ବବୁଲ୍‌ ହତ୍ୟା ମାମଲା: ବିଫଳ ପ୍ରେମିକର ପ୍ରତିଶୋଧ

ବାଲିପାଟଣା: ବାଲିଅନ୍ତା ଥାନା ଶିଶିଲୋରେ ଘଟିଥିବା ବବୁଲ୍‌ ଓଝା(୨୧) ହତ୍ୟାକାଣ୍ଡ ଘଟଣାରେ ପୁଲିସ ମୁଖ୍ୟ ଅଭିଯୁକ୍ତ ସମେତ ୨ ଜଣଙ୍କୁ ଅଟକ ରଖିଥିଲେ ବି କାହାକୁ ଗିରଫ ଦର୍ଶାଇନାହିଁ। ବବୁଲ୍‌କୁ ଫୋନ୍‌ କରି ଘରୁ ଡକାଇଥିବା ସାଙ୍ଗ ଏବେ ବି ଫେରାର୍ ଥିବାରୁ ପୁଲିସ ପାଇଁ ସମସ୍ୟା ସୃଷ୍ଟି ହୋଇଛି। ହତ୍ୟାକାଣ୍ଡ ପଛରେ ଥିବା କାରଣକୁ ନେଇ ପୁଲିସ ଅନେକ ତଥ୍ୟ ପାଇଥିଲେ ମଧ୍ୟ ଫେରାର୍‌ ଅଭିଯୁକ୍ତ ଠାବ ନ ହେବା ପର୍ଯ୍ୟନ୍ତ ସେସବୁ ପ୍ରମାଣଯୋଗ୍ୟ ନୁହେଁ ବୋଲି ପୁଲିସ ଚିନ୍ତାରେ ଅଛି। ସେହିଭଳି ବବୁଲ୍‌ଙ୍କ ମୋବାଇଲ୍‌ ଫୋନ୍‌ ସେଟ୍‌ ମଧ୍ୟ ଜବତ ହୋଇନଥିବା ପୁଲିସ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି। ତେବେ ବବୁଲ୍‌ଙ୍କ ଭଉଣୀ ପୂଜାକୁ ଏକତରଫା ଭଲ ପାଉଥିବା ବିଫଳ ପ୍ରେମିକ ରାଜା ପ୍ରତିଶୋଧ ନେବାକୁ ଯାଇ ଏଭଳି ଷଡ଼୍‌ଯନ୍ତ୍ର ରଚିଥିଲା ବୋଲି ଆପାତତଃ ପ୍ରମାଣ ମିଳିଛି ଓ ପୁଲିସ ସମ୍ମୁଖରେ ଅଟକ ଥିବା ରାଜା ମାନିଛି ବୋଲି ଜଣାପଡ଼ିଛି।

ମୁଖ୍ୟ ଅଭିଯୁକ୍ତ ରାଜା ବବୁଲ୍‌ଙ୍କ ଭଉଣୀ ପୂଜାଙ୍କୁ ଏକତରଫା ଭଲ ପାଉଥିଲା। ମାତ୍ର ପୂଜା ରାଜି ନହେବାରୁ ସେ ବାଟରେଘାଟରେ ତାଙ୍କୁ ଖରାପ ବ୍ୟବହାର ପ୍ରଦର୍ଶନ କରୁଥିଲା। ପୂଜାଙ୍କ ବାହାଘର ସ୍ଥିର ହେବା ପରଠାରୁ ରାଜା ପ୍ରତିଶୋଧ ପରାୟଣ ହୋଇଉଠିଥିଲା। ପୂଜା ଓ ତାଙ୍କ ପରିବାର ଉପରେ ରାଗ ସୁଝାଇବାକୁ ସେ ଏକମାତ୍ର ପୁଅ ବବୁଲକୁ ମାରିଦେବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲା। ପୂର୍ବରୁ ରାଜା ବବୁଲ୍‌ଙ୍କ ପରିବାରକୁ ଧମକ ଦେଇଥିଲେ ବି ସେମାନେ ଗୁରୁତ୍ବ ଦେଇନଥିଲେ। ଏଣେ ପୂଜାଙ୍କ ବାହାଘର ଯେତିକି ପାଖେଇ ଆସୁଥିଲା, ରାଜା ସେତିକି ପ୍ରତିହିଂସା ପରାୟଣ ହୋଇଉଠୁଥିଲା।

ଶେଷରେ ବବୁଲକୁ ଏକୁଟିଆ ପାଇବାକୁ ସେ ତା’ର ଜଣେ ସାଙ୍ଗର ସହଯୋଗ ଲୋଡ଼ିଥିଲା। ପରିତାପର କଥା ଉକ୍ତ ଯୁବକ(ଫେରାର୍‌ ଥିବା) ବବୁଲ୍‌ର ବନ୍ଧୁ ହୋଇ ମଧ୍ୟ ରାଜା ସହ ହାତ ମିଳାଇଥିଲା। ‌ଯୋଜନାନୁସାରେ ବୁଧବାର ରାତିରେ ରାଜା ଉକ୍ତ ଯୁବକକୁ ମଦ ପିଆଇବା ପରେ ବବୁଲ୍‌କୁ ଫୋନ୍‌ କରିବାକୁ କହିଥିଲା। ତେଣୁ ଉକ୍ତ ଯୁବକ ଫୋନ୍‌ କରି ବବୁଲ୍‌କୁ ଡକାଇଥିଲା। ବବୁଲ୍‌ ଘରୁ ଆସିବା ପରେ ସେ ତାକୁ ଚତୁରତାର ସହ ବୋଧଖଣ୍ଡି ଧନୁଆ ନଈ ବନ୍ଧକୁ ଡାକି ନେଇଥିଲେ। ସେଠାରେ ପୂର୍ବରୁ ରାଜା ପ୍ରସ୍ତୁତ ହୋଇଥିଲା ଓ ବବୁଲଙ୍କୁ ଅତର୍କିତ ଆକ୍ରମଣ କରିଥିଲା। ଧାରୁଆ ଅସ୍ତ୍ରରେ ମୁଣ୍ଡକୁ ଆଘାତ କରିବା ପରେ ବିଲ ପଙ୍କ କାଦୁ‌ଅରେ ସେମାନେ ବବୁଲ୍‌ ମୁହଁକୁ ମାଡ଼ିଦେଇଥିଲେ। ବବୁଲ୍‌କୁ ହତ୍ୟା କରି ସାରିବା ପରେ ସେମାନେ ଘରକୁ ଫେରିଆସିଥିଲେ। ସକାଳୁ ପୁଲିସ ରାଜାକୁ ଉଠାଇବା ପରେ ବବୁଲ୍‌କୁ ଡାକିଥିବା ଯୁବକ ଫେରାର୍ ହୋଇଯାଇଥିଲା।

ସମ୍ବନ୍ଧିତ ଖବର