ରାଉରକେଲା : ବିଶିଷ୍ଟ ଶିକ୍ଷାବିତ୍ ବି.ଆର୍. ପଟ୍ଟନାୟକ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ ଦ୍ୱାରା ପ୍ରଦତ୍ତ ସମ୍ମାନସୂଚକ ଡକ୍ଟରେଟ୍ ଲାଭ କରିଛନ୍ତି। ଶିକ୍ଷାକ୍ଷେତ୍ରକୁ ଉଲ୍ଲେଖନୀୟ ଅବଦାନ ପାଇଁ ଗତ ଜୁନ୍ ୨୩ ତାରିଖରେ ବ୍ୟାଙ୍କକ୍ର କ୍ରିଷ୍ଟାଲ୍ ହଲ୍ରେ ଆୟୋଜିତ ଏକ ଉତ୍ସବରେ ଶ୍ରୀ ପଟ୍ଟନାୟକଙ୍କୁ ଏହି ସମ୍ମାନ ପ୍ରଦାନ କରା ଯାଇଛି। ଉଲ୍ଲେଖନୀୟ ଯେ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ ହେଉଛି କମନ୍େଓ୍ଵଲ୍ଥ୍ ଅଫ୍ ଡୋମିନିକାର ଏକ ବିଶ୍ୱସ୍ତରୀୟ ବିଶ୍ୱବିଦ୍ୟାଳୟ। ନିକଟରେ ଏହା ବିଶ୍ୱର ୫୧ତମ ବିଶ୍ୱବିଦ୍ୟାଳୟ ରୂପେ ସ୍ୱୀକୃତି ପାଇଛି। ଆମେରିକାର କାଲିଫର୍ନିଆ ବିଶ୍ୱବିଦ୍ୟାଳୟ ସହବନ୍ଧିତ ବଲ୍ସବ୍ରିଜ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ବିଶ୍ୱସ୍ତରରେ ବିଭିନ୍ନ କ୍ଷେତ୍ରରେ ସଫଳତାର ଶୀର୍ଷକୁ ଯାଇଥିବା ବ୍ୟକ୍ତିମାନଙ୍କୁ ସମ୍ମାନସୂଚନ ଡକ୍ଟରେଟ୍ ପ୍ରଦାନ କରାଯାଏ। ବ୍ୟାଙ୍କକ୍ର କ୍ରିଷ୍ଟାଲ୍ ହଲ୍ରେ ଆୟୋଜିତ ଉକ୍ତ ଉତ୍ସବରେ ଅତିଥି ରୂପେ ଥାଇଲ୍ୟାଣ୍ଡ୍ର ପୂର୍ବତନ ଉପ-ପ୍ରଧାନମନ୍ତ୍ରୀ କୋର୍ନ ଦାବାରାନ୍ସି, ବିଶ୍ୱବିଦ୍ୟାଳୟର କୁଳପତି ତଥା ବୋର୍ଡ ଅଫ୍ ଗଭର୍ନର୍ସର ଅଧ୍ୟକ୍ଷ ଡକ୍ଟର୍ ଆଇ ଚାର୍ଲସ୍, ପ୍ରଫେସର୍ ଜି.ସି. ଡେକା, କମନ୍େଓ୍ଵଲ୍ଥ୍ ରିସର୍ଚ ଏକ୍ସପର୍ଟ କମିଟିର ରାମଶଙ୍କର ଅଗ୍ରଓ୍ଵାଲ୍ ଏବଂ ଥାଇଲ୍ୟାଣ୍ଡ୍ ବିଧାନ ପରିଷଦର ପରାମର୍ଶଦାତା ଡକ୍ଟର୍ ପ୍ରେମା ଉପସ୍ଥିତ ଥିଲେ।
ଏହି ସମ୍ମାନ ଗ୍ରହଣ କରି ଫେରିବା ପରେ ଚର୍ଚ୍ଚାଠାରୁ ଦୂରରେ ରହିବାକୁ ପସନ୍ଦ କରୁଥିବା ଶ୍ରୀ ପଟ୍ଟନାୟକ ସଂକ୍ଷିପ୍ତ ପ୍ରତିକ୍ରିୟାରେ କହିଛନ୍ତି, ‘‘ଏମିତି ଏକ ସମ୍ମାନ ପାଇବି ବୋଲି ମୁଁ କେବେ ଭାବି ନ ଥିଲି। ଏହା ଆପଣାଛାଏଁ ଆସିଛି, ସେଥିପାଇଁ ମୁଁ ଆନନ୍ଦିତ।’’
ଉଲ୍ଲେଖନୀୟ ଯେ ଓଡ଼ିଶାରେ ଶିକ୍ଷାକ୍ଷେତ୍ରରେ ବେଶ୍ ପରିଚିତ ଶ୍ରୀ ପଟ୍ଟନାୟକଙ୍କର ଅନ୍ୟ ଅନେକ ଅବଦାନ ଭିତରୁ ଗୋଟିଏ ହେଉଛି ରାଉରକେଲାରେ ଥିବା କନକ ମଞ୍ଜରୀ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ଫାର୍ମସ୍ୟୁଟିକାଲ୍ ସାଇନ୍ସେସ୍। ନିଜ କ୍ଷେତ୍ରରେ ଏହା ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନଗୁଡ଼ିକ ଭିତରୁ ଗୋଟିଏ।