ବି.ଟେକ୍‌ ପାଇଁ ଅନିଚ୍ଛା, ଏଥର ବି ନାମ ଲେଖାଇବାକୁ ଆଗ୍ରହ ଦେଖାଇଲେନି ପିଲା

ଓଜେଇଇ କାଉନସେଲିଂରେ ୮୮୦୦ ପୂରଣ, ୩୦ ହଜାର ସିଟ୍‌ ଖାଲି, ୨୧ ତାରିଖ ଯାଏ ଶିକ୍ଷାନୁଷ୍ଠାନସ୍ତରୀୟ ନାମଲେଖା
ଭୁବ‌ନେଶ୍ବର: ବୈଷୟିକ ପାଠ୍ୟକ୍ରମରେ ଉଚ୍ଚଶିକ୍ଷା କରିବାକୁ ଚାହୁଥିବା ଛାତ୍ରଛାତ୍ରୀ କୋଭିଡ୍‌-୧୯ ସଂକ୍ରମଣ ଲାଗି ଓଡ଼ିଶା ବାହାରକୁ ଯିବେ ନାହିଁ। ବରଂ ଓଡ଼ିଶାରେ ରହି ପଢ଼ିବାକୁ ଆଗ୍ରହ ଦେଖାଇବେ। ଫଳରେ ବି.ଟେକ୍‌ ସମେତ ବି.ଫାର୍ମା, ଏମ୍‌ବିଏ, ଏମ୍‌ସିଏ ପରି ପାଠ୍ୟକ୍ରମ ଲାଗି ରାଜ୍ୟରେ ଥିବା ଶିକ୍ଷାନୁଷ୍ଠାନଗୁଡ଼ିକର ସିଟ୍‌ ପୂରଣ ହେବ ବୋଲି ଆଶା କରାଯାଉଥିଲା। ‌ତେବେ ତାହା ଏବେ ପାଣିଫୋଟକା ପରି ମିଳାଇ ଯାଇଛି। ପ୍ରତିବର୍ଷ ପରି ଏଥର ବି ବି.ଟେକ୍‌ ପାଠ୍ୟକ୍ରମରୁ ଛାତ୍ରଛାତ୍ରୀ ମୁହଁ ମୋଡ଼ିଛନ୍ତି। ସମ୍ପୂର୍ଣ୍ଣ ସିଟ୍‌ ପୂରଣ ହେବା ଦୂରର କଥା, ଏପର୍ଯ୍ୟନ୍ତ ୩୦ ପ୍ରତିଶତ ସିଟ୍‌ ବି ପୂରଣ ହୋଇନି।

ବି.ଟେକ୍‌ ପାଠ୍ୟକ୍ରମ ଲାଗି ରାଜ୍ୟର ସରକାରୀ ଓ ବେସରକାରୀ କଲେଜରେ ମୋଟ ୩୮ ହଜାର ୮୦୦ ଇଞ୍ଜିନିୟରିଂ ସିଟ୍‌ ରହିଛି। ଏଥିରେ ନାମଲେଖା ଲାଗି ଓଜେଇଇ ପକ୍ଷରୁ କାଉନସେଲିଂ ହୋଇଥିଲା। ପ୍ରତିଥର ଏକାଧିକଥର କାଉନସେଲିଂ ପ୍ରକ୍ରିୟା କରାଯାଉଥିବା ବେଳେ ଏଥର କରୋନା ଲାଗି ଓଜେଇଇ ଗୋଟିଏ ପର୍ଯ୍ୟାୟ ହିଁ କାଉନସେଲିଂ କରିଥିଲା। ଏହି ପର୍ଯ୍ୟାୟରେ ମାତ୍ର ୮ ହଜାର ୮୦୦ ଜଣ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ସରକାରୀ କଲେଜରେ ଥିବା ପ୍ରାୟ ୪୦୦୦ ସିଟ୍‌ ମଧ୍ୟରୁ ୩୮୦୦ ପୂରଣ ହୋଇଥିବା ବେଳେ ଘରୋଇ ଇଞ୍ଜିନିୟରିଂ କଲେଜଗୁଡ଼ିକରେ ୯୦% ସିଟ୍‌ ଖାଲି ରହିଥିଲା। ଘରୋଇ ଇଞ୍ଜିନିୟରିଂ କଲେଜର ମୋଟ ୨୯ ହଜାର ୬୦୦ ସିଟ୍‌ ମଧ୍ୟରୁ ମାତ୍ର ୪ ହଜାର ସିଟ୍‌ ପୂରଣ ହୋଇଥିଲା। ମୁଖ୍ୟତଃ ଜେଇଇ ମେନ୍‌ ରୢାଙ୍କଧାରୀ ଛାତ୍ରଛାତ୍ରୀ ହିଁ ରାଜ୍ୟର ବିଭିନ୍ନ କଲେଜରେ ନାମ ଲେଖାଇଛନ୍ତି। ଓଜେଇଇ ପରୀକ୍ଷାରେ ଅଂଶଗ୍ରହଣ କରିଥିବା ବହୁ କମ୍‌ ସଂଖ୍ୟାରେ ଛାତ୍ରଛାତ୍ରୀ ନାମ ଲେଖାଇଥିଲେ। ୨୦୧୯ରେ ୨୧ ହଜାର ୫୦୦ ଇଞ୍ଜିନିୟରିଂ ସିଟ୍‌ ଖାଲିଥିବା ବେଳେ ୨୦୧୮ରେ ୨୮ ହଜାର, ୨୦୧୭ରେ ୩୦ ହଜାରରୁ ଅଧିକ ସିଟ୍‌ ଫାଙ୍କା ପଡ଼ିଥିଲା।

ଏଥର ଓଜେଇଇ କାଉନସେଲିଂ ଶେଷ ହେବା ପରେ ବଳକା ସିଟ୍‌ଗୁଡ଼ିକ ପାଇଁ ଶିକ୍ଷାନୁଷ୍ଠାନସ୍ତରରେ ନାମଲେଖା ଲାଗି ଅନୁମତି ଦିଆଯାଇଛି। ସ୍ବଚ୍ଛତାର ସହ ମେଧାବୀ ଛାତ୍ରଛାତ୍ରୀଙ୍କ ନାମଲେଖା ଲାଗି କୁହାଯାଇଛି। ଓଜେଇଇ କାଉନସେଲିଂରେ ଭାଗ ନେଇ ନଥିବା ଛାତ୍ରଛାତ୍ରୀ, ସିଟ୍‌ ପାଇ ନ ଥିବା ଛାତ୍ରଛାତ୍ରୀ, ଚୂଡ଼ାନ୍ତ ଆଲଟ୍‌ମେଣ୍ଟ ‌ଚିଠି ପାଇବା ପରେ ମଧ୍ୟ ଶିକ୍ଷାନୁଷ୍ଠାନରେ ରିପୋର୍ଟ କରି ନ ଥିବା ଛାତ୍ରଛାତ୍ରୀ ଶିକ୍ଷାନୁଷ୍ଠାନସ୍ତରୀୟ ନାମଲେଖାରେ ଭାଗ ନେଇପାରିବେ। ଏମିତିକି ଶିକ୍ଷାନୁଷ୍ଠାନଗୁଡ଼ିକ ଚାହିଲେ ମୋଟ ଅନୁମୋଦିତ ସିଟ୍‌ର ୩୦% ସିଟ୍‌ରେ ବାହାର ରାଜ୍ୟର ଛାତ୍ରଛାତ୍ରୀଙ୍କ ନାମ ଲେଖାଇପାରିବେ। ଜେଇଇ ମେନ୍‌, ଓଜେଇଇ, ଗେଟ୍‌, ଜିପାଟ, କ୍ୟାଟ, ମ୍ୟାଟ, ସାଟ୍‌, ଏଟିଏମ୍‌ଏ, ସିଏମ୍‌ଏଟି, ଏନ୍‌ଆଇଏମ୍‌ସିଇଟି, ଏନ୍‌ଏଟିଏ ଆଦି ରୢାଙ୍କଧାରୀ ଛାତ୍ରଛାତ୍ରୀ ଏହି କାଉନସେଲିଂରେ ଅଂଶଗ୍ରହଣ କରିପାରିବେ। ଡିସେମ୍ବର ୨୧ ପୂର୍ବରୁ ଶିକ୍ଷାନୁଷ୍ଠାନସ୍ତରୀୟ ନାମଲେଖା ଶେଷ କରି ସିଟ୍‌ ସମ୍ପର୍କରେ ଓଜଇଇ କର୍ତୃପକ୍ଷଙ୍କୁ ସୂଚନା ଦେବାକୁ କୁହାଯାଇଥିଲା। ‌ତେବେ ଆଜି ପର୍ଯ୍ୟନ୍ତ କୌଣସି ଗୋଟିଏ ବି ଶିକ୍ଷାନୁଷ୍ଠାନ ବି.ଟେକ୍‌ ସିଟ୍‌ ପୂରଣ ସମ୍ପର୍କରେ ଓଜେଇଇ କର୍ତୃପକ୍ଷଙ୍କୁ ସୂଚନା ଦେଇ ନାହାନ୍ତି।

ଅନ୍ୟପକ୍ଷରେ ଡିସେମ୍ବର ୩୧ ଯାଏ ଛାତ୍ରଛାତ୍ରୀଙ୍କ ନାମଲେଖା କରାଇବା ଲାଗି ଏଆଇସିଟିଇ ବିଜ୍ଞପ୍ତି ଜାରି କରିଛି। ତେଣୁ ଶିକ୍ଷାନୁଷ୍ଠାନସ୍ତରୀୟ ନାମଲେଖା ଅବଧି ଡିସେମ୍ବର ୨୧ ବଦଳରେ ଡିସେମ୍ବର ୩୧ ପର୍ଯ୍ୟନ୍ତ ବୃଦ୍ଧି କରିବା ଲାଗି ଓଡ଼ିଶା ଘରୋଇ ଇଞ୍ଜିନିୟରିଂ କଲେଜ ସଂଘ(ଓପେକା) ଦାବି କରିଛି। ଓପେକା ସମ୍ପାଦକ ବିନୋଦ ଦାଶ କହିଛନ୍ତି ଯେ ଶିକ୍ଷାନୁଷ୍ଠାନସ୍ତରରେ ନାମଲେଖା ଜାରି ରହିଛି। ତେଣୁ ଏଥର ବି ଭଲ ନାମଲେଖା ହେବ। ଯେଉଁ ୩୦ ହଜାର ସିଟ୍‌ ଖାଲି ରହିଛି, ସେଗୁଡ଼ିକ ମଧ୍ୟରୁ ପ୍ରାୟ ୧୦ ହଜାର ପୂରଣ ହେବାର ସମ୍ଭାବନା ରହିଛି। ଏଥିସହ ଏବର୍ଷ କମ୍ପ୍ୟୁଟର୍‌ ବେସଡ୍‌ ପାଠ୍ୟକ୍ରମ ଖୋଲିବାକୁ ଏଆଇସିଟିଇ ଅନୁମତି ଦେଇଥିବାରୁ ଅଧିକ ପିଲା ନାମ ଲେଖାଇବେ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର