ମହିମା ଧର୍ମାଧ୍ୟକ୍ଷ ରାଜକି‌େଶାର, ବାବାଙ୍କ ଦେହାନ୍ତ

ଯୋରନ୍ଦା/ମହିମାଗାଦି: ଯୋରନ୍ଦା ମହିମାଗାଦି କୌପୀନଧାରୀ ମହିମା ସମାଜର ଧର୍ମାଧ୍ୟକ୍ଷ ବାବା ରାଜକିଶୋର ଦାସଙ୍କର ୯୭ ବର୍ଷ ବୟସରେ ଆଜି ମଧ୍ୟାହ୍ନ ସାଢ଼େ୧୨ଟାବେଳେ ପରଲୋକ ଘଟିଛି। ସେ ଥିଲେ ସରଳ, ଉଦାର ଓ ଜଣେ ନିର୍ବିବାଦୀୟ ଜନପ୍ରିୟ ସନ୍ନ୍ୟାସୀ। ପ୍ରାୟ ମାସେ ହେଲା ସେ ଅସୁସ୍ଥ ଥିଲେ। ପରଲୋକ ଖବର ପ୍ରଚାରିତ ହେବା ପରେ ଯୋରନ୍ଦା ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶେଷଦର୍ଶନ ପାଇଁ ତାଙ୍କ ମରଶରୀର କୈପୀନଧାରୀ ମହିମା ସମାଜ ସଭାମଣ୍ଡପରେ ରଖାଯାଇଥିଲା। ଅଞ୍ଚଳର ହଜାର ହଜାର ଭକ୍ତ, ଛାତ୍ରଛାତ୍ରୀ, ଶିକ୍ଷକ, ଶିକ୍ଷୟିତ୍ରୀ, ମାନ୍ୟଗଣ୍ୟ ବ୍ୟକ୍ତି ବାବାଙ୍କ ଅନ୍ତିମ ଦର୍ଶନ କରିଥିଲେ। ଅପରାହ୍ଣ ସାଢ଼େ ୪ଟାବେଳେ ଶୋଭାଯାତ୍ରାରେ ବାବାଙ୍କ ମରଶରୀର ଏକ ସୁସଜ୍ଜିତ ଶଗଡ଼ିରେ ଯୋରନ୍ଦା ପାଟଣା, ଯୋରନ୍ଦା, ଯୋରନ୍ଦା ବଜାର, ପଞ୍ଚାୟତ ମାର୍କେଟ, ତାରିଣୀ ବଜାର, ନାଟିମା, ଜାମୁସରା, ଯୋରନ୍ଦା ନୂଆସାହି ପରିକ୍ରମା କରାଯାଇଥିଲା। କୌପୀନଧାରୀ ମହିମା ସମାଜ ଆମ୍ର କାନନ ପରିସର ସମାଧି ମନ୍ଦିର ନିକଟରେ ମହିମା ଧର୍ମର ରୀତିନୀତି ଅନୁଯାୟୀ ବାବାଙ୍କୁ ସମାଧି ଦିଆଯାଇଥିଲା ।

୧୯୨୨ ମସିହାରେ ଢେଙ୍କାନାଳ ଗଡ଼ଜାତ ଅଞ୍ଚଳରେ ଜନ୍ମିତ ବାବା ରାଜକିଶୋର ଥିଲେ ଆଜନ୍ମ ବ୍ରହ୍ମଚାରୀ। ୧୯୫୦ ମସିହାରେ ସେ ମହେନ୍ଦ୍ର ବାବାଙ୍କ ଶିଷ୍ୟତ୍ବ ଗ୍ରହଣ କରିଥିଲେ। ୧୯୬୦ ମସିହାରେ କୋରାପୁଟ ଅଞ୍ଚଳରେ ବୁଲି ମହିମା ଧର୍ମର ପ୍ରଚାର ପ୍ରସାର କରିଥିଲେ। ବାବା ୧୯୬୧ ମସିହାରେ କୌପୀନଧାରୀ ମହିମା ସମାଜର ସଂପାଦକ ଦାୟିତ୍ୱ ତୁଲାଇଥିଲେ। ୧୯୬୨ରୁ ୧୯୮୪ ମସିହା ପର୍ଯ୍ୟନ୍ତ ସେ ସମାଜର ଉପସଭାପତି ଓ କୋଷାଧ୍ୟକ୍ଷ ଦାୟିତ୍ୱ ନିର୍ବାହ କରିଥିଲେ। ଏହି ସମୟ ମଧ୍ୟରେ ବାବା ସଭାମଣ୍ଡପ, ଆସାମ ଧର୍ମଶାଳା,ଦକ୍ଷିଣାଞ୍ଚଳ ଧର୍ମଶାଳା, କୋରାପୁଟ ଧର୍ମଶାଳା, ଭିକ୍ଷାମଣ୍ଡପ ଆଦି ନିର୍ମାଣ କରାଇଥିଲେ। ଯୋରନ୍ଦା ଅଞ୍ଚଳରେ ଶିକ୍ଷାର ପ୍ରସାର ପାଇଁ ସେ ନିରନ୍ତର ଉଦ୍ୟମ କରିଥିଲେ। ବାବା ରାଜକିଶୋର ମହିମା ମହାବିଦ୍ୟାଳୟ ପରିଚାଳନା କମିଟି, ମହିମା ବାଳିକା ବିଦ୍ୟାଳୟ ପରିଚାଳନା କମିଟି, ଯୋରନ୍ଦା ସିଟି ସ୍କୁଲ୍‌ ଓ ରାଜକିଶୋର ବାବା ଇଂରାଜୀ ମାଧ୍ୟମ ସ୍କୁଲ୍‌ର ସଭାପତି ଦାୟିତ୍ୱ ତୁଲାଇଥିଲେ। ୧୯୮୪ରୁ୨୦୧୧ ମସିହା ପର୍ଯ୍ୟନ୍ତ ସେ କୌପୀନଧାରୀ ମହିମା ସମାଜର ସଭାପତି ଦାୟିତ୍ୱ ନିର୍ବାହ କରିବା ସହିତ ଅଞ୍ଚଳର ବିଭିନ୍ନ ଅନୁଷ୍ଠାନ ପରିଚାଳନା ସହିତ ଜଡ଼ିତ ରହିଥିଲେ। ଯୋରନ୍ଦା ‘ସମ୍ବାଦ ସାହିତ୍ୟ ଘର’ ଗଠନରେ ବାବା ସହଯୋଗ କରିଥିଲେ। ସେ ମହିମା ଧର୍ମର ସଂକ୍ଷିପ୍ତ ଇତିହାସ ରଚନା କରିବା ସହ ଜଣେ ଜ୍ୟୋତିଷ ଶାସ୍ତ୍ର ବିଶାରଦ ଭାବେ ଜଣାଶୁଣା।

ସମ୍ବନ୍ଧିତ ଖବର