ଭୁବନେଶ୍ବରରେ ପୁଣି ଜଣେ ଯୁବତୀଙ୍କ ଆତ୍ମହତ୍ୟା; ବେକରେ ଓଢ଼ଣି ଦେଇ ଝୁଲିପଡ଼ିଲେ ବିଟେକ୍‌ ଛାତ୍ରୀ

ଭୁବନେଶ୍ବର: ଦିନକୁ ଦିନ ରାଜଧାନୀ ଭୁବନେଶ୍ବରରେ ଆତ୍ମହତ୍ୟା ଘଟଣା ବଢ଼ିବାରେ ଲାଗିଛି। ଆଜି ଚନ୍ଦ୍ରଶେଖରପୁରରେ ଜଣେ ବିଟେକ ଛାତ୍ରୀ  ଓଢ଼ଣିରେ ଫାଶୀ ଦେଇ ଆତ୍ମହତ୍ୟା କରିଛନ୍ତି। ପୁଲିସ ମୃତଦେହ ଉଦ୍ଧାର କରିଛି। ମୃତ ଛାତ୍ରୀ ହେଲେ ଆର୍ ଏନ୍ ନିୟତି ନାୟକ (୨୪)।

ସୂଚନା ଅନୁସାରେ ଚନ୍ଦ୍ରଶେଖରପୁର ଥାନା ରେଲୱେ କଲୋନିରେ ଥିବା ଏକ ଘର ଭିତରୁ ପୁଲିସ ଜଣେ ବିଟେକ୍‌ ଛାତ୍ରୀ ନିୟତି ନାୟକଙ୍କ ମୃତଦେହ ଉଦ୍ଧାର କରିଛି। ପୁଲିସ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇ ଥିବା ବେଳେ ଘଟଣାର ତଦନ୍ତ ଆରମ୍ଭ କରିଦେଇଛି। ଆସନ୍ତାକାଲି ପୋଷ୍ଟମର୍ଟମ ହେବ। ତେବେ ପୁଲିସର ପ୍ରାଥମିକ ଆକଳନ ଅନୁସାରେ ପାରିବାରିକ କଳହ ଯୋଗୁ ଛାତ୍ରୀ ଜଣକ ଆତ୍ମହତ୍ୟା କରିଥିବା ସୂଚନା ମଳିଛି। ନିୟତି ନାୟକଙ୍କ ବାପା ସିଗ୍ନାଲ ସେକ୍ସନ ଇଞ୍ଜିନିୟର ଭାବେ କାର୍ଯ୍ୟ କରନ୍ତି ଓ ମା ଜଣେ ଡାକ୍ତର । ସେ ସମ୍ବଲପୁରରେ ବିଟେକ ପାସ କରିଥିଲେ।

ସୂଚନାଯୋଗ୍ୟ  ଗତ ୫ ତାରିଖରେ ଏୟାରଫିଲ୍ଡ ଥାନା ଅଞ୍ଚଳରେ  ନର୍ସିଂ ଛାତ୍ରୀ କୁନି କୁଅଁର ଆତ୍ମହତ୍ୟା କରିଥିଲେ। ଏହା ପୂର୍ବରୁ ଶାସ୍ତ୍ରୀନଗରରେ ଶୁଭଶ୍ରୀ ମହାପାତ୍ର ନାଁରେ ଜଣେ ମହିଳା ଆତ୍ମହତ୍ୟା କରିଥିଲେ। ଗତ ଅଗଷ୍ଟ ମାସରେ ସଫ୍ଟୱେର ଇଂଜିନିୟର ଶ୍ବେତା ଉତ୍କଳ କୁମାରୀଙ୍କ ଆତ୍ମହତ୍ୟା ଘଟଣାକୁ ନେଇ ପୂରା ରାଜ୍ୟରେ ଚର୍ଚ୍ଚା ହୋଇଥିଲା। ସେହିପରି କିଛି ଦିନ ପୂର୍ବରୁ ମଞ୍ଚେଶ୍ବର ଥାନା ଅଞ୍ଚଳରେ ଜଣେ ଯୁବତୀ ଆତ୍ମହତ୍ୟା କରିଥିଲେ। ଗତ ଜୁଲାଇ ମାସରେ ବିଜେବି କଲେଜରେ ଛାତ୍ରୀ ରୁଚିକା ମହାନ୍ତି ଆତ୍ମହତ୍ୟା କରିଥିଲେ।

ସମ୍ବନ୍ଧିତ ଖବର