ବିଶ୍ବଜିତ ଦାଶ
ଭୁବନେଶ୍ବର: ଆର୍‌. ବାଲକ୍ରିଷ୍ଣନ୍। ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ମୁଖ୍ୟ ପରାମର୍ଶଦାତା ଥିଲେ। ବିଜେଡି ଶାସନରେ ତାଙ୍କର ଅଖଣ୍ଡ କ୍ଷମତା ଥିଲା। ହେଲେ ‘ମୋ ସ୍କୁଲ ଅଭିଯାନ’ରେ ସେ ପୋଷ୍ୟ ଗ୍ରହଣ କରିଥିବା ତିନିଟି ସ୍କୁଲରୁ ଗୋଟିଏ ବି ସ୍କୁଲର ବିକାଶ କଲେନି। ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆହ୍ବାନକ୍ରମେ ଯେତେବେଳେ ପ୍ରଥମେ ଆଇଏଏସ୍‌ ଅଧିକାରୀମାନେ ସ୍କୁଲୁଗୁଡ଼ିକୁ ପୋଷ୍ୟ ଗ୍ରହଣ କରିବେ ବୋଲି ଘୋଷଣା କଲେ ସେତେବେଳେ ଶ୍ରୀ ବାଲକ୍ରିଷ୍ଣନ୍ ତୁରନ୍ତ ନବୀନଙ୍କ ବାପା ବିଜୁ ପଟ୍ଟନାୟକଙ୍କ ଜନ୍ମସ୍ଥାନକୁ ବାଛିଦେଲେ। ଗଞ୍ଜାମ ଜିଲ୍ଲାର ବେଲଗୁଣ୍ଠା ବ୍ଲକ୍‌ର ଘୁମସୁରା ନୂଆଗାଁର ଡା. ସଦାନନ୍ଦ ତ୍ରିପାଠୀ ବିଦ୍ୟାପୀଠକୁ ପୋଷ୍ୟ ଗ୍ରହଣ କରିବେ ବୋଲି ଘୋଷଣା କରିଦେଲେ। କିନ୍ତୁ ଯେଉଁ ଉଦ୍ଦେଶ୍ୟରେ ଏହି ପୋଷ୍ୟ ସ୍କୁଲ ଅଭିଯାନ ଆରମ୍ଭ ହୋଇଥିଲା ତାହାକୁ ଶ୍ରୀ ବାଲକ୍ରିଷ୍ଣନ୍ ପୂରଣ କଲେନି। କେବଳ ଏହି ସ୍କୁଲ ନୁହେଁ, ସେ ପୋଷ୍ୟ ଗ୍ରହଣ କରିଥିବା ଯାଜପୁର ଜିଲ୍ଲା ସ୍କୁଲ, ଯାଜପୁରର ମହତାବ ହାଇସ୍କୁଲ, ମଙ୍ଗଳପୁରର ଅବସ୍ଥା ବି ସମାନ। ଏହି ସ୍କୁଲର ବିକାଶ ପାଇଁ ବାବୁ ବାଲକ୍ରିଷ୍ଣନ୍ କିଛି ବି ପଦକ୍ଷେପ ନେଲେନି। ତତ୍କାଳୀନ ମୁଖ୍ୟମନ୍ତ୍ରୀଙ୍କ ଆଉ ଜଣେ ମୁଖ୍ୟ ପରାମର୍ଶଦାତା ଥିଲେ ଅସିତ କୁମାର ତ୍ରିପାଠୀ। ସେ ବି ଟିଟିଲାଗଡ଼ ସରକାରୀ ଉଚ୍ଚବିଦ୍ୟାଳୟକୁ ପୋଷ୍ୟ ଭାବେ ଗ୍ରହଣ କରିଥିଲେ। ହେଲେ ଏହା କେବଳ ଘୋଷଣାରେ ସୀମିତ ରହିଲା। ସ୍କୁଲର ଉନ୍ନତି ପାଇଁ, ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ତାଙ୍କର କିଛି ବି ଅବଦାନ ରହିଲାନି।

Advertisment

ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ପୂର୍ବତନ ୫-ଟି ସଚିବ ଭି.କେ. ପାଣ୍ଡିଆନଙ୍କ ଧର୍ମପତ୍ନୀ ତଥା ବରିଷ୍ଠ ଆଇଏଏସ୍‌ ଅଧିକାରୀ ଆର୍‌. ସୁଜାତା କାର୍ତ୍ତିକେୟନ୍। ସେ କେନ୍ଦ୍ରାପଡ଼ାର ପଟ୍ଟାମୁଣ୍ଡାଇସ୍ଥିତ ବଲୁରିଆ ହାଇସ୍କୁଲ ଏବଂ ନବରଙ୍ଗପୁରର ସରକାରୀ ନୋଡାଲ୍‌ ଆର୍‌ସିଡି ହାଇସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିଲେ। କିନ୍ତୁ ଦିନେ ବି ମାଡାମ ସେଠାକୁ ଗଲେନି କି ସ୍କୁଲ ଓ ଛାତ୍ରଛାତ୍ରୀଙ୍କର କିପରି ବିକାଶ ହେବ, ସେ ଦିଗରେ ମୁଣ୍ଡ ଖେଳାଇଲେନି। ପୂର୍ବତନ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ମନ୍ତ୍ରୀ ଥିବାବେଳେ ସେ ବି ତାଙ୍କ ନିର୍ବାଚନମଣ୍ଡଳୀର ଦୁଇଟି ସ୍କୁଲ ବିଷ୍ଣୁପୁର ନୋଡାଲ୍‌ ହାଇସ୍କୁଲ ଏବଂ ଜେବିଆର୍ ସରକାରୀ ମହିଳା ଉଚ୍ଚବିଦ୍ୟାଳୟକୁ ପୋଷ୍ୟ ଗ୍ରହଣ କରିଥିଲେ। ତାଙ୍କର ସ୍କୁଲ ପ୍ରତି କିଛି ଅବଦାନ ରହିଲାନି। ‌ସେହିପରି ଆଇଏଏସ୍‌ ଅଧିକାରୀ କ୍ରିଷ୍ଣନ୍‌ କୁମାର ଗଜପତିର ଏମ୍‌ଆର୍‌ ବାଳକ ଉଚ୍ଚବିଦ୍ୟାଳୟ ଏବଂ ଏମ୍‌ଆର୍‌ ବାଳିକା ଉଚ୍ଚବିଦ୍ୟାଳୟ, ସମର୍ଥ ବର୍ମା ପୁରୀର ବିଶ୍ବମ୍ବର ବିଦ୍ୟାପୀଠ, ସି.ଏସ୍‌ କୁମାର ମାଲକାନଗିରି ଉଚ୍ଚବିଦ୍ୟାଳୟ, ପି.କେ ଜେନା ଭୁବନ ହାଇସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିଲେ ବି ଏଠାରେ କିଛି କାର୍ଯ୍ୟ କରିନାହାନ୍ତି।

୨୦୨୧ ମସିହାରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ପୋଷ୍ୟ ସ୍କୁଲ ଅଭିଯାନ ଆରମ୍ଭ କରିଥିଲେ। ଉଦ୍ଦେଶ୍ୟ ଥିଲା ରାଜ୍ୟର ବିଶିଷ୍ଟ ବ୍ୟକ୍ତିମାନେ ସ୍କୁଲ ସହ ପ୍ରତ୍ୟକ୍ଷ ତଥା ଭା‌ବାବେଗ ସହ ଜଡ଼ିତ ହେବେ। ‘ମୋ ସ୍କୁଲ ଅଭିଯାନ’ରେ ବିଭିନ୍ନ ସ୍କୁଲକୁ ପୋଷ୍ୟ ଗ୍ରହଣ କରିବା ନେଇ ଘୋଷଣା କରି ଖବରର ଶିରୋନାମା ପାଲଟିଥିବା ଏପରି ନେତା, ପ୍ରାଶାସନିକ ଅଧିକାରୀଙ୍କ ତାଲିକା ବହୁତ ଲମ୍ବା। ପୋଷ୍ୟ ଘୋଷଣା ପରେ ସ୍ଥାନୀୟ ଅଞ୍ଚଳ, ସ୍କୁଲର ଶିକ୍ଷକ, ଶିକ୍ଷୟିତ୍ରୀ ଏବଂ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଭରି ଯାଇଥିଲା। ସେମାନଙ୍କ ଗାଁ ସ୍କୁଲକୁ ଆଇଏଏସ୍‌ ବାବୁ ନିୟମିତ ଆସିବେ, ପିଲାଙ୍କ ସହ ମିଶିବେ, ଅବହେଳିତ ହୋଇପଡ଼ିଥିବା ସରକାରୀ ସ୍କୁଲକୁ ନୂଆ ପରିଚୟ ମିଳିବ ବୋଲି ଅାଶା ବାନ୍ଧିଥିଲେ। କିନ୍ତୁ ବାବୁମାନେ ମାୟା ଲଗେଇ ଭୁଲିଗଲେ। ଲୋକଙ୍କ ମଧ୍ୟରେ ଯେଉଁ ବିଶ୍ବାସ ସୃଷ୍ଟି ହୋଇଥିଲା ତାକୁ ଭାଙ୍ଗିଦେଲେ। 
ରାଜ୍ୟରେ ସ୍କୁଲ ପୋଷ୍ୟ ଗ୍ରହଣ ଅଭିଯାନରେ ମୋଟ୍ ୧୧୩୮ଜଣ ବିଭିନ୍ନ ବର୍ଗର ଲୋକ ୧୩୧୫ଟି ସ୍କୁଲକୁ ପୋଷ୍ୟ ଭାବେ ଗ୍ରହଣ କରିଛନ୍ତି। ଏଥିରେ ୧୨ଜଣ ମନ୍ତ୍ରୀ, ୪ଜଣ ସାଂସଦ, ୧୭ଜଣ ବିଧାୟକ, ୨ଜଣ ଅବସରପ୍ରାପ୍ତ ବିଚାରପତି, ୫୯ଜଣ ଆଇଏଏସ୍‌, ୫ଜଣ ଆଇପିଏସ୍‌, ୬ଜଣ ଆଇଏଫ୍ଏସ୍‌, ୪୪ଜଣ ଓଏଏସ୍‌, ୪ଜଣ ଓଏଫ୍‌ଏସ୍‌, ୭୪ଜଣ ଓଇଏସ୍‌, ୫ଜଣ ଡାକ୍ତର, ଜଣେ ଇଞ୍ଜିନିୟର, ୯ଜଣ ବିଶିଷ୍ଟ ବ୍ୟକ୍ତି, ୫ଜଣ ଆଇନଜୀବୀ, ୨ଜଣ ସେନା ଅଧିକାରୀ, ୭ଜଣ ପ୍ରଫେସର, ଜଣେ ସାମ୍ବାଦିକ, ୧୫ଜଣ ସରକାରୀ କର୍ମଚାରୀ ଥିବାବେଳେ ବାକି ସମସ୍ତେ ଅନ୍ୟାନ୍ୟ ବୃତ୍ତିର ଅଧିକାରୀ, ବ୍ୟକ୍ତି ଅଛନ୍ତି। ରାଜ୍ୟରେ ଯେଉଁ ୮୫୦୦ରୁ ଅଧିକ ହାଇସ୍କୁଲ ୫-ଟି ରୂପାନ୍ତରଣରେ କାମ ହୋଇଛି ତାହା ବି ଏହି ସ୍କୁଲରେ ହୋଇଛି। କିନ୍ତୁ ପୋଷ୍ୟ ସ୍କୁଲ ବୋଲି ସ୍ବତନ୍ତ୍ରତା ଅଧିକାଂଶ ସ୍କୁଲରେ ନାହିଁ। 

କେତେକ ନେତା, ଅଧିକାରୀ କ୍ଷମତାରେ ଥାଇ ବି କିଛି କଲେନି। କିନ୍ତୁ କିଛି ବ୍ୟକ୍ତି ପୋଷ୍ୟ ଗ୍ରହଣ କରିଥିବା ସ୍କୁଲଟିକୁ ନିଜର ଭାବି ବହୁତ କାମ କରିଛନ୍ତି। କେନ୍ଦୁଝରର ଡିଏନ୍‌ ହାଇସ୍କୁଲକୁ ପୋଷ୍ୟ ଗ୍ରହଣ କରିଥିବା ପୂର୍ବତନ ମୁଖ୍ୟ ସଚିବ ସୁରେଶଚନ୍ଦ୍ର ମହାପାତ୍ର କହିଛନ୍ତି ସେ ଏହି ସ୍କୁଲରେ ୫କୋଟି ଟଙ୍କା ବ୍ୟୟରେ ଦୁଇଟି ହଷ୍ଟେଲ ନିର୍ମାଣ କରାଇଛନ୍ତି। ସ୍କୁଲର ଲନ୍‌ରୁ ଆରମ୍ଭ କରି ବିଭିନ୍ନ ଉନ୍ନତିମୂଳକ କାମ କରିଛନ୍ତି। ଏଥିପାଇଁ ସେ ଜିଲ୍ଲା ପ୍ରଶାସନ ଏବଂ ବିଭିନ୍ନ ବିଭାଗରୁ ତାଙ୍କ ଉଦ୍ୟମରେ ଅର୍ଥ ବ୍ୟବସ୍ଥା କରିଛନ୍ତି। ଏପରିକି ସେ ନିୟମିତ ବ୍ୟବଧାନରେ ସ୍କୁଲକୁ ଯାଇ ଛାତ୍ରଛାତ୍ରୀଙ୍କ ସହ ଭାବ ବିନିମୟ ବି କରନ୍ତି। 

ସେହିପରି ଗୃହ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ସତ୍ୟବ୍ରତ ସାହୁ ମାଣିକେଶ୍ବର ହାଇସ୍କୁଲ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରମୁଖ ସଚିବ ବିଷ୍ଣୁପଦ ସେଠୀ ସୋହରିଆର ବି.କେ. ଏକାଡେମି ସ୍କୁଲ, ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ବଲୱନ୍ତ ସିଂହ ପୁରୀ ଜିଲ୍ଲା ସ୍କୁଲ, ପୂର୍ବତନ ମନ୍ତ୍ରୀ ପ୍ରଣବ ପ୍ରକାଶ ଦାସ ଆଇଆର୍‌ସି ଭିଲେଜ୍ ହାଇସ୍କୁଲରେ ବହୁତ ଉନ୍ନତିମୂଳକ କାମ କରିଛନ୍ତି। ସ୍କୁଲକୁ ପୋଷ୍ୟ ଗ୍ରହଣ କରି ଯେଉଁମାନେ ଇଟା ଖଣ୍ଡେ ଯୋଗାଡ଼ କରିନାହାନ୍ତି ସେମାନେ ଆଗାମୀ ଦିନରେ ବି ସ୍କୁଲ ପାଇଁ କାମ କରିବା ସମ୍ଭାବନା କମ୍। କାରଣ ଏଥିରୁ ଅଧିକାଂଶ ଏବେ କ୍ଷମତାହୀନ, କେନ୍ଦ୍ରୀୟ ଡେପୁଟେସନ୍ ଏବଂ ଅବସର ନେଇଥିବା ଅଧିକାରୀ। ଆଉ ନେତାଙ୍କ ଭିତରେ ଅଧିକାଂଶ ନିର୍ବାଚନ ହାରିଛନ୍ତି। ଯିଏ ୩ବର୍ଷରେ କିଛି କରିନାହାନ୍ତି ସେମାନେ ଏବେ ଯେ କିଛି କରିବେ, ସେ ଆଶା ଆଉ କାହାର ନାହିଁ।