ଜଳେଶ୍ୱର: ସେ ଅଲେଖ ମହିମା ଧର୍ମ ଗ୍ରହଣ କରିଛନ୍ତି। ଏକ ମଠର ପ୍ରତିଷ୍ଠାତା ମଧ୍ୟ। ବୟସର ସାୟାହ୍ନରେ ପହଞ୍ଚିଥିଲେ ବି ତାଙ୍କ ଶରୀର ଓ ମନରେ ବାରି ହୋଇପଡ଼େ ଯୁବ ସୁଲଭତା। ଏହାର କାରଣ କ’ଣ ବୋଲି ପଚାରିବାରୁ ସ୍ମିତହାସ୍ୟରେ ବାବା ରଖିଥିଲେ ସଂକ୍ଷିପ୍ତ ଉତ୍ତର। ସଂଯମତା, ସାତ୍ତ୍ବିକ ଭୋଜନ, ଯୋଗ ଓ ପ୍ରାଣାୟାମ ତାଙ୍କ ନିରାମୟ ଜୀବନର ରହସ୍ୟ ବୋଲି କହିଥିଲେ।
ବାଲେଶ୍ବର ଜିଲ୍ଲା ଜଳେଶ୍ୱର ବ୍ଲକ୍ ଦକ୍ଷିଣ ପ୍ରହାରାଜପୁର ଗାଁରେ ରହିଛି ଏକ ଅଲେଖ ମଠ। ଏହି ମଠର ମହନ୍ତ ହେଉଛନ୍ତି ବାବା ଲମ୍ବୋଦର ଦାସ। କେବଳ ଦକ୍ଷିଣ ପ୍ରହରାଜପୁର ନୁହେଁ, ବାଲିଆପାଳରେ ଥିବା ମଠର ଦାୟିତ୍ଵ ମଧ୍ୟ ତାଙ୍କ କାନ୍ଧରେ। ପ୍ରହରାଜପୁରରେ ମହିମା ଟୁଙ୍ଗି ପ୍ରତିଷ୍ଠା କରି ସେଠାରେ ୭୦ ବର୍ଷ ହେଲା ରହୁଛନ୍ତି। କାଗଜକଲମରେ ତାଙ୍କ ବୟସ ୯୫ ବର୍ଷ। ହେଲେ ପ୍ରକୃତ ବୟସ ୧୨୦ ବର୍ଷ ହେବ ବୋଲି ଶିଷ୍ୟ ଅକ୍ଷୟ ଦାସ ଦାବି କରିଛନ୍ତି। ତେବେ ଏତେ ବୟସ ହୋଇଥିଲେ ସୁଦ୍ଧା ଲମ୍ବୋଦର ବାବାଙ୍କୁ ବାର୍ଦ୍ଧକ୍ୟ ଓ ରୋଗ ଛୁଇଁ ପାରିନାହିଁ। ପରିଣତ ବୟସରେ ବି ସେ ଚଳଚଞ୍ଚଳ ଓ ବେଶ ସକ୍ରିୟ। ଦୀର୍ଘାୟୁ ଓ ସୁସ୍ଥ ଜୀବନ ଅତିବାହିତ କରିବା ପଛରେ ସଂଯମତା, ସାତ୍ତ୍ବିକ ଭୋଜନ ସହ ନିୟମିତ ଯୋଗ, ପ୍ରାଣାୟାମ ବୋଲି କହିଛନ୍ତି ବାବା ଲମ୍ବୋଦର। ପ୍ରତ୍ୟହ ସନ୍ଧ୍ୟା ୭ଟାରେ ବିଛଣାକୁ ଯାଉଥିବା ବେଳେ ରାତି ୨ଟା ୩୦ ମିନିଟ୍ରେ ବିଛଣା ଛାଡ଼ନ୍ତି। ନିତ୍ୟକର୍ମ ସାରି ଯୋଗ ଓ ପ୍ରାଣାୟାମ କରିବା ସହ ଧ୍ୟାନରେ ବସନ୍ତି। ପରେ ଭୋଜନ ସାରି ମଠ କାମ, ଆଧ୍ୟାତ୍ମିକ ପ୍ରବଚନ, ଯଜ୍ଞାଦି କାମରେ ଲାଗିପଡ଼ନ୍ତି।
ଉଲ୍ଲେଖଥାଉକି, ଢେଙ୍କାନାଳ ଯୋରନ୍ଦା ମଠରୁ ଦୀକ୍ଷା ଗ୍ରହଣ କରିବା ପରେ ବାବା ପୁରୀ, କେନ୍ଦୁଝର ହୋଇ ବାଲେଶ୍ୱର ଜିଲ୍ଲାରେ ପହଞ୍ଚିଥିଲେ। ନିଜର କିଛି ଶିଷ୍ୟଙ୍କ ସାନ୍ନିଧ୍ୟ ଓ ଅଲେଖ ମହିମା ଦୀକ୍ଷିତଙ୍କ ସହଯୋଗ ପାଇ ଦକ୍ଷିଣ ପ୍ରହରାଜପୁର ଗାଁ’ରେ ମଠ ପ୍ରତିଷ୍ଠା କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/04/6f9b4941-c28c-4f75-a122-e7ec3d6283d7.jpg)