କଟକ : ସନ୍ତାନ ହେଉ ନଥିବା ଦମ୍ପତିଙ୍କ ସନ୍ତାନ କରାଇ ଦେବାର ପ୍ରତିଶ୍ରୁତି ଦେଇ ପ୍ରାୟ ୪ ଲକ୍ଷ ଟଙ୍କା ଠକି ନେଇଥିବା ଜଣେ ବ୍ୟକ୍ତିକୁ ବାଦାମବାଡି ଥାନା ପୁଲିସ ଗିରଫ କରିଛି। ତାକୁ ଜେରା ବେଳେ ତାର ଅନେକ କାରନାମା ସାମନାକୁ ଆସିଛି। ନିଜ ରକ୍ତରେ ମଣିଷ ଖପୁରୀକୁ ପୂଜା କରିବା, କାଠଗୁଣ୍ଡକୁ ଆୟୁର୍ବେଦିକ ଔଷଧ କହି ଖାଇବାକୁ ଦେବା ଭଳି ଘଟଣା ଚର୍ଚ୍ଚାର ପ୍ରସଙ୍ଗ ହୋଇଛି। ଏଭଳି କରି ସେ ଦମ୍ପତିଙ୍କ ଠାରୁ ୩ଲକ୍ଷ ୯୦ ହଜାର ଟଙ୍କା ଠକି ନେଇଛି। ଗିରଫ ଅଭିଯୁକ୍ତ ହେଉଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ କ୍ଷେତ୍ରପାଳର ସିଦ୍ଧେଶ୍ବର ସାମନ୍ତରାୟ(୩୫)। ସିଦ୍ଧେଶ୍ବର ନିକଟରୁ ପିତ୍ତଳର ଏକ ଶିଶୁ କନ୍ୟାର ମୂର୍ତ୍ତି ଜବତ ହୋଇଛି। ଏଭଳି କେଳେଙ୍କାରୀରେ ଏହି ଠକ ସହିତ ଆଉ ଜଣେ ଯୁବତୀ ବି ଅଛନ୍ତି। ପୁଲିସ ସେହି ଯୁବତୀଙ୍କୁ ଖୋଜୁଛି।
ସୂଚନା ଅନୁଯାୟୀ, ବାଦାମବାଡ଼ି ଥାନା ଅନ୍ତର୍ଗତ ଝାଞ୍ଜିରୀମଙ୍ଗଳା ଲୁଣିଆ ସାହିର ସଂଗ୍ରାମ ଦାସଙ୍କ ପତ୍ନୀ ଶୁଭଶ୍ରୀ ଶୁଭସ୍ମିତା ନାୟକଙ୍କ ସନ୍ତାନ ନ ହେବାରୁ ପ୍ରଥମେ ଡାକ୍ତରୀ ପରାମର୍ଶ ନେଇଥିଲେ। ପରେ ଜଣେ ବନ୍ଧୁଙ୍କ ମାଧ୍ୟମରେ ଏହି ସିଦ୍ଧେଶ୍ବରର ଯୋଗାଯୋଗରେ ଆସିଥିଲେ। ୨୦୨୨ ଜାନୁଆରି ୨୧ ତାରିଖଠାରୁ ସିଦ୍ଧେଶ୍ବର ବର୍ତ୍ତମାନ ସୁଦ୍ଧା ୭ଟି ତନ୍ତ୍ର ପୂଜା କରିସାରିଲାଣି। ଶୁଭଶ୍ରୀଙ୍କ ବାପ ଘର ଗାଁ ଭଦ୍ରକ ଜିଲ୍ଲା ଆରଡ଼ିରେ ତନ୍ତ୍ରପୂଜା କରିଥିଲେ। ସେଠାରେ ଏକ ମାଟିର ମୂର୍ତ୍ତି ନିର୍ମାଣ କରି ପୂଜା କରିଥିଲେ। ଏହାସହିତ ଏକ ମଣିଷ ଖପୁରୀ ରଖି ନିଜ ହାତକୁ ଧାରୁଆ ଅସ୍ତ୍ରରେ କାଟି ସିଦ୍ଧେଶ୍ବର ସେହି ରକ୍ତରେ ପୂଜା କରିଥିଲା। ତା ରକ୍ତକୁ ଖପୁରୀ ଉପରେ ଢାଳି ପୂଜା କରୁଥିଲା। ବିଭିନ୍ନ କାଠରେ ପ୍ରସ୍ତୁତ ଗୁଣ୍ଡକୁ ଆୟୁର୍ବେଦିକ୍ ଔଷଧ କହି ଏହି ଦମ୍ପତିଙ୍କୁ ଗଲା ଏକ ବର୍ଷ ହେବ ଖାଇବାକୁ ଦେଉଥିଲା। ଏହାକୁ ଖାଇବା ଦ୍ବାରା ଉଭୟଙ୍କ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଖରାପ ହେଉଥିଲା।
ସଂଗ୍ରାମଙ୍କ ଅଭିଯୋଗ ଅନୁଯାୟୀ, ସିଦ୍ଧେଶ୍ବର ନିଜକୁ ସିଦ୍ଧ ପୁରୁଷ କହୁଥିବା ବେଳେ ହିମାଚଳପ୍ରଦେଶରେ ୯ ବର୍ଷ ସାଧନା କରିଥିବା କହୁଥିଲା। ବାଲେଶ୍ବର ଜିଲ୍ଲା ସୋର, କେନ୍ଦୁଝର, ହିମାଚଳ ପ୍ରଦେଶରେ ତାର ଏକାଧିକ ଆଶ୍ରମ ଥିବା ମଧ୍ୟ କହିଥିଲା। କେବଳ ବନ୍ଧ୍ୟା ଦୋଷ ନୁହେଁ, ସବୁ ପ୍ରକାର ରୋଗର ଚିକିତ୍ସା କରିବାକୁ ପ୍ରଚାର କରୁଥିଲା ସିଦ୍ଧେଶ୍ବର। ଔଷଧ ଓ ତନ୍ତ୍ର ପୂଜା ଦ୍ବାରା ସନ୍ତାନ ନହେବାରୁ ତାଙ୍କର ସନ୍ଦେହ ବଢିଥିଲା। କିନ୍ତୁ ସିଦ୍ଧେଶ୍ବର ବାରମ୍ବାର ତନ୍ତ୍ରପୂଜା ଆଳରେ ଟଙ୍କା ମାଗୁଥିଲା। ଟଙ୍କା ନଦେବାରୁ ଶାଶୂ ଶ୍ବଶୁରଙ୍କୁ ତନ୍ତ୍ର ବଳରେ ଅନିଷ୍ଟ କରିବାର ଧମକ ବି ଦେଇଥିଲା। ଏଭଳି ଘଟଣାରେ ଅତିଷ୍ଠ ହୋଇ ସଂଗ୍ରାମ ଗଲାକାଲି ବାଦାମବାଡ଼ି ଥାନାରେ ଏତଲା ଦେଇଥିଲେ।
ପୁଲିସ ଆଜି ଏହି ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି। ଗିରଫ ସିଦ୍ଧେଶ୍ବରର ଶିକ୍ଷାଗତ ଯୋଗ୍ୟତା ମାଟ୍ରିକ୍ ପାସ୍ ହୋଇଥିବା ବେଳେ ନକଲି ଦାଢ଼ି ଲଗାଇ ସେ ବାବା ବେଶରେ ଲୋକଙ୍କୁ ଠକି ଆସୁଥିଲା। ତେବେ ଏହି ବାବାକୁ ସହଯୋଗ କରୁଥିବା ମାତାକୁ ବି ପୁଲିସ ଖୋଜୁଛି। ସେ ଏହି ତାନ୍ତ୍ରିକ କାରବାରରେ ସହଯୋଗ କରି ଆସୁଥିଲା। ମାତାର ମୋବାଇଲ୍ ସୁଇଚ୍ ଅଫ୍ ଥିବାରୁ ଠିକଣା ଠାବ କରିବା ସମ୍ଭବପର ହେଉନଥିବା ପୁଲିସ ପକ୍ଷରୁ କୁହାଯାଇଛି। ପୂର୍ବରୁ ସିଦ୍ଧେଶ୍ବର ଚନ୍ଦ୍ରଶେଖରପୁର ଅଞ୍ଚଳର ଜଣେ ଡାକ୍ତର ସିଦ୍ଧାର୍ଥ ପଟ୍ଟନାୟକଙ୍କୁ ଖଣ୍ଡଗିରି ନିକଟରେ ଜମି ଯୋଗାଇବାକୁ କହି ୫ ଲକ୍ଷ ଟଙ୍କା ଠକି ନେଇଥିଲା। ଡାକ୍ତର ପଟ୍ଟନାୟକ ଏ ସଂକ୍ରାନ୍ତରେ ଭୁବନେଶ୍ବର ଚନ୍ଦ୍ରଶେଖରପୁର ଥାନାରେ ୨୦୨୨ ଅକ୍ଟୋବର ୧୨ ତାରିଖରେ ଏକ ଅଭିଯୋଗ କରିଥିଲେ। ପୁଲିସ ଏକ ଠକେଇ ମାମଲା ଦଫା ୪୨୦, ୨୯୪, ୪୦୫ରେ ରୁଜୁ କରିଥିବା ଜଣା ପଡିଛି।