ଥାନାରେ ହାଜର ହେଲେ ବାବୁସାନ୍‌

ଭୁବନେଶ୍ବର : ଓଲିଉଡ୍ ଅଭିନେତା ବାବୁସାନ ପୁଲିସ ଜେରାର ସମ୍ମୁଖୀନ ହୋଇଛନ୍ତି। ଶନିବାର ତାଙ୍କ ଜନ୍ମଦିନ ସତ୍ତ୍ବେ ପୁଲିସ ନୋଟିସ୍‌ ପାଇ ସେ ଥାନାକୁ ଯାଇଥିଲେ। ଶନିବାର ପୂର୍ବାହ୍ନରେ ମା’ ଅପରାଜିତା ଓ ସଂପର୍କୀୟ ମାମୁ ରବି ମିଶ୍ରଙ୍କ ସହିତ ଖାରବେଳନଗର ଥାନାରେ ହାଜର ହୋଇଥିଲେ। ପ୍ରାୟ ୪୫ ମିନିଟ୍ କାଳ ଥାନା ଅଧିକାରୀ ଅରୁଣ କୁମାର ସ୍ବାଇଁ ଓ ତଦନ୍ତକାରୀ ଅଧିକାରୀ ତାଙ୍କୁ ଜେରା କରିଥିଲେ। ଏନେଇ ଥାନା ଅଧିକାରୀ ଶ୍ରୀ ସ୍ବାଇଁ କୌଣସି ସୂଚନା ଦେବାକୁ ମନା କରିଥିବା ବେଳେ ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି। ତେବେ ଜେରା କରିବା ସମୟରେ ସେ ପୁଲିସକୁ ପୂର୍ଣ୍ଣ ସହଯୋଗ କରିଛନ୍ତି ବୋଲି ଥାନା ଅଧିକାରୀ କହିଛନ୍ତି।

ସୂଚନା‌ଯୋଗ୍ୟ ଯେ ବାବୁସାନଙ୍କ ବିରୋଧରେ ପତ୍ନୀ ତୃପ୍ତି ଶତପଥୀ ମାନସିକ ନିର୍ଯାତନାର ଅଭିଯୋଗ ଆଣିଥିଲେ। ଯେଉଁଥି ପାଇଁ ପୁଲିସ ତାଙ୍କ ବିରୋଧରେ ୪୯୮(କ) ଦଫାରେ ମାମଲା ରୁଜୁ କରିଥିଲା। ତେଣୁ ଜେରା ବେଳେ ପୁଲିସ ଅଧିକାରୀ ବାବୁସାନଙ୍କୁ ସେ ସମ୍ବନ୍ଧରେ ଅନେକ ପ୍ରଶ୍ନ କରିଥିବା ସୂଚନା ମିଳିଛି। ପତ୍ନୀ ତୃପ୍ତିଙ୍କୁ ଅଣଦେଖା କରିବା ଅଭିଯୋଗ ସତ୍ୟ କି ନାହିଁ, କାହିଁକି ତାଙ୍କ ପତ୍ନୀ ନିର୍ଯାତନାର ଅଭିଯୋଗ ଆଣିଲେ, ତାଙ୍କୁ ଏମିତି ଅନେକ ପ୍ରଶ୍ନ କରାଯାଇଥିବା ସୂତ୍ରରୁ ଜଣାପଡ଼ିଛି। ତେବେ ବାବୁସାନ୍ ଓ ତୃପ୍ତିଙ୍କ ମଧ୍ୟରେ ଉପୁଜିଥିବା ବିବାଦ ଏକ ପ୍ରକାର ସମାଧାନ ଆଡ଼କୁ ଗତି କରୁଥିବାରୁ ମାମଲାର ଫାଇନାଲ୍ ରିପୋର୍ଟ ହୋଇନପାରେ ବୋଲି ଅନୁମାନ କରାଯାଉଛି। କାରଣ ନିୟମ ଅନୁଯାୟୀ, ଥାନାରେ ଥରେ ମାମଲା ରୁଜୁ ହେଲେ ପ୍ରତ୍ୟାହାର ହୋଇନଥାଏ। ମାତ୍ର ଅଭିଯୋଗକାରୀ ବୟାନ ବଦଳାଇଲେ ମାମଲା ଆଉ ଆଗକୁ ବଢ଼ିନଥାଏ। ସେହିଭଳି ବାବୁସାନଙ୍କ ବିରୋଧରେ ଲାଗିଥିବା ଦଫା ପାରିବାରିକ ହିଂସା ଜନିତ ଅଟେ। ଯଦି ମାମଲା ରୁଜୁ ହେବା ପରେ ଉଭୟ ପତି ପତ୍ନୀଙ୍କ ମଧ୍ୟରେ ଆପୋସ ସମାଧାନ ହୁଏ, ସେମାନେ ଏକ ଲିଖିତ ପ୍ରତିଶ୍ରୁତି ଥାନାକୁ ଦେଇଥାନ୍ତି। ପୁଲିସ ଦମ୍ପତିଙ୍କର ପାରିବାରିକ ଜୀବନକୁ କିଛି ମାସ ବା ବର୍ଷ ଅନୁଧ୍ୟାନ କରିବା ପରେ ଚାର୍ଜସିଟ୍ ଦାଖଲ କରିଥାଏ। ଯଦି ସେମାନଙ୍କ ପାରିବାରିକ ଜୀବନ ଶୃଙ୍ଖଳିତ ଭାବରେ ଚାଲେ, ତେବେ ଫାଇନାଲ୍ ଚାର୍ଜସିଟ୍‌ରେ ଏହାକୁ ମିସ୍‌ଟେକ୍ ଅଫ୍ ଫାକ୍ଟ ବା ଲ’ ବୋଲି ଉଲ୍ଲେଖ କରାଯାଏ। ତେଣୁ ଆପୋସ ସମାଧାନ ହେଲେ ବାବୁସାନଙ୍କ ବିରୋଧରେ ରୁଜୁ ହୋଇଥିବା ମାମଲା ମିସ୍‌ଟେକ୍ ଅଫ୍ ଫାକ୍ଟ୍ ବା ଲ’ ହେବାର ସମ୍ଭାବନା ରହିଛି।

ଶନିବାର ଦିନ ବାବୁସାନଙ୍କ ଜନ୍ମଦିନ ଥିବାରୁ ତାଙ୍କ ଘର ସାମ୍ନାରେ ସକାଳୁ ପ୍ରଶଂସକଓ ଗଣମାଧ୍ୟମ ପ୍ରତିନିଧିଙ୍କ ଭିଡ଼ ଲାଗିଥିଲା। ମା’ ଅପରାଜିତା ଓ କିଛି ସମ୍ପର୍କୀୟଙ୍କ ସହ ସେ ବାଲ୍‌କୋନିକୁ ଆସି ପ୍ରଶଂସକଙ୍କୁ ଭେଟିଥିଲେ।

ସମ୍ବନ୍ଧିତ ଖବର