ଜୟପୁର: ଜୟପୁର ପୌରପାଳିକାର ଉପାଧ୍ୟକ୍ଷ ନିର୍ବାଚନରେ ଭାବେ ୧୪ ନମ୍ବର ୱାର୍ଡର ବିଜେଡି କାଉନସିଲର ବି. ସୁନୀତା ନିର୍ବାଚିତ ହୋଇଛନ୍ତି। ନିର୍ବାଚନ ଅଧିକାରୀ ତଥା ଜୟପୁର ଉପଜିଲ୍ଲାପାଳ ବେଦବର ପ୍ରଧାନଙ୍କ ପୌରପାଳିକାର ସମ୍ମିଳନୀ କକ୍ଷରେ ଆଜି ପୂର୍ବାହ୍ନ ୧୦ଟାରେ ଉପାଧ୍ୟକ୍ଷ ନିର୍ବାଚନ ପକ୍ରିୟା ଆରମ୍ଭ ହୋଇଥିଲା। ସମସ୍ତ ନିର୍ବାଚିତ ୨୮ଟି କାଉନସିଲରମାନେ ଆସି ପହଞ୍ଚିଥିବା ବେଳେ ବିଜେଡି ଜିଲ୍ଲା ସଭାପତି ଇଶ୍ବର ଚନ୍ଦ୍ର ପାଣିଗ୍ରହୀ ବନ୍ଦ ଲଫାପା ଧରି ଆସିଥିଲେ। ନିର୍ବାଚନ ଗୃହରେ ଲଫାପା ଖୋଲିବା ପରେ ବି. ସୁନିତାଙ୍କ ନାମ ଘୋଷଣା କରିଥିଲେ, ଏହାପରେ ସୁନୀତା ନାମାଙ୍କନ ପତ୍ର ଦାଖଲ କରିଥିଲେ। ଅନ୍ୟ ପକ୍ଷରେ ୧୫ ନମ୍ବର ୱାର୍ଡର ସ୍ବାଧୀନ କାଉନସିଲର ତଥା କଂଗ୍ରେସ ସମର୍ଥିତ ଦେବଶ୍ରୀ ନାୟକ ପାର୍ଥୀପତ୍ର ଦାଖଲ କରିଥିଲେ।
ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା, ଉଭୟ ପାର୍ଥୀଙ୍କ ମଧ୍ୟରୁ କେହି ନାମାଙ୍କନପତ୍ର ପ୍ରତ୍ୟାହାର କରିନଥିବା ବେଳେ ଭୋଟ ଆରମ୍ଭ ହୋଇଥିଲା। ଜିଲ୍ଲା ସଭାପତି ଇଶ୍ବର ପାଣିଗ୍ରାହୀ ବିଜେଡିର ପ୍ରଧିକୃତ ପ୍ରତିନିଧି ଥିବା ବେଳେ ବିଜେଡି କାଉନସିଲରମାନେ ଭୋଟ ଦେବା ବେଳେ ଶ୍ରୀ ପାଣିଗ୍ରାହୀଙ୍କୁ ଦେଖାଇ ଭୋଟ ବାକ୍ସରେ ପକାଇଥିଲେ। ସେହିପରି କଂଗ୍ରେସ ଦଳର ପ୍ରଧିକୃତ ପ୍ରତିନିଧି ଆଇନଜୀବୀ ତାରିଣୀ ପାଣିଗ୍ରାହୀଙ୍କୁ ଦେଖାଇ କାଉନସିଲରମାନେ ଭୋଟ ବାକ୍ସରେ ପକାଇଥିଲେ। ପୌରପାଳିକାର ସମସ୍ତ କାଉନସିଲର ଭୋଟ ଦାନ ଶେଷ ହେବା ପରେ ଗଣତି ହୋଇଥିଲା। ସେଥିରେ ଦେବଶ୍ରୀ ୧୩ ଖଣ୍ଡ ଭୋଟ ପାଇଥିବା ବେଳେ ସୁନୀତା ୧୫ ଖଣ୍ଡ ଭୋଟ ପାଇ ବିଜୟୀ ହୋଇଥିଲେ। ଗଣତି ଶେଷ ପରେ ଉପଜିଲ୍ଲାପାଳ ବିଧିବଧ ଭାବେ ପୌର ଉପାଧ୍ୟକ୍ଷାଙ୍କ ନାମ ଘୋଷଣା କରିଥିଲେ। ଭୋଟଗ୍ରହଣ ସମୟରେ ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ସିଦ୍ଧାର୍ଥ ପଟ୍ଟନାୟକ, ଅତିରିକ୍ତ ତହସିଲଦାର ଅଶ୍ବିନୀ କୁମାର ମହାପାତ୍ରଙ୍କ ସମେତ ପୌର କର୍ମଚାରୀମାନେ ଉପସ୍ଥିତ ଥିଲେ।