ପ୍ରାକୃତିକ ସୌନ୍ଦର୍ଯ୍ୟର ଗନ୍ତାଘର ପାକେଲପଡ଼ା ‘ବାବାଡେରା ଗୁମ୍ଫା’

ଝାରସୁଗୁଡ଼ା : ଦେଶ ବିଦେଶର ଅନେକ ଏପରି ସ୍ଥାନ ରହିଛି ଯେଉଁଠାରେ ପ୍ରାକୃତିକ ବିଭବକୁ ଛାଡ଼ି ଆଉ କିଛି ନାହିଁ। ମାତ୍ର ସେଭଳି ସ୍ଥାନ ବିକାଶର ଶୀର୍ଷରେ ପହଞ୍ଚି ପାରିଛି। ଉତ୍ତରାଞ୍ଚଳ ରାଜ୍ୟରେ ପାହାଡ଼, ଜଙ୍ଗଲକୁ ଛାଡ଼ି ଆଉ କିଛି ନାହିଁ। ମାତ୍ର ସେଠାକୁ ବର୍ଷସାରା ଦେଶର ବିଭିନ୍ନ ସ୍ଥାନରୁ ଲୋକଙ୍କ ସୁଅ ଛୁଟେ ପର୍ଯ୍ୟଟନ ପାଇଁ। ମେଘାଳୟରେ ଏପରି ଅନେକ ଗୁମ୍ଫାର ଉନ୍ନତି କରାଯାଇ ସେହି ଅଞ୍ଚଳକୁ ପର୍ଯ୍ୟଟନ‌ କ୍ଷେତ୍ର କରାଯାଇଛି। ଓଡ଼ିଶାରେ ମଧ୍ୟ ଏପରି ଅନେକ ପ୍ରାକୃତିକ ସୌନ୍ଦର୍ଯ୍ୟ ଭରା ସ୍ଥାନ ଅଛି ଯାହା ଲୋକଲୋଚନଠାରୁ ବହୁ ଦୂରରେ ରହିଛି।

ଖଣି ଖାଦାନ ଓ ଶିଳ୍ପ କାରଖାନା ଯୋଗୁଁ ପରିଚୟ ସୃଷ୍ଟି କରି ପାରିଥିବା ଝାରସୁଗୁଡ଼ା ଜିଲ୍ଲାରେ ଅଧିକ ପରିମାଣରେ ଜଙ୍ଗଲ ନାହିଁ। ମାଟି ତଳେ କଳାହୀରା ମହଜୁଦ୍‌ ରହିଥିବା ଯୋଗୁଁ ଏହା କେବଳ ଖନନ ହେବା ଛଡ଼ା ଆଉ କୌଣସି କାମରେ ଲାଗୁନାହିଁ। ଜିଲ୍ଲାରେ ଅନେକ ପ୍ରାକୃତିକ ଓ ଐତିହାସିକ ସ୍ଥଳୀ ବିକାଶର ସ୍ବପ୍ନ ଦେଖି ଦେଖି ନଷ୍ଟ ହେବାରେ ଲାଗିଛି । ଜିଲ୍ଲାର ଗୁଜାପାହାଡ଼, ବିକ୍ରମଖୋଲ, କୋଇଲିଘୁଘର ଭଳି ଅନେକ ସ୍ଥାନ ବିକାଶିତ ହୋଇ ପାରୁନାହିଁ। ଜିଲ୍ଲାର ଲଇକେରା ବ୍ଲକ ଅନ୍ତର୍ଗତ ପାକେଲପଡ଼ା ଗ୍ରାମରେ ଥିବା ‘ବାବାଡେରା ଗୁମ୍ଫା’ ଏଭଳି ଏକ ପ୍ରାକୃତିକ ସ୍ଥାନ ଯାହା ପ୍ରକୃତି ପ୍ରେମୀ ମାନଙ୍କୁ ଖୁବ୍‌ ଆକର୍ଷିତ କରିଥାଏ। ମାତ୍ର ଏହି ସ୍ଥାନର ପ୍ରଚାର ପ୍ରସାରର ଅଭାବ ଯୋଗୁଁ ଏହା ଲୋକଲୋଚନ ଠାରୁ ବହୁ ଦୂରରେ ରହିଛି।

ପାକେଲପଡ଼ା ଗ୍ରାମର ପୂର୍ବ ଦିଗକୁ କିଛି ଦୂର ଗଲେ ବାଟରେ ପଡ଼େ ଦୁଇଟି ପାହାଡ଼। ‌ବାମପଟେ ରହିଛି ଭାଇବହେନ ପାହାଡ଼ ଏବଂ ଡାହାଣକୁ ରହିଛି ବୁଢ଼ୀକୁଟେନ ପାହାଡ଼ । ବିସ୍ତିର୍ଣ୍ଣ ଜଙ୍ଗଲ ମଧ୍ୟରେ ଥିବା ଏହି ଦୁଇ ପାହାଡ଼କୁ ନେଇ ଅନେକ ଲୋକକଥା ରହିଛି। ଭାଇବହେନ ପାହଡ଼ରେ ରହିଛି ଏକ ‘ଗୁମ୍ଫା’ ଯେଉଁ ଗୁମ୍ଫାରେ ବହୁ ବର୍ଷ ପୂର୍ବରେ ଜଣେ ସାଧୁ ରହି ସାଧାନ କରୁଥିବାରୁ ଏହି ଗୁମ୍ଫାକୁ ବାବାଡେରା ଗୁମ୍ଫା ନାମକରଣ କରାଯାଇଛି। ଗୁମ୍ଫାରେ ଉକ୍ତ ସାଧୁ ସନ୍ଧ୍ୟାହେଲେ ଖଞ୍ଜଣୀ ବଜାଇ ଭଜନ କରୁଥିବା ବେଳେ ତାହା ଗାଁ ପର୍ଯ୍ୟନ୍ତ ଶୁଣାଯାଉଥିଲା। ସାଧୁ ସକାଳେ ଗୁମ୍ଫାରୁ ବାହାରି ଗ୍ରାମରେ ଭିକ୍ଷା କରି ପୁଣି ସେଠାକୁ ଫେରିଯାଉଥିଲେ। ଗୁମ୍ଫାତଳେ ସାଧୁ ଅନେକ ଥର ଆଧ୍ୟାତ୍ମିକ ସମାରୋହ କରୁଥିବା ବେଳେ ସେଥିରେ ଗ୍ରାମବାସୀଙ୍କ ସମେତ ବିଭିନ୍ନ ସ୍ଥାନରୁ ସାଧୁସନ୍ଥ, ସଂକୀର୍ତ୍ତନ ମଣ୍ଡଳୀ ଆସି ଯୋଗ ଦେଉଥିବାରୁ ସାରା ଜଙ୍ଗଲାଞ୍ଚଳ ପ୍ରକମ୍ପିତ ହୋଇ ଉଠୁଥିଲା। ଏହି ଜଙ୍ଗଲରେ ଅନେକ ଜଙ୍ଗଲି ଜୀବଜନ୍ତୁ ମଧ୍ୟ ଥିଲେ। ଏବେବି କିଛି କିଛି ଜଙ୍ଗଲି ଜନ୍ତୁ ଏଠାରେ ଦୃଶ୍ୟମାନ ହୋଇଥାନ୍ତି। ସାଧୁ ଗୁମ୍ଫାରେ ରହୁଥିବାରୁ ଗ୍ରାମବାସୀ ଓ ଏହି ଗୁମ୍ଫା ମଧ୍ୟରେ ଦୀର୍ଘବର୍ଷ ପର୍ଯ୍ୟନ୍ତ ସଂପର୍କ ରହି ଆସିଥିଲା। ପରେ ଉକ୍ତସାଧୁ ଏକ ଭାଲୁ ଆକ୍ରମଣର ଶୀକାର ହୋଇ ମୃତ୍ୟୁବରଣ କରିଥିବା କୁହାଯାଏ। ସେହି ଦିନଠାରୁ ଗୁମ୍ଫାରୁ ଗ୍ରାମବାସୀଙ୍କ ଭାବଗତ ସଂପର୍କ କମି ଯାଇଥିଲା। ଏହି ଭାଇବହେନ ପାହାଡ଼ ନିକଟରେ ଅନ୍ୟଏକ ଗମ୍ବୁଜ ପରି ବିରାଟ ପଥର ରହିଛି। ଏହି ଗମ୍ବୁଜ ପଥରକୁ ଲୋକ‌େ ‘ପିତାବହଲିଆ’ ବହଳିଆ ବୋଲି ନାମକରଣ କରିଛନ୍ତି। ଏହି ପଥରକୁ ପୂଜାକଲେ ମନସ୍କାମନା ପୂରା ହୋଇଥାଏ ବୋଲି ଲୋକବିଶ୍ବାସ ରହିଥିବାରୁ ଏବ‌େବି ଲୋକେ ଏଠାରେ ପୂଜାର୍ଚ୍ଚନା କରିଥାନ୍ତି। ଏହି ସ୍ଥାନକୁ ଯାତାୟତ ପାଇଁ ଭଲରାସ୍ତା ଓ ଏହି ପାଡାଡ଼ର ଉନ୍ନତିକରଣ କରାଗଲେ ଏହି ‘ବାବାଡେରା ଗୁମ୍ଫା’ ଓ ‘ପିତାବହଲିଆ ପଥର’ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିବ ଏଥିରେ ସଂଦେହ ନାହିଁ।

ସମ୍ବନ୍ଧିତ ଖବର