ବି.ଏଡ୍‌ ଶିକ୍ଷକ ମହାସଂଘର ଆନ୍ଦୋଳନ ସ୍ଥଗିତ

ଭୁବନେଶ୍ୱର : ୫ ଦିନ ଧରି ଲୋୟର ପିଏମ୍‌ଜିରେ ଚାଲିଥିବା ମିିଳିତ ବି.ଏଡ୍‌ ଶିକ୍ଷକ ମହାସଂଘର ଆନ୍ଦୋଳନକୁ ଆଜି ସ୍ଥଗିତ ରଖାଯାଇଛି। ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଣବ ପ୍ରକାଶ ଦାସଙ୍କ ସହ ମହାସଂଘର ପ୍ରତିନିଧିମାନେ ଆଲୋଚନା କରିବା ସମୟରେ ଦାବି ପୂରଣ ଦିଗରେ ପଦକ୍ଷେପ ନିଆଯିବ ବୋଲି ପ୍ରତିଶ୍ରୁତି ମିଳିଛି। ତାହାକୁ ଦୃଷ୍ଟିରେ ରଖି ଆନ୍ଦୋଳନକୁ ସାମୟିକ ଭାବେ ସ୍ଥଗିତ ରଖାଗଲା ବୋଲି ସଂଘ ପକ୍ଷରୁ ଏକ ପ୍ରେସ୍‌ ବିଜ୍ଞପ୍ତିରେ କୁହାଯାଇଛି।

ମାର୍ଚ୍ଚ ପ୍ରଥମ ସପ୍ତାହରେ ମହାସଂଘର ପ୍ରତିନିଧିମାନେ ବିିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ସଚିବ ପ୍ରଦୀପ୍ତ କୁମାର ମହାପାତ୍ରଙ୍କ ସହ ଆଲୋଚନା ବେଳେ ଯେଉଁ ପ୍ରତିଶ୍ରୁତି ମିଳିଥିଲା ତାହାକୁ ପୂରଣ କରିବାକୁ ଏବେ ପୁଣିଥରେ ପ୍ରତିଶ୍ରୁତି ମିଳିଛି। ନିଯୁକ୍ତି ଦିନଠାରୁ ଟିଜିଟି ଲେବୁଲ୍‌-୩ରେ ନିୟମିତ କରିବା ସହ ଉଚ୍ଚ ପ୍ରାଥମିକସ୍ତରରେ କାର୍ଯ୍ୟରତ ପ୍ରାୟ ୫୩ ହଜାର ବି.ଏଡ୍‌. ଶିକ୍ଷକଙ୍କୁ ବିଷୟଭିତ୍ତିକ ଶିକ୍ଷକ ମାନ୍ୟତା, ଟିଜିଟି ବେତନ ୯୩୦୦ ଟଙ୍କା ସହ ଗ୍ରେଡ୍‌ ପେ’ ୪୬୦୦ ଟଙ୍କା ଦାବି ଉପରେ ବିଚାର କରାଯାଇ ନ୍ୟାୟ ପ୍ରଦାନ କରାଯିବ ବୋଲି ପ୍ରତିଶ୍ରୁତି ମିଳିଛି। ଯଦି ଉପଯୁକ୍ତ ନ୍ୟାୟ ପ୍ରଦାନରେ କିଛି ବି ବ୍ୟତିକ୍ରମ ଦେଖାଦେବ ତେବେ ପୁଣିଥରେ ବ୍ୟାପକ ଆନ୍ଦୋଳନ ହେବ ବୋଲି ମହାସଂଘର ଆବାହକ ଉମେଶ ଚନ୍ଦ୍ର ନାୟକ, କାର୍ଯ୍ୟନିର୍ବାହୀ ସଦସ୍ୟ ଦେବେନ୍ଦ୍ର କୁମାର ନାୟକ, ସୁଧୀର କୁମାର ପ୍ରଧାନ, ଅଜୟ କୁମାର ଧଳ, ଦୁର୍ଯ୍ୟୋଧନ ଦାସ, ସରୋଜ ପଣ୍ଡା, ସନ୍ତୋଷ ପ୍ରଧାନ, ଲକ୍ଷ୍ମଣ କୁମାର ମହାନ୍ତି ପ୍ରମୁଖ ଏକ ପ୍ରେସ୍‌ ବିଜ୍ଞପ୍ତିରେ ଜଣାଇଛନ୍ତି।

ସମ୍ବନ୍ଧିତ ଖବର