ଆର୍‌ଏନ୍‌ଟିରେ ବଢ଼ିଲା ବିଏଡ୍ ସିଟ୍, ବର୍ଷେ ବ୍ୟବଧାନରେ ପୁଣି ଏମ୍‌ଏଡ୍‌ରେ ନାମଲେଖା

କଟକ : ଅଧ୍ୟାପକ ଅଭାବ ପାଇଁ ଆର୍‌ଏନ୍‌ଟିରେ ବନ୍ଦ ରହିଥିବା ଏମ୍‌ଏଡ୍‌ ପାଠ୍ୟକ୍ରମରେ ଏ ବ‌ର୍ଷ ପୁଣି ନାମଲେଖା ଆରମ୍ଭ ହେବ। ଅଧ୍ୟାପକ ନ ଥିବାରୁ ୨୦୨୦-୨୧ ଶିକ୍ଷାବ‌ର୍ଷରେ ବିଏଡ୍ ନାମଲେଖା ବନ୍ଦ ରହିଥିବା ବେଳେ ଗତ ବର୍ଷ ଅର୍ଥାତ୍ ୨୦୨୨-୨୩ ଶିକ୍ଷାବର୍ଷରେ ମାତ୍ର ୫୦ ବିଏଡ୍‌ ସିଟ୍ ପାଇଁ ନାମଲେଖା ହୋଇଥିଲା। କିନ୍ତୁ ଏବର୍ଷ ବିଏଡ୍‌‌ ସିଟ୍‌କୁ ବୃଦ୍ଧି କରାଯାଇ ୧୫୦ ସିଟ୍ ପାଇଁ ଓ ଏମ୍‌ଏଡରେ ୫୦ ସିଟ୍ ପାଇଁ ନାମଲେଖା ହେବ। ସେହିପରି ଗଲା ଦୁଇ ବ‌ର୍ଷ ରାଧାନାଥ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଡିପ୍ଲୋମା ଇନ୍‌ ଏଲିମେଣ୍ଟାରି ‌ଏଜୁକେସନ ପାଇଁ ନାମଲେଖା ବନ୍ଦ ପଡ଼ିଥିବା ବେଳେ ଏବ‌ର୍ଷ ପୁଣି ନାମଲେଖା ହେଉଛି। ପାଖାପାଖି ଦୁଇ ବର୍ଷ ପରେ ଉଭୟ ବିଏଡ୍, ଡିଏଲ୍‌ଇଡି, ଏମ୍‌ଏଡ଼୍‌ରେ ନାମଲେଖା ହେଉଥିବାରୁ ଶିକ୍ଷକତାରେ କ୍ୟାରିୟର କରିବାକୁ ଚାହୁଁଥିବା ଛାତ୍ରଛାତ୍ରୀଙ୍କ ମନରେ ଉତ୍ସାହ ଦେଖାଦେଇଛି।

ଫାକଲ୍‌ଟି ଅଭାବ ଥିବାରୁ ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନ(ଆର୍‌ଏନଟି)ରେ ଉଭୟ ବିଏଡ୍‌ ଓ ଏମ୍ଏଡ୍ ପାଠ୍ୟକ୍ରମ ପାଇଁ ନାମଲେଖା ବନ୍ଦ ରହିଥିଲା। ୨୦୨୦-୨୧ଶିକ୍ଷାବ‌ର୍ଷରେ ବିଏଡ୍ ନାମଲେଖା ସଂପୂର୍ଣ୍ଣ ବନ୍ଦ ରହିଥିବା ବେଳେ ୨୦୨୨-୨୩ରେ ମାତ୍ର ୫୦ସିଟରେ ନାମଲେଖା ପାଇଁ ଏନ୍‌ସିଟିଇ ପକ୍ଷରୁ ଅନୁମୋଦନ ମିଳିଥିଲା। କିନ୍ତୁ ରାଜ୍ୟ ସରକାରଙ୍କ ପକ୍ଷରୁ ଆର୍‌ଏନ୍‌ଟିରେ ଶିକ୍ଷକ ପଦ ପୂରଣ ହୋଇଥିବାରୁ ଏନ୍‌ସିଟିଇ ପକ୍ଷରୁ ବିଏଡ୍‌ ସିଟ୍‌କୁ ୫୦ରୁ ୧୫୦କୁ ବୃଦ୍ଧି କରାଯିବା ସହିତ ଏମ୍‌ଏଡ୍‌ରେ ୫୦ସିଟ୍‌ ପାଇଁ ପୁଣି ନାମ‌ଲେଖା କରାଯିବାକୁ ଅନୁ ମୋଦନ ମିଳିଛି। ରାଧାନାଥ ଉଚ୍ଚତର ଶିକ୍ଷା ଅନୁଧ୍ୟାନ ପ୍ରତିଷ୍ଠାନର ଅଧ୍ୟକ୍ଷା ପ୍ରଫେସର ଡକ୍ଟର ନିବେଦିତା ଗୁରୁଙ୍କ କହିବା ଅନୁସାରେ, ଅନୁଷ୍ଠାନରେ ଫାକଲ୍‌ଟି ଅଭାବ ଥିବାରୁ ଗତବର୍ଷ ବିଏଡ୍‌ରେ ମାତ୍ର ୫୦ଟି ସିଟ୍‌ ପାଇଁ ନାମ ହୋଇଥିଲା ଓ ଏମ୍‌ଏଡ୍‌ ନାମଲେଖା ପାଇଁ ଏନ୍‌ସିଟିଇ ପକ୍ଷରୁ ଅନୁମୋଦନ ମିଳିନଥିଲା। କିନ୍ତୁ ଏବେ ଆବଶ୍ୟକ ଥିବା ଅଧ୍ୟାପକ ପଦ ପୂରଣ ହୋଇଛି। ସେହିପରି ଆର୍‌ଏନ୍‌ଟି ପରିସରରେ ଥିବା ରାଧାନାଥ ପ୍ରାଥମିକ ଶିକ୍ଷକ ଶିକ୍ଷା ପ୍ରତିଷ୍ଠାନରେ ଦୁଇ ବର୍ଷ ପାଇଁ ଡିପ୍ଲୋମା ଇନ୍ ଏଲିମେଣ୍ଟାରି ଏଜୁକେସନ(ଡିଏଲ୍‌ଇଡି) ପାଇଁ ନାମଲେଖା ବନ୍ଦ ରହିଥିଲା। ଏ ବର୍ଷ ସାରା ରାଜ୍ୟରେ ୬ହଜାର (ଡିଏଲ୍‌ଇଡି) ପାଇଁ ନାମଲେଖା ହେଉଥିବା ବେଳେ ଏହି ଅନୁଷ୍ଠାନରେ ଶହେ ସିଟ୍ ପାଇଁ ନାମଲେଖା ପ୍ରବେଶିକା ପରୀକ୍ଷା କରାଯାଇଛି। ଏଠାରେ ସୂଚନା ଯୋଗ୍ୟ, ଡିଏଲ୍‌ଇଡି ନାମଲେଖା ଏସ୍‌ସିଇଆର୍‌ଟି ଅଧୀନରେ ହେଉଥିବା ବେଳେ ଏହାର ପରୀକ୍ଷା ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପରିଚାଳନା କରୁଛି।

ସମ୍ବନ୍ଧିତ ଖବର