ପ୍ରାଥମିକ ଶିକ୍ଷକଙ୍କ କ୍ୟାଡର୍ ପୁନର୍ଗଠନକୁ ବିଏଡ୍ ଶିକ୍ଷକଙ୍କ ବିରୋଧ

ଭୁବ‌େନଶ୍ବର : ବିଏଡ୍ ଶିକ୍ଷକ ମହାସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଗୋଦାବରୀଶ ସାହିତ୍ୟ ସଂସଦରେ ଅନୁଷ୍ଠିତ ହୋଇଯାଇଛି। ବରିଷ୍ଠ ଶିକ୍ଷକ ନେତା ଲକ୍ଷ୍ମଣ କୁମାର ମହାନ୍ତିଙ୍କ ଅଧ୍ୟକ୍ଷତା‌ରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସରକାରଙ୍କ ଶିକ୍ଷକ ମାରଣ ନୀତି ଓ ବିଏଡ୍ ଶିକ୍ଷକମାନଙ୍କ ପ୍ରତି ସରକାର କରିଥିବା ଅନ୍ୟାୟ ବିଷୟରେ ଆଲୋଚନା ହୋଇଥିଲା। ରାଜ୍ୟ ସରକାର ଓଡ଼ିଶାର ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକଙ୍କ ପାଇଁ କରିବାକୁ ଯାଉଥିବା କ୍ୟାଡର୍ ପୁନର୍ଗଠନକୁ ବୈଠକରେ ‌ବିରୋଧ କରାଯାଇଥିଲା। ଏହି ସରକାରଙ୍କ ସମୟରେ ୨୦୧୪ ମସିହାରେ ପ୍ରଚଳନ କରାଯାଇଥିବା କ୍ୟାଡର୍ ରୁଲ୍‌କୁ ସମ୍ପୂର୍ଣ୍ଣ କାର୍ଯ୍ୟକାରୀ ନ କରି ପୁଣି ଏକ କ୍ୟାଡର୍ ରୁଲ୍ ପ୍ରଚଳନ କାହା ସ୍ବାର୍ଥରେ ବୋଲି ମହାସଂଘ ପ୍ରଶ୍ନ କରିଛି। କ୍ୟାଡର୍ ପୁନର୍ଗଠନ ପାଇଁ ରାଜ୍ୟ ସରକାର ବିଭିନ୍ନ ଶିକ୍ଷକ ସଂଗଠନକୁ ଡାକି ଆଲୋଚନା କରିଥିଲେ ବି ୬୦ ହଜାର ବିଏଡ୍ ଶିକ୍ଷକଙ୍କ ପ୍ରତିନିଧିଙ୍କ ନ ଡକାଯିବା ନେଇ କର୍ମକର୍ତ୍ତାମାନେ କ୍ଷୋଭ ପ୍ରକାଶ କରିଛନ୍ତି। ଏହା ବିଏଡ୍ ଶିକ୍ଷକମାନଙ୍କ ପ୍ରତି ବିଶ୍ବାସଘାତକତା ବୋଲି ମତପ୍ରକାଶ ପାଇଥିଲା। ବିଏଡ୍ ଶିକ୍ଷକମାନଙ୍କ ନ୍ୟାୟୋଚିତ ଦାବିକୁ ତୁରନ୍ତ ପୂରଣ ପାଇଁ କର୍ମକର୍ତ୍ତାମାନେ ଦାବି କରିଥିଲେ। ବୈଠକରେ ଅଜୟ କୁମାର ଧଳ, ଦେବେନ୍ଦ୍ର କୁମାର ନାୟକ, ସରୋଜ କୁମାର ପଣ୍ଡା, ସଚିକାନ୍ତ ମିଶ୍ର, ସୁଧୀର କୁମାର ପ୍ରଧାନ, ସନ୍ତୋଷ କୁମାର ପ୍ରଧାନ, ନିମାଇଁ ଚରଣ ଦାସ, ବଳରାମ ପତି, ଅକ୍ଷୟ ମିଶ୍ର, ଉଗ୍ରସେନ ସାହୁ, ଗୁରୁପ୍ରସାଦ ଦାସ ଓ ଇନ୍ଦ୍ରଜିତ ମହାକୁଡ଼ ପ୍ରମୁଖ ଉପସ୍ଥିତ ରହି ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର