ରାଉରକେଲା : ହାଇଟେକ୍ ମେଡିକାଲ କଲେଜରେ ଭର୍ତ୍ତି ଜଣେ ମହିଳା ରୋଗୀଙ୍କ ଜୀବନ ସହ ଖେଳ ଖେଳିଛନ୍ତି ଚିକିତ୍ସାଧୀନ ଡାକ୍ତର, ନର୍ସ ଓ ଆର୍ଜିଏଚ୍ ରକ୍ତଭଣ୍ଡାର କର୍ମଚାରୀ। ମହିଳା ରୋଗୀଙ୍କୁ ‘ ବି’ ପଜିଟିକ୍ ରକ୍ତ ଦେବା ପରିବର୍ତ୍ତେ ‘ଓ’ ପଜିଟିଭ୍ ରକ୍ତ ଦେଇ ଦିଆଯାଇଛି। ଦୋଷ ଲୁଚାଇବାକୁ ରିକ୍ୟୁଜିସନ୍ ପେପର୍ରେ ପ୍ରଥମେ ଲେଖାଥିବା ‘ଓ’ ପଜିଟିଭ୍କୁ ଓଭରରାଇଟିଂ କରି ‘ ବି’ ପଜିଟିଜ୍ ଲେଖାଯାଇଛି। ଆଜିର ଏହି ଗୋଟିଏ ଘଟଣା ନୁହେଁ ପୂର୍ବରୁ ଅନେକ ବାର ଏଭଳି ଘଟଣାର ପୁନରାବୃତ୍ତି ହୋଇଥିବା ରୋଗୀଙ୍କ ସମ୍ପର୍କୀୟ ଅଭିଯୋଗ କରିଛନ୍ତି। ବିଭାଗୀୟ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। କିନ୍ତୁ ଏଭଳି ଭୁଲ୍ କରୁଥିବା କର୍ମଚାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଉ ନଥିବାରୁ ବାରମ୍ବାର ଏଭଳି ଘଟଣାର ପୁନରାବୃତ୍ତି ହେଉଛି। ଏ ସଂକ୍ରାନ୍ତରେ ରାଉରକେଲା ରକ୍ତଭଣ୍ଡାର ଅଧିକାରୀ ଡାକ୍ତର ପଣ୍ଡିତ ସାହୁଙ୍କୁ ପଚାରିବାରୁ ସେ କହିଛନ୍ତି, କର୍ମଚାରୀ ଜଣକ ଭୁଲବଶତଃ ଏଭଳି କରି ଦେଇପାରିଥାନ୍ତି। ଘଟଣାର ତଦନ୍ତ କରି ନିଶ୍ଚିତ ଭାବେ କାର୍ଯ୍ୟାନୁଷ୍ଠାନ ନିଆଯିବ।
ମିଳିଥିବା ସୂଚନା ମୁତାବକ ବିମଳା ନାୟକ (୫୨) ଜଣେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ହାଇଟେକ୍ ମେଡିକାଲ କଲେଜରେ ଭର୍ତ୍ତି କରାଯାଇଛି। ରକ୍ତ ଆବଶ୍ୟକ ହେବାରୁ ବିମଳାଙ୍କୁ ଚିକିତ୍ସା କରୁଥିବା ହାଇଟେକ୍ ମେଡିକାଲର ଡାକ୍ତର ତାଙ୍କ ସମ୍ପର୍କୀଙ୍କୁ ‘ବି’ ପଜିଟିକ୍ ରକ୍ତ ଆର୍ଜିଏଚ୍ ରକ୍ତଭଣ୍ଡାରରୁ ଆଣିବାକୁ କହିଥିଲେ। ଡାକ୍ତରଙ୍କ ପରାମର୍ଶ କ୍ରମେ ବିମଳାଙ୍କ ସମ୍ପର୍କୀୟ ଗତ ୫ରେ ‘ବି’ ପଜିଟିକ୍ ରକ୍ତ ଆର୍ଜିଏଚ୍ ରକ୍ତଭଣ୍ଡାରରୁ ନେଇଥିଲେ। ପୁଣି ରକ୍ତ ଆବଶ୍ୟକ ପଡିବାରୁ ଦୁଇ ଦିନ ପରେ ଅର୍ଥାତ୍ ୭ରେ ଆର୍ଜିଏଚ୍ ରକ୍ତ ଭଣ୍ଡାରକୁ ‘ବି’ ପଜିଟିକ୍ର ଆଉ ଏକ ୟୁନିଟ୍ ରକ୍ତ ନେବାକୁ ଆସିଥିଲେ। ରକ୍ତଭଣ୍ଡାରର ଜଣେ କର୍ମଚାରୀ ବି ପଜିଟିଭି୍ ପରିବର୍ତ୍ତେ ତାଙ୍କୁ ‘ଓ‘ ପଜିଟିଭ୍ ରକ୍ତ ଦେଇ ଦେଇଥିଲେ। ବିମଳାଙ୍କ ସମ୍ପର୍କୀୟ ଏ ସଂକ୍ରାନ୍ତରେ କିଛି ଜାଣି ପାରି ନଥିଲେ। ସେମିତି ବିମଳାଙ୍କୁ ଚିକିତ୍ସା କରୁଥିବା ନର୍ସ ମଧ୍ୟ ରକ୍ତ ପ୍ୟାକଟ୍କୁ ନ ଦେଖି ‘ଓ’ ପଜିଟିଭ୍ ରକ୍ତକୁ ଲଗାଇ ଦେଇଥିଲେ।
ରକ୍ତ ନେବା ପରେ ମହିଳାଙ୍କ ସ୍ବାସ୍ଥ୍ୟ ଅବସ୍ଥା ସାମାନ୍ୟ ଗୁରୁତର ହୋଇଥିଲା। ଯାଞ୍ଚ କରିବାରୁ ଭୁଲ୍ ଗ୍ରୁପ୍ ରକ୍ତ ଦିଆଯାଇିଥିବା ଜଣାପଡିଥିଲା। ଯଦି ରୋଗୀଙ୍କର କିଛି ହୋଇଯାଇଥାନ୍ତା, ଏଥିପାଇଁ କିଏ ଦାୟୀ ରହିଥାନ୍ତା ବୋଲି ସାଧାରଣରେ ପ୍ରଶ୍ନ ଉଠିବା ସ୍ବାଭାବିକ। ତେବେ ଆର୍ଜିଏଚ୍ ରକ୍ତ ଭଣ୍ଡାରରେ ଏଭଳି ଘଟଣାରେ ପୁଙ୍ଖାନୁପୁଙ୍ଖ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବାର ଆବଶ୍ୟକତା ରହିଛି।