ଭୁବନେଶ୍ବର: ବାବୁସାନ୍ ମାଆ ଅପରାଜିତା ମହାନ୍ତିଙ୍କ ସହ ଘରୁ ବାହାରିଛନ୍ତି। ସେ ଜଗନ୍ନାଥ ବିହାର ଘରୁ କେଉଁଠାକୁ ଯାଉଛନ୍ତି, ସେନେଇ କୌଣସି ସ୍ପଷ୍ଟ ସୂଚନା ନ ଥିଲେ ବି ଆଜି ଖାରବେଳ ଥାନାରେ ବାବୁସାନ୍ ହାଜର ହୋଇପାରନ୍ତି ବୋଲି କୁହାଯାଉଛି। ଉଭୟେ ତୃପ୍ତିଙ୍କ ଘରକୁ ଯାଇଥିବାର ବି ଆକଳନ କରାଯାଉଛି।
ଏଣେ ବାବୁସାନ୍ ଆଜି ନିଜର ଜନ୍ମଦିନରେ ନିଜ ଘର ବାଲକୋନିକୁ ଆସି ସମସ୍ତଙ୍କୁ ନମସ୍କାର କରିଛନ୍ତି। ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଣେ ତାଙ୍କ ଘର ସାମ୍ନାରେ ଫ୍ୟାନମାନଙ୍କର ଭିଡ଼ ଲାଗି ରହିଛି।
ଅଭିନେତା ବାବୁସାନଙ୍କ ବୈବାହିକ ଜୀବନରେ ଉଠିଥିବା ଝଡ଼ ଖୁବ୍ ଶୀଘ୍ର ଥମିଯିବ ବୋଲି ମନେହେଉଛି। ବାବୁସାନ୍ ମହାନ୍ତି ଓ ପତ୍ନୀ ତୃପ୍ତିଙ୍କ ଭିତରେ ଉପୁଜିଥିବା ମନୋମାଳିନ୍ୟ ଦୂର ହେବ ବୋଲି ଆଶା କରାଯାଉଛି। ବାବୁସାନଙ୍କ ମାମୁ କୁହାଯାଉଥିବା ତଥା ତାଙ୍କ ପରିବାରର ଘନିଷ୍ଠ ଅଭିନେତା ରବି ମିଶ୍ର ଏ ନେଇ ଉଦ୍ୟମ ଆରମ୍ଭ କରିଛନ୍ତି । ସମସ୍ୟାର ଆପୋଷ ବୁଝାମଣା ଲାଗି ସେ ତୃପ୍ତିଙ୍କ ସହ ଆଲୋଚନା କରିଛନ୍ତି। ଏବେ ସବୁ କିଛି ତୃପ୍ତିଙ୍କ ଉପରେ ନିର୍ଭର କରୁଛି। ତୃପ୍ତି ଚାହିଁଲେ ପୁଣି ଥରେ ତାଙ୍କ ପରିବାର ଏକାଠି ହେବ ବୋଲି ଚର୍ଚ୍ଚା ହେଉଛି । ଗଣମାଧ୍ୟମରେ ନିଜ ମତ ରଖି ତୃପ୍ତିଙ୍କ ମାଉସୀ କହିଛନ୍ତି କି ‘ସେମାନେ ଆସିଲେ। ତୃପ୍ତି ଓ ପିଲା ଭଲ ଅଛନ୍ତି କି ନାହିଁ ବୁଝିକି କଥାବାର୍ତ୍ତା ହୋଇଗଲେ। ଆଲୋଚନା ସମୟରେ ତୃପ୍ତି କହିଛି- ‘‘ଆଇ ଉଇଲ୍ ୱେଟ୍ ଆଣ୍ଡ୍ ୱାଚ୍( ମୁଁ ଅପେକ୍ଷା କରିବି ଓ ଦେଖିବି)।’’
ପତି-ପତ୍ନୀଙ୍କ ମଧ୍ୟରେ ଉପୁଜିଥିବା ବିବାଦର ସମାଧାନ କରିବାକୁ ତୃପ୍ତିଙ୍କ ସତ୍ୟନଗର ଘରେ ଆଉ ଜଣଙ୍କୁ ସାଙ୍ଗରେ ଧରି ପହଞ୍ଚିଥିଲେ ଅଭିନେତା ରବି ମିଶ୍ର । ଆପଣ ଜାଣିଥିବେ ନିଶ୍ଚୟ ଯେ ବାବୁସାନଙ୍କୁ ଓଡ଼ିଶା ଫେରାଇ ଆଣିବାରେ ରବି ମିଶ୍ରଙ୍କର ଭୂମିକା ଖୁବ୍ ଗୁରୁତ୍ବପୂର୍ଣ୍ଣ ଥିଲା । ସେ ତୃପ୍ତିଙ୍କ ଘରୁ ବାହାରି ଗଣମାଧ୍ୟମରେ ତାଙ୍କର ବୟାନ ଦେଇ କହିଛନ୍ତି ଯେ ‘ଖୁବ୍ ଶୀଘ୍ର ସମାଧାନର ବାଟ ବାହାରିବ’।