ଭୁବନେଶ୍ବର: ସରକାରୀ ବାବୁ କିମ୍ବା ଜନସାଧାରଣ ସରକାରୀ ଯୋଜନା ବାବଦରେ ଜାଣୁନାହାନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ମାଳମାଳ ସରକାରୀ ଯୋଜନା ଆଣୁଥିବା ବେଳେ ଯୋଜନା ବାବଦରେ ସରକାରୀ ଅଫିସର ବୁଝି ପାରୁନାହାନ୍ତି କି ଲୋକଙ୍କୁ ସଚେତନ କରୁନାହାନ୍ତି। ରାଜଭବନରେ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ଆୟୋଜିତ ସଚେତନତା ଅଭିଯାନରେ ଏହି ସମ୍ବେଦନଶୀଳ ପ୍ରସଙ୍ଗ ଉଠାଇ ସରକାରୀ ବାବୁଙ୍କ ପାରିବାପଣିଆ ଉପରେ ପ୍ରଶ୍ନ ଛିଡ଼ା କରିଛନ୍ତି ରାଜ୍ୟପାଳ ହରିବାବୁ କମ୍ଭମପାଟି।
ରାଜ୍ୟପାଳଙ୍କ ଜିଲ୍ଲା ସମୀକ୍ଷାରୁ ଆସିଲା ଉଦ୍ବେଗଜନକ ଚିତ୍ର
୯୫% ଜନସାଧାରଣ କେନ୍ଦ୍ରୀୟ ଯୋଜନା ସଂପର୍କରେ ଅଜ୍ଞ
ରାଜ୍ୟପାଳ କହିଥିଲେ ଯେ ରାଜ୍ୟର ୯୫% ଲୋକ କେନ୍ଦ୍ରୀୟ ଯୋଜନାର ସୁବିଧା ସଂପର୍କରେ କିଛି ଜାଣିନାହାନ୍ତି। ମାତ୍ର ୫% ଲୋକ ବିଭିନ୍ନ ସାମାଜିକ ଯୋଜନା ବାବଦରେ ଅବଗତ ଥିଲେ ବି ସେମାନେ ଏଥିରେ ସାମିଲ ହେଉନାହାନ୍ତି। ଜିଲ୍ଲା ସମୀକ୍ଷା ବୈଠକରେ କେନ୍ଦ୍ରୀୟ ଯୋଜନା ସଂପର୍କରେ ପଚାରି ବୁଝିବା ବେଳେ ଅଧିକାରୀମାନେ ଏହା ବିଷୟରେ କିଛି କହି ପାରୁନଥିଲେ। କେନ୍ଦ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦାୟିତ୍ବ ଗ୍ରହଣ କରିବା ପରଠାରୁ ଅନେକ ଜନହିତକାରୀ ଯୋଜନା ପ୍ରବର୍ତ୍ତନ କରିଛନ୍ତି। ଏଥିରୁ ଅନେକ ଯୋଜନା ଗରିବ, ଦୁର୍ବଳ ଓ ଅବହେଳିତ ଶ୍ରେଣୀର ଲୋକଙ୍କୁ ଆର୍ଥିକ ସୁରକ୍ଷା ଯୋଗାଇବା ଓ କଲ୍ୟାଣମୂଳକ ଲାଭ ପହଞ୍ଚାଇବା ପାଇଁ ଉଦ୍ଦିଷ୍ଟ। ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ପ୍ରଧାନମନ୍ତ୍ରୀ ଜୀବନଜ୍ୟୋତି ବୀମା ଯୋଜନା, ସୁକନ୍ୟା ସମୃଦ୍ଧି ଯୋଜନା ଓ ଅଟଳ ପେନ୍ସନ୍ ଯୋଜନା ଇତ୍ୟାଦି ସଂପର୍କରେ ଲୋକଙ୍କୁ ସଚେତନ କରାଯିବାର ଆବଶ୍ୟକତା ରହିଛି। କେନ୍ଦ୍ର ଲାଗୁ କରିଥିବା ଏସବୁ ଯୋଜନାର ପ୍ରିମିୟମ ରାଶି ବହୁତ କମ୍। ତେଣୁ ଲୋକମାନେ ସଚେତନ ହୋଇ ଏଥିରେ ସାମିଲ ହେବା ଉଚିତ।
ଜନସାଧାରଣଙ୍କ ମନରେ ଆଗ୍ରହ ସୃଷ୍ଟି କରି ଉତ୍ସାହିତ କରିବା ପାଇଁ ରାଜଭବନରୁ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି। ରାଜଭବନର ସମସ୍ତ କର୍ମଚାରୀଙ୍କୁ ଯୋଗ୍ୟ ସାମାଜିକ କଲ୍ୟାଣ ଯୋଜନାରେ ପଞ୍ଜୀକୃତ କରାଯିବ। ସଚେତନତା ଅଭିଯାନକୁ ତ୍ବରାନ୍ବିତ କରିବା ପାଇଁ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ସଚେତନ କରିବା ଉପରେ ଗୁରୁତ୍ବାରୋପ କରାଯାଇଛି। ତେବେ ଜନସାଧାରଣଙ୍କ ଭିତରେ ସଚେତନତା ସୃଷ୍ଟି ଦିଗରେ ବିଭିନ୍ନ ବିଭାଗ ସମେତ ଅନୁଷ୍ଠାନ ଓ ସଂଗଠନମାନଙ୍କ ଗୁରୁତ୍ବପୂର୍ଣ୍ଣ ଭୂମିକା ରହିଥିବା ରାଜ୍ୟପାଳ କହିଥିଲେ। ଏହି ଅବସରରେ ରାଜ୍ୟପାଳ ସଚେତନତା ଅଭିଯାନର ପ୍ରତୀକସ୍ବରୂପ ରାଜଭବନର ୧୦୧ଜଣ କର୍ମଚାରୀଙ୍କ ଆବେଦନପତ୍ର ପଞ୍ଜୀକରଣ ପାଇଁ ଷ୍ଟେଟ୍ ବ୍ୟାଙ୍କ, ରାଜଭବନ ଶାଖାର ପ୍ରବନ୍ଧକଙ୍କୁ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଏନ୍ବିଏସ୍ ରାଜପୁତ, ଆରକ୍ଷୀ ମହାନିର୍ଦ୍ଦେଶକ (କ୍ରାଇମବ୍ରାଞ୍ଚ) ବିନୟତୋଷ ମିଶ୍ର, ଡିଆଇଜି ଏସ୍ଟିଏଫ୍ ପିନାକ ମିଶ୍ରଙ୍କ ସମେତ ବିଭିନ୍ନ ବିଭାଗୀୟ ଅଧିକାରୀ, ରାଜଭବନର ଅଧିକାରୀ ଓ କର୍ମଚାରୀ ସାମିଲ ହୋଇଥିଲେ।