ବି.ଟେକ୍‌ ନାମଲେଖା: ୧୦ ହଜାର ସିଟ୍‌ ଆଲଟ୍‌ମେଣ୍ଟ

୧୨ ସୁଦ୍ଧା ଅନ୍‌ଲାଇନରେ ରିପୋର୍ଟିଂ
୩୧ ସୁଦ୍ଧା କଲେଜରେ ନାମଲେଖା
ସିଟ୍‌ ଖାଲି ପଡ଼ିଲେ କଲେଜସ୍ତରରେ ନାମଲେଖା

ଭୁବନେଶ୍ବର : ବି.ଟେକ୍‌ ସମେତ ବି.ଆର୍କିଟେକ୍‌, ବି. ପ୍ଲାନ୍‌, ବି. କାଟ୍‌, ଇଣ୍ଟି‌ଗ୍ରେଟେଡ୍‌ ଏମ୍‌ଏସ୍‌ସି ଆଦି ପାଠ୍ୟକ୍ରମ ପାଇଁ ଆଜି ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି। ବି.ଟେକ୍‌ ପାଇଁ ମୋଟ ୧୧ ହଜାର ୭୦୦ ଛାତ୍ରଛାତ୍ରୀ ଚଏସ୍‌ ଲକିଂ କରିଥିଲେ। ସେମାନଙ୍କ ମଧ୍ୟରୁ ପ୍ରାୟ ୧୦ ହଜାର ୨୦୦ ଛାତ୍ରଛାତ୍ରୀଙ୍କୁ ସିଟ୍‌ ଆଲଟ୍‌ମେଣ୍ଟ ହୋଇଛି। ନଭେମ୍ବର ୯ ତାରିଖରେ ସିଟ୍‌ ଆଲଟ୍‌ ହେବାକୁ ଥିବା ବେଳେ ଏଥିରେ ଗୋଟିଏ ଦିନ ବିଳମ୍ବ‌ ହୋଇଛି। ଯୋଗ୍ୟ ଛାତ୍ରଛାତ୍ରୀ ୧୨ ତାରିଖ ପର୍ଯ୍ୟନ୍ତ ଅନ୍‌ଲାଇନ୍‌ ରିପୋର୍ଟିଂ କରିପାରିବେ। ପ୍ରାର୍ଥୀ ଚାହିଁଲେ ୧୩ ତାରିଖ ଅପରାହ୍ନ ୫ଟା ସୁଦ୍ଧା ସିଟ୍‌ ଆଲୋକେସନ ପ୍ରକ୍ରିୟାରୁ ଓହରି ଯାଇପାରିବେ।

ଅନ୍ୟପକ୍ଷରେ ବି.ଟେକ୍‌ ପାଠ୍ୟକ୍ରମ ଲାଗି ଅନୁଷ୍ଠିତ ହୋଇଥିବା ସ୍ବତନ୍ତ୍ର ଓଜେଇଇ ରୢାଙ୍କଧାରୀଙ୍କ ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଆଗ୍ରହୀ ରୢାଙ୍କଧାରୀ ଛାତ୍ରଛାତ୍ରୀ ୧୫ ତାରିଖ ରାତି ୧୦ଟା ସୁଦ୍ଧା ଚଏସ୍‌ ଫିଲିଂ, ଚଏସ୍‌ ଲକିଂ କରିପାରିବେ। ପ୍ରଥମ ପର୍ଯ୍ୟାୟରେ ନାମ ପଞ୍ଜୀକରଣ କରି ନ ଥିବା ଜେଇଇ ମେନ୍‌ ରୢାଙ୍କଧାରୀଙ୍କୁ ବି ପୁଣିଥରେ ସୁଯୋଗ ଦିଆଯାଇଛି। ସେମାନେ ବି ଏହି ନାମଲେଖା ପ୍ରକ୍ରିୟାରେ ସାମିଲ ହୋଇପାରି‌ବେ। ନଭେମ୍ବର ୧୮ ଅପରାହ୍ନ ୫ଟାରେ ଦ୍ବିତୀୟ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ ହେବ। ୧୮ରୁ ୨୦ ତାରିଖ ଯାଏ ଅନ୍‌ଲାଇନ୍‌ ରିପୋର୍ଟିଂ ଏବଂ ୨୧ ତାରିଖ ସୁଦ୍ଧା ପ୍ରକ୍ରିୟାରୁ ଓହରି ପାରିବେ। ୨୫ ତାରିଖରେ ଚୂଡ଼ାନ୍ତ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟ କରାଯିବ ଏବଂ ୨୫ ଓ ୨୬ ତାରିଖରେ ଅନ୍‌ଲାଇନ୍‌ରେ ରିପୋର୍ଟିଂ କରିବେ। ଏହାପରେ ବି ଯଦି ସିଟ୍‌ ଖାଲି ପଡ଼ିବ ତେବେ କଲେଜସ୍ତରରେ ନାମଲେଖା ପାଇଁ ଓଜେଇଇ ପକ୍ଷରୁ ଅନୁମତି ପ୍ରଦାନ କରାଯିବ। ‌କେବେଠାରୁ ଏହି ପ୍ରକ୍ରିୟା ଆରମ୍ଭ ହେବ ସେନେଇ ସରକାରଙ୍କ ପକ୍ଷରୁ ପରବର୍ତୀ ସମୟରେ ସୂଚନା ଦିଆଯିବ। ଆଂଶିକ ଫି’ ଦେଇ ନାମଲେଖାଇଥିବା ଛାତ୍ରଛାତ୍ରୀ ନଭେମ୍ବର ୩୦ ତାରିଖ ସୁଦ୍ଧା ସମ୍ପୃକ୍ତ କଲେଜ ତଥା ଶିକ୍ଷାନୁଷ୍ଠାନରେ ନାମଲେଖା ବାଧ୍ୟତାମୂଳକ। ନ ହେଲେ ସେମାନଙ୍କ ସିଟ୍‌ ଆଲଟ୍‌ମେଣ୍ଟ ବାତିଲ୍‌ ହେବା ସହ କଲେଜସ୍ତରରେ ଉକ୍ତ ଖାଲି ସିଟ୍‌କୁ ପୂରଣ କରାଯିବ।

ପ୍ରଥମ ପର୍ଯ୍ୟାୟ ସିଟ୍‌ ଆଲଟ୍‌ମେଣ୍ଟରେ ସରକାରୀ କଲେଜ ପ୍ରତି ଛାତ୍ରଛାତ୍ରୀଙ୍କ ଆଗ୍ରହ ରହିଥିବା ଦେଖିବାକୁ ମିଳିଛି। ସରକାରୀ କଲେଜ ପ୍ରାୟ ୪ ହଜାର ସିଟ୍‌ ମଧ୍ୟରୁ ୩୫୦୦ ସିଟ୍‌ ଛାତ୍ରଛାତ୍ରୀଙ୍କୁ ଆଲଟ କରାଯାଇଛି। ପ୍ରମୁଖ ଘରୋଇ କଲେଜର ପ୍ରାୟ ୬ ହଜାର ସିଟ୍‌ରେ ନାମଲେଖା ପାଇଁ ଛାତ୍ରଛାତ୍ରୀଙ୍କୁ ଅନୁମତି ଦିଆଯାଇଛି। ଏହାପରେ ବି ପ୍ରାୟ ୨୨ ହଜାର ବି.ଟେକ୍‌ ସିଟ ଖାଲି ପଡ଼ିଛି। ସେଗୁଡ଼ିକ ପୂରଣ ହେବା ନେଇ ଏବେ ଆଶଙ୍କା ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର