେ ମତାମତ ପଠାଇବେ। ଯଦି ବିଶ୍ବବିଦ୍ୟାଳୟ କର୍ତୃପକ୍ଷ ମତା‌ମତ ନ ଦେବେ ତେବେ ଧରି ନିଆଯିବ ଯେ ସେମାନେ ଏକକ ନାମଲେଖା ପ୍ରକ୍ରିୟାରେ ସାମିଲ ହେବାକୁ ଚାହୁଁ ନାହାନ୍ତି। ପ୍ରତି ଆର୍ଥିକ ବର୍ଷ ଶେଷ ସୁଦ୍ଧା ଶିକ୍ଷାନୁଷ୍ଠାନର ବାର୍ଷିକ ଆକାଉଣ୍ଟ ଅଡିଟ୍‌ ଚାଟାର୍ଡ ଆକାଉଣ୍ଟାଣ୍ଟଙ୍କ ଦ୍ବାରା କରାଯିବ ଏବଂ ତାହାକୁ ଏନ୍‌ସିଟିଇରେ ଦାଖଲ କରାଯିବ। ଏଥିସହ ପ୍ରତିବର୍ଷ ଶେଷ ସୁଦ୍ଧା ଏନ୍‌ସିଟିଇ ନିକଟରେ ସେଲ୍‌ଫ-ଆପ୍ରାଇଜାଲ୍‌ ରିପୋର୍ଟ ଦାଖଲ କରିବେ। ଅଗ୍ନି ନିରାପତ୍ତା ସାର୍ଟିଫିକେଟ୍‌ ହାସଲ କରିବା ବି ବାଧ୍ୟତାମୂଳକ କରାଯାଇଛି। କେଉଁ କଲେଜରେ କେତେ ଶିକ୍ଷକ ଓ କର୍ମଚାରୀ ପଦ ଖାଲି ରହିଛି ସେନେଇ ଆସନ୍ତା ୧୮ ତାରିଖ ସୁଦ୍ଧା ରିପୋର୍ଟ ଦାଖଲ କରିବାକୁ ସମସ୍ତ ଶିକ୍ଷାନୁଷ୍ଠାନ ଅଧ୍ୟକ୍ଷଙ୍କୁ ନିର୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର