ପୁରୀ : ପହରଦିନ ଗୁଳିକାଣ୍ଡ, ଗତକାଲି ବୋମାମାଡ଼ ଓ ଆଜି ଦିନ ଦ୍ବିପହରେଏ ମଠ ଭଳି ଏକ ପବିତ୍ର ସ୍ଥାନରେ ଜଣେ ବାବାଜିଙ୍କୁ ପିଟି ପିଟି ଅତି ବୀଭତ୍ସ ଭାବେ ହତ୍ୟା କରାଯାଇଛି। ବାସେଳିସାହି ଥାନାଠାରୁ ଅଳ୍ପ ଦୂରରେ ଲୋକନାଥ ରୋଡ୍ସ୍ଥିତ ଗୁରୁକୃପା ଆଶ୍ରମରେ ବାବାଜି ଅର୍ଜୁନ ବାବା(୫୮)ଙ୍କୁ ସେହି ମଠରେ ରହୁଥିବା ଅନ୍ୟ ଜଣେ ବାବାଜି ହତ୍ୟା କରିଛନ୍ତି। ତେବେ କେଉଁ କାରଣକୁ ନେଇ ଏହି ହତ୍ୟାକାଣ୍ଡ ଘଟିଛି, ତାହା ଏବେ ସ୍ପଷ୍ଟ ହୋଇପାରିନାହିଁ। ପୁଲିସ ହତ୍ୟା ଅଭିଯୁକ୍ତ ବିଷ୍ଣୁ ବାବାଙ୍କୁ ଆଶ୍ରମର ପାଇଖାନା ଘରୁ ଗିରଫ କରିଛି। ଘଟଣାସ୍ଥଳରୁ ପୁଲିସ ହତ୍ୟାରେ ବ୍ୟବହୃତ ରକ୍ତଲଗା କାଠ, ବ୍ଲେଡ୍, ଇଟା ଆଦି ଜବତ କରିଛି। ଅନ୍ୟପଟେ ଏହି ମାମଲାରେ ପୁଲିସ ମାତ୍ର ୩୦ ଦିନ ମଧ୍ୟରେ ଚାର୍ଜସିଟ୍ ଦାଖଲ କରିବ ବୋଲି ଏସ୍ପି ଡା. କନୱର ବିଶାଳ ସିଂହ କହିଛନ୍ତି। ତେବେ ହତ୍ୟା ଅଭିଯୁକ୍ତ ବାବାଜିର ଜିଭ କଟି ରକ୍ତସ୍ରାବ ହେଉଥିବା ଘଟଣା ପୁଲିସକୁ ଅଧିକ ସନ୍ଦେହରେ ପକାଇଦେଇଛି।
ଶୁକ୍ରବାର ଅପରାହ୍ନ ପ୍ରାୟ ସାଢ଼େ ଚାରିଟା ସମୟରେ ଲୋକନାଥ ରୋଡ୍ସ୍ଥିତ ଗୁରୁକୃପା ଆଶ୍ରମରେ ବିଶ୍ରାମ ନେଉଥିବା ଜଣେ ବାବାଙ୍କୁ ଅନ୍ୟ ଜଣେ ବାବା କାଠରେ ପିଟିପିଟି ହତ୍ୟା କରିଛି। ହତ୍ୟାକାଣ୍ଡ ବେଳେ ପ୍ରତିବାଦ କରୁଥିବା ଅନ୍ୟ ଜଣେ ବାବା ମଧ୍ୟ ଆକ୍ରମଣର ଶିକାର ହୋଇଛନ୍ତି। ଖବର ପାଇ ବାସେଳିସାହି ଥାନା ପୁଲିସ ଆଶ୍ରମରେ ପହଞ୍ଚି ଆଶ୍ରମର ପାଇଖାନା ମଧ୍ୟରୁ ହତ୍ୟା ଅଭିଯୁକ୍ତ ବାବାକୁ ଗିରଫ କରିଛି। ଏନେଇ ଏକ ମାମଲା ରୁଜୁ କରି ବାସେଳିସାହି ଥାନା ପୁଲିସ ସାଇଣ୍ଟିଫିକ୍ ଟିମ୍କୁ ଡକାଇ ତଦନ୍ତ ଆରମ୍ଭ କରିଛି।
ତୋଟା ଗୋପୀନାଥ ମଠର ମ୍ୟାନେଜିଂ ଟ୍ରଷ୍ଟି କୃଷ୍ଣଚନ୍ଦ୍ର ସାହୁ ଗୁରୁକୃପା ଆଶ୍ରମର ମୁଖ୍ୟ ତତ୍ତ୍ବାବଧାରକ ଭାବେ ପରିଚିତ। ତେବେ ଶୁକ୍ରବାର ଦିନ ଗୁରୁକୃପା ଆଶ୍ରମର ଅନ୍ତେବାସୀମାନେ ତୋଟା ଗୋପୀନାଥ ମଠକୁ ଦିବା ଭୋଜନ କରିବାକୁ ଯାଇ ଫେରିଥିଲେ। ସେହିପରି ଅର୍ଜୁନ ବାବା ଆସି ମଧ୍ୟ ଗୁରୁକୃପା ଆଶ୍ରମରେ ବିଶ୍ରାମ ନେଇଥିଲେ। ଏହାର କିଛି ସମୟ ପରେ ସେଠାରେ ଗଞ୍ଜାମ ଭଞ୍ଜନଗର ଥାନା ଅନ୍ତର୍ଗତ ଗମୁଣ୍ଡି ଗାଁର ରବୀନ୍ଦ୍ର ଜେନା(୪୦) ଓରଫ ବିଷ୍ଣୁ ବାବା ପହଞ୍ଚିଥିଲା। କୌଣସି କାରଣକୁ ନେଇ ନିକଟରେ ଥିବା ଏକ କାଠ ଧରି ବିଷ୍ଣୁ ଶୋଇଥିବା ଅର୍ଜୁନ ବାବା ଓରଫ ପଶ୍ଚିମବଙ୍ଗ ପୂର୍ବ ମେଦିନାପୁର ନନ୍ଦୀଗ୍ରାମ ଥାନା ଅନ୍ତର୍ଗତ ଦକ୍ଷିଣପଡ଼ାର ନାରୁଗୋପାଳ ମିଶ୍ର(୫୮)ଙ୍କ ମୁଣ୍ଡରେ ଛେଚି ଦେଇଥିଲା। କେବଳ ଏତିକି ନୁହେଁ, ଅର୍ଜୁନ ବାବାଙ୍କ ମୁଣ୍ଡକୁ ବାରମ୍ବାର ପିଟିପିଟି ଅର୍ଜୁନ ତାଙ୍କୁ ହତ୍ୟା କରିଥିଲା। ଏହି ସମୟରେ ସେଠାରେ ବାବା ଦୟାନିଧି ଦାସ ପହଞ୍ଚି ପ୍ରତିବାଦ କରିବାରୁ ସେ ମଧ୍ୟ ଆକ୍ରମଣର ଶିକାର ହୋଇଥିଲେ। ଏକ ଇଟାରେ ଦୟାନିଧି ବାବାଙ୍କ ମୁଣ୍ଡକୁ ବିଷ୍ଣୁ ବାବା ଛେଚି ହତ୍ୟା ଉଦ୍ୟମ କରିଥିଲା। ମାତ୍ର ଦୟାନିଧି ବାବା ଜୀବନ ବଞ୍ଚାଇବାକୁ ଯାଇ ଆଶ୍ରମରୁ ବାହାରକୁ ଆସିଯିବାରୁ ସ୍ଥାନୀୟ ଲୋକମାନେ ତାଙ୍କୁ ଚିକିତ୍ସା ନିମନ୍ତେ ସଦର ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଏହି ଖବର ପାଇ ବାସେଳିସାହି ଥାନା ପୁଲିସ, ସିଟି ଡିଏସ୍ପି, ଅତିରିକ୍ତ ଆରକ୍ଷୀ ଅଧୀକ୍ଷକ ଓ ଏସ୍ପି ଡା. କେ. ବିଶାଳ ସିଂହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ।
ଅନ୍ୟପଟେ ପୁଲିସ ସାଇଣ୍ଟିଫିକ୍ ଟିମ୍ ଡକାଇ ତଦନ୍ତ କରିବା ପରେ ଅର୍ଜୁନ ବାବା(୫୮)ଙ୍କ ମୃତଦେହ ସଦର ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ପାଇଁ ପଠାଇଛି। ସେହିପରି ଗୁରୁତର ଆହତ ଦୟାନିଧି ବାବା(୬୦)ଙ୍କ ସ୍ବାସ୍ଥ୍ୟବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି। ଏ ସଂକ୍ରାନ୍ତରେ ବାସେଳିସାହି ଥାନା ପୁଲିସ ଏକ ମାମଲା ରୁଜୁ କରି ସାଇଣ୍ଟିଫିକ୍ ଟିମ୍ର ସହାୟତାରେ ତଦନ୍ତ ଆଗକୁ ନେଇଛି। ତେବେ ଅର୍ଜୁନ ବାବା ତନ୍ତ୍ରସାଧନା କରୁଥିବା ନେଇ ଗିରଫ ହୋଇଥିବା ବିଷ୍ଣୁ ବାବା କହିଛି। ବିଷ୍ଣୁ ବାବାର ଜିଭକୁ ଅର୍ଜୁନ ବାବା କାଟି ଦେଇଥିବା ନେଇ ସେ ଅଭିଯୋଗ କରିଛି। କିନ୍ତୁ ପ୍ରକୃତରେ କିଏ କାହାର ଜିଭ କାଟି ଦେଇଛି ତାହା ତଦନ୍ତରୁ ଜଣାପଡ଼ିବ ବୋଲି ପୁଲିସ କହିଛି।
ସୂଚନାଯୋଗ୍ୟ ଯେ ୨୬ ତାରିଖ ଦିନ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ଗୁଳିକାଣ୍ଡ ଓ ବଳିଆପଣ୍ଡା ଥାନା ଅଞ୍ଚଳରେ ୩ ବର୍ଷର ନାବାଳିକା ଅପହରଣ, ୨୭ ତାରିଖରେ ସଦର ଥାନା ଅଞ୍ଚଳରେ ବୋମାମାଡ଼ ଓ ଆଜି( ଶୁକ୍ରବାର) ବାସେଳିସାହି ଥାନା ଅଞ୍ଚଳରେ ହତ୍ୟାକାଣ୍ଡ ଘଟିବାକୁ ନେଇ ପୁରୀ ସହର ଏବେ ଅଶାନ୍ତ ହୋଇପଡ଼ିଥିବା ନେଇ ଚର୍ଚ୍ଚା ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/07/Crime-Mutt.jpg)