ସାରଥି ମାମଲା: ଆଉ ତିନି ପ୍ଲଟ୍ ଜବତ କଲା ଇଡି

କେନ୍ଦ୍ରାପଡ଼ା : ଆତ୍ମଘୋଷିତ ବାବା ସନ୍ତୋଷ ରାଉଳ ଓରଫ୍ ସାରଥିଙ୍କ ପରିଚାଳନାଧୀନ ବାରିମୂଳ ଆଶ୍ରମ ଓ ସତ୍ୟମ ଚାରିଟେବୁଲ୍‌ ଟ୍ରଷ୍ଟ୍‌ ସଦସ୍ୟଙ୍କ ନାଁରେ ଥିବା ଆଉ ତିନିଟି ପ୍ଲଟ୍‌କୁ ଜବତ୍ କରିଛି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି)। ଗରାପୁର ‌ମୌଜାରେ ଥିବା ଏହି ପ୍ଲଟ୍‌ଗୁଡ଼ିକୁ ମନି ଲଣ୍ଡରିଂ ଆକ୍ଟ-୨୦୦୨, ସେକସନ୍‌-୮(୪)ରେ ଇଡି ନିଜ ଅକ୍ତିଆରକୁ ନେଇଛି। ଏ ନେଇ ଦୁଇଟି ସୂଚନାଫଳକ ବି ସଂପୃକ୍ତ ଜମି ଉପରେ ଲଗାଯାଇଛି। ଏହାକୁ ମିଶାଇ ସ‌ାରଥି, ତାଙ୍କ ପରିଚାଳନାଧୀନ ଟ୍ରଷ୍ଟ ଏବଂ ବିଭିନ୍ନ ସଦସ୍ୟଙ୍କ ନାଁରେ ମୋଟ୍ ୨୯ଟି ପ୍ଲଟ୍‌କୁ ଇଡି ଜବତ୍ କରିଥିବା ସୂଚନା ମିଳିଛି।

ସୂଚନୁଯାୟୀ, ଯୌନ କେଳେଙ୍କାରୀ ମାମଲା‌ରେ ୨୦୧୫ ଅଗଷ୍ଟ ୮ତାରିଖରେ ଗିରଫ ହୋଇଥିବା ସାରଥି ଗତ ଜୁଲାଇ ୨୫ତାରିଖରେ ଜେଲ୍‌ରୁ ମୁକୁଳି ଥିଲେ। ଏହାର ଦୁଇଦିନ ପରେ ୨୭ ତାରିଖରେ ଇଡିର ସହ-ନିର୍ଦେଶକ ବିଜୟ ମିଶ୍ରଙ୍କ ନେତୃତ୍ବରେ ଏକ ଚାରିଜଣିଆ ଟିମ୍‌ କେନ୍ଦ୍ରାପଡ଼ାରେ ପହଞ୍ଚି ସାରଥି ଆଶ୍ରମରେ ନୋଟିସ୍‌ ଝୁଲାଇଥିଲା। ନୋଟିସ୍‌ରେ କେନ୍ଦ୍ର ସରକାରଙ୍କ ମନି ଲଣ୍ଡରିଂ ଆକ୍ଟ୍‌-୨୦୦୨ ଅନୁଯାୟୀ ଇଡି ସ୍କାନର୍‌ରେ ୨୦୧୭ ସେପ୍ଟେମ୍ବର ୧ତାରିଖରୁ ସାରଥି ଓ ବାରିମୂଳ ଆଶ୍ରମ ସହିତ ଜଡ଼ିତ ସମସ୍ତ ସ୍ଥାବର ଓ ଅସ୍ଥାବର ସଂପତ୍ତି ତାଲିକା ଉଲ୍ଲେଖ ଥିଲା। ତାଲିକାରେ ସତ୍ୟମ ଚାରିଟେବୁଲ ଟ୍ରଷ୍ଟ ନାମରେ ୧୪ଟି, ସନ୍ତୋଷ ରାଉଳ ୨ଟି, ଶ୍ରୀମଦ୍‌ ସାରଥି ୨ଟି, ସତ୍ୟମ ଶେଖର ରାଉଳ ୩ଟି, ପ୍ରବୀଣ ରାଉଳ ୧ଟି, ବିଚିତ୍ରାନନ୍ଦ ଭୂୟାଁଙ୍କ ନାମରେ ୩ଟି ପ୍ଲଟ୍‌କୁ ମିଶାଇ ସମୁଦାୟ ୨୬ଟି ପ୍ଲଟ୍‌ର ମୋଟ ୩ ଏକର ୪୨ଡିସିମିଲ୍‌ କେହି କିଣାବିକା ଅଥବା ଜବରଦଖଲ କରିପାରିବେ ନାହିଁ ବୋଲି ଇଡି ନୋଟିସ୍‌ରେ ଜଣାଇ ଦେଇଥିଲା। ଏହି କ୍ରମରେ ସତ୍ୟମ ଟ୍ରଷ୍ଟ ଓ ବାରିମୂଳ ଆଶ୍ରମ ସହିତ ଜଡ଼ିତ ସଦସ୍ୟଙ୍କ ଗରାପୁର ମୌଜାରେ ଥିବା ପ୍ଲଟ୍‌ ନମ୍ବର ୭୮୨, ୯୧୩/୨୪୯୫ ଏବଂ ୯୧୩ରେ ଥିବା ଯଥାକ୍ରମେ ୪୫, ୪୭.୭ ଓ ୪୭.୮ଡିସିମିଲ୍ ଜମିକୁ ମିଶାଇ ମୋଟ୍ ୧ଏକର ୪୦ଡିସିମିଲ୍ ୫କଡ଼ି ଜମିକୁ ଇଡି ଜବତ୍ କରିଛି।

ସମ୍ବନ୍ଧିତ ଖବର