ଜୟପୁର: ରାଜସ୍ଥାନର ଭଜନଲାଲଙ୍କ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇଥିବା ବାବୁଲାଲ ଖରାଡ଼ିଙ୍କ ପରିବାରରେ ଦୁଇ ପତ୍ନୀ ଅଛନ୍ତି ଏବଂ ତାଙ୍କର ଉଭୟ ପତ୍ନୀ ଏକାଠି ରହୁଛନ୍ତି। ତାଙ୍କର ଦୁଇ ପୁଅ ଓ ଦୁଇ ଝିଅ ଅଛନ୍ତି। ଚାରି ସନ୍ତାନ ବିବାହିତ। ବଡ଼ ପୁଅ ଦେବେନ୍ଦ୍ର ଖରାଡି ଓ ପ୍ରଦ୍ୟୁମ୍ନ ଖରାଡି ଏବେ ଚାଷ କାର୍ଯ୍ୟରେ ନିୟୋଜିତ ଅଛନ୍ତି। ବାବୁଲାଲ ଖରାଡ଼ିଙ୍କର ଏକ ଟ୍ରାକ୍ଟର ଓ ଏକ ସ୍କର୍ପିଓ କାର୍ ରହିଛି। ଖାସ୍ କଥା ହେଉଛି ଚତୁର୍ଥ ଥର ବିଧାୟକ ହୋଇଥିବା ଖରାଡ଼ି ଏବେ ବି କେଲୁପୋଷସ୍ଥିତ ଝୁମ୍ପୁଡ଼ି ଘରେ ରହୁଛନ୍ତି।
ଖରାଡ଼ିଙ୍କର ନିଜସ୍ୱ ପକ୍କା ଘର ନାହିଁ। ଏହି ସରଳତା ପାଇଁ ବିଜେପିର ଅନେକ ବଡ ବଡ ନେତା ତାଙ୍କୁ ପ୍ରଶଂସା କରିଛନ୍ତି। ବିଜେପିର ପୂର୍ବତନ ରାଜ୍ୟ ସଭାପତି ସତୀଶ ପୁନିଆ, ରାଜ୍ୟ ପ୍ରଭାରୀ ବିଜୟା ରାହତକରଙ୍କ ସମେତ ବହୁ ନେତା ତାଙ୍କ ଘରେ ପହଞ୍ଚିଥିଲେ। ଖରାଡି ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ବ୍ଲକ୍ କେୟାରଟେକର ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି। ବିଧାୟକ ହେବା ପୂର୍ବରୁ ସେ ବ୍ଲକ୍ କେୟାରଟେକର ଥିବା ବେଳେ ଏକ ଘରୋଇ ସ୍କୁଲରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିଲେ।

Advertisment

ବାବୁଲାଲ ବନବାସୀ କଲ୍ୟାଣ ପରିଷଦ ଦ୍ୱାରା ପରିଚାଳିତ ବିଦ୍ୟାଳୟର ସୁପରଭାଇଜର ଥିଲେ। ତାଙ୍କ କାର୍ଯ୍ୟ ଓ ସରଳତାକୁ ଦେଖି ବିଜେପି ତାଙ୍କୁ ୧୯୮୭ ମସିହାରେ କୋଟଡା ମଣ୍ଡଳ ଯୁବ ମୋର୍ଚ୍ଚାର ସଭାପତି କରିଥିଲା, ଯାହା କି ତାଙ୍କ ରାଜନୀତିର ଟର୍ଣ୍ଣିଂ ପଏଣ୍ଟ ଥିଲା। ୧୯୯୫ରେ ସେ ପ୍ରଥମ ଥର ପାଇଁ ଜିଲ୍ଲା ପରିଷଦ ସଭ୍ୟ ଭାବେ ନିର୍ବାଚନ ଲଢ଼ିଥିଲେ। ଏହାପରେ ୨୦୦୦ ମସିହାରେ ସେ କୋଟଡାର ଜିଲ୍ଲା ପରିଷଦ ମୁଖ୍ୟ ହୋଇଥିଲେ। ୧୯୯୮ରେ ବାବୁଲାଲ ପ୍ରଥମ ଥର ପାଇଁ ବିଜେପି ଟିକେଟ୍‌ରେ ଲଢ଼ି ବିଧାନସଭା ନିର୍ବାଚନରେ ପରାଜିତ ହୋଇଥିଲେ। ଏହାପରେ ୨୦୦୩ରେ ଦ୍ୱିତୀୟ ଥର ପାଇଁ ବିଜେପି ତାଙ୍କ ଉପରେ ଆସ୍ଥା ପ୍ରକଟ କରିଥିଲା ଏବଂ ସେ ବିଧାୟକ ହୋଇଥିଲେ। ୨୦୦୮ରେ ଦ୍ୱିତୀୟ ଥର ଜିତିଥିଲେ। ତୃତୀୟ ଥର ୨୦୧୩ରେ ନିର୍ବାଚନ ହାରିଥିବା ବେଳେ ୨୦୧୮ରେ ପୁଣି ପଞ୍ଚମ ଥର ପାଇଁ ବିଜେପି ଟିକେଟ ଦେଇଥିଲା, ଯେଉଁଥିରେ ସେ ବିଜୟୀ ହୋଇଥିଲେ। ୨୦୨୩ରେ ଝାଡୋଲ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ବିଜେପି ତାଙ୍କୁ ଷଷ୍ଠ ଥର ବିଧାୟକ ପ୍ରାର୍ଥୀ କରିଥିଲା, ଯେଉଁଥିରେ କଡ଼ା ମୁକାବିଲା ସତ୍ତ୍ୱେ ସେ ଚତୁର୍ଥ ଥର ପାଇଁ ଜିତିଥିଲେ। ଝାଡୋଲ ବିଧାନସଭାରୁ ଜିତିଥିବା ସମସ୍ତ ବିଧାୟକଙ୍କୁ ଆଜିଯାଏ ବିରୋଧୀ ଦଳରେ ବସିବାକୁ ପଡ଼ିଥିଲା, କିନ୍ତୁ ପ୍ରାୟ ୨୦ ବର୍ଷ ପରେ ପ୍ରଥମ ଥର ପାଇଁ ଝାଡ଼ୋଲ ବିଧାୟକଙ୍କ ଦଳ ସରକାର ଗଢ଼ିଛି ଏବଂ ତାଙ୍କୁ ମନ୍ତ୍ରିପଦ ବି ମିଳିଛି।