ପାଠକ କେଳେଙ୍କାରୀରେ ବାବୁ, ନେତା, ମାଫିଆ! ସମସ୍ତଙ୍କ ଛାତି ଧଡ଼ଧଡ଼

ଅମାପ କଳାଧନର ଫର୍ଦ୍ଦ ଖୋଲିବା ଲାଗି ତନାଘନା
ଆୟ ବହିର୍ଭୂତ ସମ୍ପତ୍ତି ଓ ବିନିଯୋଗର ଛାନଭିନ୍ ହେବ
ଜଙ୍ଗଲ ବିଭାଗର ବାବୁ, ବ୍ୟାଙ୍କ ଅଧିକାରୀ,
ପରିବାର, ସମ୍ପର୍କୀୟଙ୍କୁ ଜେରା ହେବ

ଭୁବନେଶ୍ୱର : ଆଇଏଫ୍ଏସ୍‌ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶ ପାଠକଙ୍କୁ ଗିରଫ କରିବା ପରେ ରାଜ୍ୟ ଭିଜିଲାନ୍ସ ଏବେ ତାର ପଞ୍ଝା ମେଲାଇଛି। ଭିଜିଲାନ୍ସର ସ୍ବତନ୍ତ୍ର ଅନୁସନ୍ଧାନକାରୀ ଦଳ ବା ଏସ୍‌ଆଇଟି ରାଜନେତାଙ୍କ ଠାରୁ ଆରମ୍ଭ କରି ବନ ବିଭାଗର ଅଧିକାରୀ, ବ୍ୟାଙ୍କ କର୍ତ୍ତୃପକ୍ଷଙ୍କର ଏକ ଲମ୍ବା ତାଲିକା ତିଆରି କରିଛନ୍ତି। ଏମାନେ ସମସ୍ତେ ଭିଜିଲାନ୍ସ ତଦନ୍ତ ପରିସରକୁ ଆସିବା ସମ୍ଭାବନା ବଢ଼ିଯାଇଛି। ଏ ସଂପର୍କରେ ଆଭାସ ମିଳିବା ପରେ ରାଜନୈତିକ ନେତାଙ୍କ ଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ଭିତରେ କମ୍ପନ ସୃଷ୍ଟି ହେଲାଣି। କାଳେ ଭିଜିଲାନ୍ସ ତାଙ୍କ ପାଖେ ପହଞ୍ଚିଯିବ, ସେଥିପାଇଁ ସେମାନଙ୍କ ଆଖିରୁ ନିଦ ହଜିଯାଇଛି।

ଏପଟେ ଆଜି ରାଜ୍ୟ ଭିଜିଲାନ୍ସ ମୁଖ୍ୟାଳୟରେ ଏସ୍‌ଆଇଟି ଟିମ୍ ତାର ପ୍ରଥମ ବୈଠକ କରି କାହାକୁ, କେବେ ଓ କେଉଁଭଳି ଭାବେ ତଦନ୍ତ ପରିସରଭୁକ୍ତ କରିବ, ସେ ନେଇ ଠୋସ୍ ରଣନୀତି ପ୍ରସ୍ତୁତ କରିଛି। ଏଇଥିପାଇଁ ଯେ ପ୍ରଥମ ଦଫା ଚଢଉ ଶେଷ ହୋଇଥିଲେ ହେଁ, ଭିଜିଲାନ୍ସ ହାତରେ ଏମିତି କିଛି ଦସ୍ତାବିଜ୍ ଲାଗିଛି, ଯାହା ରାଜ୍ୟ ରାଜନୀତିର ଗଣିତ ବିଗାଡ଼ି ଦେଇପାରେ। ଶାସକ ଦଳରେ ବି ଆଲୋଡ଼ନ ସୃଷ୍ଟି କରିବା ସମ୍ଭାବନାକୁ ଏଡ଼ାଇ ଦେଇ ହେବନାହିଁ। ଏଣୁ ରାଜ୍ୟ ଭିଜିଲାନ୍ସ ଇତିହାସରେ ଏହି ମାମଲାଟି ଉଲ୍ଲେଖନୀୟ ବୋଲି ବିଚାର କରାଯାଉଛି ଓ ସମ୍ଭବତଃ ପ୍ରଥମ ଥର ପାଇଁ ଏଭଳି ସ୍ବତନ୍ତ୍ର ଟିମ୍ କରି ମାମଲାର ମୂଳ ରହସ୍ୟ ଉନ୍ମୋଚନ କରିବା ଲାଗି ଭିଜିଲାନ୍ସ ପ୍ରକ୍ରିୟା ଆରମ୍ଭ କରିଛି। ଭିଜିଲାନ୍ସ ଅଧିକାରୀମାନେ ସୁରାକ୍ ପାଇଛନ୍ତି ଯେ ଅମାପ କଳାଧନର ମାଲିକ ବନି ଯାଇଥିବା ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ତାଙ୍କ ପୁଅ ଆକାଶଙ୍କର ଆହୁରି ସମ୍ପତ୍ତି ରହିଛି। ଶ୍ରୀ ପାଠକ ବିପୁଳ ପରିମାଣର କଳାଟଙ୍କା ଲୁଚାଇ ରଖିଛନ୍ତି। ବିଭିନ୍ନ ସମ୍ପର୍କୀୟ, ଘନିଷ୍ଠ ସହଯୋଗୀ, ସାଙ୍ଗସାଥୀଙ୍କ ନାଁରେ ଅପର୍ଯ୍ୟାପ୍ତ ବେନାମୀ ସମ୍ପତ୍ତି ରହିଛି। ଏଣୁ ଅତିରିକ୍ତ ଏସ୍‌ପି ହରନାରାୟଣ ପତିଙ୍କ ନେତୃତ୍ବରେ ଅନୁଷ୍ଠିତ ବୈଠକରେ ଅଧିକାରୀମାନଙ୍କ ମଧ୍ୟରେ ଦାୟିତ୍ବ ବଣ୍ଟାଯାଇଛି।

ଭିଜିଲାନ୍ସ ସୂଚନା ଅନୁସାରେ, ଅଭୟକାନ୍ତଙ୍କ କଳାଧନ ଆୟର ସୂତ୍ର କ’ଣ ଥିଲା? ଏହାକୁ କେଉଁ ସଂସ୍ଥା କିମ୍ବା ପ୍ରତିଷ୍ଠାନରେ ବିନିଯୋଗ କରାଯାଇଛି? କଳା ଟଙ୍କା କେଉଁ ଘନିଷ୍ଠ ସହଯୋଗୀ, ଡ୍ରାଇଭର କିମ୍ବା ବିଶ୍ବସ୍ତ କର୍ମଚାରୀଙ୍କମାନଙ୍କ ଜରିଆରେ ଆଦାୟ କରୁଥିଲେ? ତାଙ୍କର ପୂରା ଚାକିରି ଜୀବନ ଭିତରେ ସେ କେଉଁଠି କେଉଁଠି ନିଯୁକ୍ତି ପାଇଥିଲେ? ସେହି ସମୟରେ କ’ଣ ସବୁ ଅନିୟମିତତା ଓ ଦୁର୍ନୀତି ହୋଇଥିଲା? ପ୍ରାୟ ଅଢ଼େଇ ବର୍ଷ ହେଲା ବନୀକରଣ ଦାୟିତ୍ବରେ ଥିବାରୁ କେଉଁ କେଉଁ କାର୍ଯ୍ୟକ୍ରମରେ ସେ ଦୁର୍ନୀତି କରିଛନ୍ତି? ପୁଅ ପାଖରେ ଆହୁରି କଳା ଟଙ୍କା ରହିଛି କି? କର୍ମଚାରୀ, ଘନିଷ୍ଠ ସହଯୋଗୀ, ସମ୍ପର୍କୀୟଙ୍କ ନାଁରେ ବେନାମୀ ସମ୍ପତ୍ତି ରହିଛି କି? ସେ ସମ୍ପର୍କରେ ଏସଆଇଟି ଖୋଳତାଡ଼ କରିବ। ଏହି ସମୟରେ ବ୍ୟାଙ୍କ ଅଧିକାରୀ, ଜଙ୍ଗଲ ବିଭାଗ ବରିଷ୍ଠ ଅଧିକାରୀ, ସମ୍ପର୍କୀୟ, ନିଜ ବିଭାଗର ତଳିଆ କର୍ମଚାରୀ, ସହଯୋଗୀ, ପୁଅ ଆକାଶ ପୁନେରେ ଖୋଲିଥିବା ନକଲି ଅଫିସରେ ନିଯୁକ୍ତ ମ୍ୟାନେଜର, କର୍ମଚାରୀମାନଙ୍କୁ ଜେରା କରାଯିବ। ସିଆରପିସି ଧାରା-୧୬୦ ଅନୁସାରେ ନୋଟିସ୍ କରାଯାଇ ପାଠକ ବାପ-ପୁଅଙ୍କ ସହ ଜଡ଼ିତ ସମସ୍ତ ବ୍ୟକ୍ତିଙ୍କୁ ପଚରାଉଚରା କରାଯିବ। ଲୁଚାଇ ରଖାଯାଇଥିବା କିମ୍ବା ବେନାମୀ ସମ୍ପତ୍ତିର ଆହୁରି ଅଧିକ ପ୍ରମାଣ ମିଳିବ ବୋଲି ଆଶା ରଖିଛି ଭିଜିଲାନ୍ସ।

ଯେଉଁ ସଂସ୍ଥା ଜରିଆରେ ଦାମୀ କାର୍‌ ଓ ବାଇକ୍ କିଣାଯାଇଛି ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରାଯିବାକୁ ସ୍ଥିର କରାଯାଇଛି। ଗାଡ଼ି କିଣା ନେଇ କେମିତି ଟଙ୍କା କାରବାର ହୋଇଥିଲା ତାହାର ମଧ୍ୟ ଖୋଳତାଡ଼ ହେବ। ଖାଲି ଦାମୀ କାର୍‌ ନୁହେଁ ଯେଉଁ ସଂସ୍ଥା ଦ୍ବାରା ଚାର୍ଟର ବିମାନ ବୁକିଂ କରା ଯାଉଥିଲା ସମ୍ପୃକ୍ତ ଟ୍ରାଭେଲ ଏଜେନ୍ସିରେ ଭିଜିଲାନ୍ସ ଟିମ୍ ଖୋଳତାଡ଼ ଆରମ୍ଭ କରିଛି। କାହା ଜରିଆରେ ଏ ସବୁ କାରବାର ହେଉଥିଲା, କିଏ ମଧ୍ୟସ୍ଥି ଥିଲେ ସେ ସମ୍ପର୍କରେ ମଧ୍ୟ ତନାଘନା ଚଳାଇଛି ଟିମ୍। ଦୁଇ ଦିନର ଚଢ଼ଉ ସମୟରେ ଅଭୟକାନ୍ତଙ୍କ ସରକାରୀ ବାସଭବନ, ପୁତୁରା ତଥା ଦାନ୍ତ ଡାକ୍ତର ହର୍ଷ ପାଠକଙ୍କ ଘାଟିକିଆସ୍ଥିତ ବିପୁଲ୍ ଗାର୍ଡେନ ଫ୍ଲାଟ୍, ପୁଅ ଭଡ଼ାରେ ନେଇଥିବା ପୁନେର ଦୁଇ ଫ୍ଲାଟରୁ ମିଳିଥିବା ବିପୁଳ ପରିମାଣର ଦସ୍ତାବିଜର ଯାଞ୍ଚ କରିବା ଲାଗି ରାଜ୍ୟ ଫରେନସିକ୍ ଲାବରେଟୋରି(ଏସଏଫଏସଏଲ) ସହାୟତାରେ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏ ନେଇ ଏସଏଫଏସଏଲକୁ ଭିଜିଲାନ୍ସ ପକ୍ଷରୁ ଚିଠି ଲେଖାଯାଇଛି। ଘରୁ ମିଳିଥିବା ହାର୍ଡ ଡିସ୍କ, ପେନ୍ ଡ୍ରାଇଭ, ସିଡିରେ କ’ଣ ତଥ୍ୟ ରହିଛି ତାହା ଜାଣିବା ଲାଗି ସାଇବର ଫରେନସିକ୍‌ର ମଧ୍ୟ ସହାୟତା ନିଆଯିବ। ପାଠକଙ୍କ କଳା ସାମ୍ରାଜ୍ୟର ଖୁଲାସା କରିବାକୁ ପୂରା ଦମରେ ଲାଗି ପଡ଼ିଛି ଭିଜିଲାନ୍ସ।

ସୂଚନାଯୋଗ୍ୟ, ଗତ ବୁଧବାର ସକାଳୁ ଆରମ୍ଭ ହୋଇଥିବା ବଡ଼ଧରଣର ରେଡ୍‌ର ପ୍ରଥମ ଦଫା ଗତକାଲି ଶେଷ ହୋଇଥିଲା। ପାଠକ ପରିବାରର ବିପୁଳ ସମ୍ପତ୍ତି ଠାବ ହେବା ସହ ରାଜକୀୟ ଢଙ୍ଗରେ ଜୀବନ ଶୈଳୀ ସାମ୍ନାକୁ ଆସିଥିଲା। ଏକାଧିକ ନାମୀଦାମୀ କମ୍ପାନିର କାର୍‌, ବାଇକ୍‌, ଘର ସାଜସଜ୍ଜା, ଆସବାବପତ୍ର, ଆକାଶଙ୍କ ବ୍ୟାଙ୍କ ଆକାଉଣ୍ଟରେ ୯ କୋଟି ୪୦ ଲକ୍ଷ ଟଙ୍କାର ବ୍ୟାଙ୍କ ଜମା, ଲକ୍ଷାଧିକ ଟଙ୍କା ଭଡ଼ା ସୂତ୍ରରେ ପୁନେରେ ନିଆଯାଇଥିବା ଫ୍ଲାଟ୍, ଫାର୍ମ ହାଉସ୍, ଜୁହୁରେ ରେଷ୍ଟୁରାଣ୍ଟ, ପଞ୍ଚ ତାରକା ହୋଟେଲ, ଭଡ଼ା କାର୍‌, କୋଟି କୋଟି ଟଙ୍କାର ବିମାନ ବୁଲା ବିଲ୍ ଠାବ ହୋଇଥିଲା। ଏବେ ସୁଦ୍ଧା ୯ କୋଟି ୩୫ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଥିବା କହିଥିଲା ଭିଜିଲାନ୍ସ। ବାପ-ପୁଅ କୋର୍ଟଚାଲାଣ ପରେ ଝାରପଡ଼ା ଜେଲରେ ଅଛନ୍ତି।

ସମ୍ବନ୍ଧିତ ଖବର