ଶ୍ରାବଣ ପୂର୍ଣ୍ଣିମାରେ ବାବା ଚନ୍ଦନେଶ୍ବରଙ୍କ ପୀଠ ଚଳଚଞ୍ଚଳ, ଲକ୍ଷାଧିକ କାଉଡ଼ିଆ କଲେ ଜଳାଭିଷେକ

ଭୋଗରାଇ/ଜଳେଶ୍ବର/ଚନ୍ଦନେଶ୍ୱର: ଆଜି ପବିତ୍ର ଶ୍ରାବଣ ପୂର୍ଣ୍ଣିମା ଉପଲକ୍ଷେ ପ୍ରସିଦ୍ଧ ବାବା ଚନ୍ଦନେଶ୍ୱରଙ୍କ ପୀଠରେ ଲକ୍ଷାଧିକ କାଉଡ଼ିଆଙ୍କ ସମାଗମ ହୋଇଥିବା ଜଣାପଡ଼ିଛି। ଝିପିଝିପି ବର୍ଷାକୁ ଖାତର ନକରି ଭକ୍ତମାନେ ବ୍ୟାରିକେଡ୍‌ରେ ଲାଇନ୍‌ ହୋଇ ବାବା ଚନ୍ଦନେଶ୍ୱରଙ୍କ ଜଳାଭିଷେକ କରିଛନ୍ତି। ଏହି ସମୟରେ ବୋଲ୍‌ବୋମ୍‌ ଧ୍ବନିରେ ସ୍ଥାନୀୟ ଅଞ୍ଚଳ ପ୍ରକମ୍ପିତ ହୋଇଥିଲା ଏବଂ ଏକ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥିଲା। ବିଶ୍ୱାସ ରହିଛି ଯେ ଶ୍ରାବଣ ପୂର୍ଣ୍ଣିମାରେ ବାବା ଚନ୍ଦନେଶ୍ୱର ମହାଦେବଙ୍କୁ ଜଳାଭିଷେକ କଲେ ଭକ୍ତମାନଙ୍କର ମନସ୍କାମନା ପୂରଣ ହୋଇଥାଏ। ସେଥିପାଇଁ ପଡ଼ୋଶୀ ପଶ୍ଚିମବଙ୍ଗ, ଝାଡ଼ଖଣ୍ଡ, ବିହାର, ଛତିଶଗଡ଼ ସହ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶ୍ରଦ୍ଧାଳୁମାନେ ଜଳାଭିଷେକ କରିବା ପାଇଁ ବାବାଙ୍କ ପାଖକୁ ଛୁଟିଆସନ୍ତି।

ଭକ୍ତମାନେ ଗତକାଲି ସନ୍ଧ୍ୟାରୁ ଜଳଲାଗି ପାଇଁ ଅପେକ୍ଷା କରିଥିବା ବେଳେ ମନ୍ଦିର ପ୍ରଶାସନ ପକ୍ଷରୁ ରାତି ୯ଟାରେ ମନ୍ଦିରର ସିଂହଦ୍ବାର ଖୋଲାଯାଇଥିଲା। ଏହାପରେ ଭକ୍ତମାନେ ଜଳାଭିଷେକ କରିଥିଲେ। ଲକ୍ଷାଧିକ କାଉଡ଼ିଆ ଭକ୍ତଙ୍କ ସମାଗମକୁ ଆଖି ଆଗରେ ରଖି ମନ୍ଦିର ପ୍ରଶାସନ ପକ୍ଷରୁ ମନ୍ଦିର ଭିତରେ ଏବଂ ଚନ୍ଦନେଶ୍ବର ବଜାରର ବିଭିନ୍ନ ସ୍ଥାନରେ ୮ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା। ସ୍ୱାସ୍ଥ୍ୟ ବିଭାଗ ତରଫରୁ ମନ୍ଦିର ପରିସରରେ ଏକ ଅସ୍ଥାୟୀ ମେଡିକାଲ୍‌ ଖୋଲାଯାଇ ସେବା ଯୋଗାଯାଇଥିଲା। ସେହିପରି ୧୦ଟି ଅସ୍ଥାୟୀ ଶୌଚାଳୟ ନିର୍ମାଣ ସହ ପିଇବା ପାଣି ଓ ୨୪ ଘଣ୍ଟିଆ ବିଦ୍ୟୁତ୍‌ ଯୋଗାଣ ବ୍ୟବସ୍ଥା ହୋଇଥିଲା। ଅଗ୍ନିଶମ ବିଭାଗ ପକ୍ଷରୁ ମଧ୍ୟ ଏକ ଟିମ୍‌କୁ ନୀଳପୋଖରୀ ନିକଟରେ ନିୟୋଜିତ କରାଯାଇଥିଲା। ମନ୍ଦିର ପ୍ରଶାସନ ତରଫରୁ ମନ୍ଦିରକୁ ରଙ୍ଗୀନ ଆଲୋକମାଳାରେ ସୁସଜ୍ଜିତ କରାଯାଇଥିଲା। ଚନ୍ଦନେଶ୍ୱର ଟ୍ରଷ୍ଟ ବୋର୍ଡର ସଭାପତି ତଥା ଭୋଗରାଇ ବିଧାୟକ ଅନନ୍ତ ଦାସ, ଭୋଗରାଇ ତହସିଲଦାର କମଳାକାନ୍ତ ପଣ୍ଡା, ଜଳେଶ୍ୱର ଏସ୍‌ଡିପିଓ ଅଙ୍କିତା କୁମ୍ଭାର, ତାଳସାରୀ ସାମୁଦ୍ରିକ ଥାନା ଅଧିକାରୀ ସୁଜାତା ମଲ୍ଲିକ, ମୌରସୀ ତପନ କୁମାର ପଣ୍ଡା, ଭୁବନାନନ୍ଦ ଦାସ, ସେବାୟତ ବୁଦ୍ଧଦେବ ପଣ୍ଡା, ଜଳେଶ୍ୱର ଅତିରିକ୍ତ ତହସିଲଦାର ହେମନ୍ତ ନାୟକ ସମସ୍ତ କାର୍ଯ୍ୟ ତଦାରଖ କରିଥିଲେ।

ସମ୍ବନ୍ଧିତ ଖବର