ଚିଣ୍ଟୁ ପାଇଁ ଧାଇଁ ଆସିଲେ ବାବୁସାନ: ଉତ୍ସାହ ଦେଲେ, ହସାଇଲେ; ୬ ମାସ ପରେ ଲାଗିବ ନୂଆ ହାତ !

ଏସ୍‌ସିବିରେ ଦୁଇ ହାତ, ଗୋଡ଼ ହରାଇଥିବା ନାବାଳକ

କଟକ: ବିଦ୍ୟୁତ ଆଘାତରେ ଦୁଇହାତ ଓ ଗୋଟେ ଗୋଡ଼ ହରାଇଥିବା ୧୪ବର୍ଷର ନାବାଳକ ଚିଣ୍ଟୁର କାନ୍ଦ ଓ ଡାକ ଶୁଣି ଓଡ଼ିଆ ସିନେ ଷ୍ଟାର ବାବୁସାନ ଆଜି ସକାଳୁ ସକାଳୁ ଧାଇଁ ଆସିଥିଲେ କଟକ ବଡ଼ ମେଡିକାଲ। ବାବୁସାନ ସିଧା ବଡ଼ ମେଡିକାଲ ବର୍ଣ୍ଣୱାର୍ଡରେ ପହଞ୍ଚି ଚିଣ୍ଟୁକୁ ଭେଟିଥିଲେ। ମୋତେ ଖୋଜୁଥିଲୁ.. ଏବେ ଆସିଗଲି.. କହି ହସାଇଲେ। ସାନ୍ତନା ଦେ‌ଲେ। ବେକରେ ପିନ୍ଧିଥିବା ମାଳ କାଢି ଚିଣ୍ଟୁର ମୁଣ୍ଡ‌ରେ ଲଗାଇ ଦେଇଥିଲେ ବାବୁସାନ୍। ଭଗବାନ ସବୁ କିଛି ଠିକ୍ କରିଦେବେ କହି ପରିବାର ଲୋକଙ୍କୁ ଧୈର୍ଯ୍ୟ ଧରିବାକୁ ପରାମର୍ଶ ଦେଇଥିଲେ। ଚିଣ୍ଟୁର ମୁଣ୍ଡକୁ ଆଉଁସି ଦେବା ସହିତ ଗଲାବେଳେ ଆବଶ୍ୟକ ସହଯୋଗ ଯୋଗାଇ‌ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।

ପ୍ଲାଷ୍ଟିକ୍ ସର୍ଜନ ଡାକ୍ତର ବିଭୂତି ନାୟକଙ୍କ ସହିତ କଥା ହୋଇ ଫେରିବା ପରେ ନିଜର ଫେସ୍‌ବୁକ ଆକାଉଣ୍ଟ‌ରେ ଫ‌ଟୋ ପୋଷ୍ଟ କରିବା ସହିତ ଭଗବାନଙ୍କ ନିକଟରେ ଚିଣ୍ଟୁର ଆରୋଗ୍ୟ କାମନା କରିଥିଲେ ବାବୁସାନ୍। ଅନ୍ୟପକ୍ଷରେ, ଚିକିତ୍ସା ଦାୟିତ୍ବରେ ଥିବା ପାଷ୍ଟିକ୍ ସର୍ଜନ ଡାକ୍ତର ବିଭୂତି ନାୟକ ମଧ୍ୟ ନିଜ ଆଡୁ ଚିଣ୍ଟୁର ସମସ୍ତ ଚିକିତ୍ସ‌ା ଦାୟିତ୍ବ ନିଆଯିବ ବୋଲି କହିଛନ୍ତି। ‌ସେ କହିଛନ୍ତି ଯେ, ଚିଣ୍ଟୁର ଚିକିତ୍ସାକୁ ସ୍ବତନ୍ତ୍ର ଭାବେ ଗୁରୁତ୍ବ ଦିଆଯିବ। ୬ମାସ ପରେ କିଡନି ପ୍ରତ୍ୟାରୋପଣ ଭଳି କିଭଳି ହାତର ପ୍ରତ୍ୟାରୋପଣ ହୋଇପାରିବ, ସେଥିପାଇଁ ଉଦ୍ୟମ କରାଯିବ।
ଉଲ୍ଲେଖଯୋଗ୍ୟ ଯେ, ବିଦ୍ୟୁତ୍ ଆଘାତ‌‌ରେ ନିଜର ଦୁଇ ହାତ ଓ ଗୋଟେ ଗୋଡ଼ ହରାଇଥିବ ଚିଣ୍ଟୁଙ୍କ ଦୁର୍ଦ୍ଦଶାକୁ ନେଇ ଆଜି ‘ସମ୍ବାଦ’ରେ ଖବର ପ୍ରକାଶ ପାଇବା ପରେ ତାଙ୍କ ପାଖକୁ ସବୁଆଡୁ ସମବେଦନାର ସୁଅ ଛୁଟିଛି। ଚିଣ୍ଟୁଙ୍କୁ ସହଯୋଗ କରିବାକୁ କିଛି ବ୍ୟକ୍ତି ଓ ଅନୁଷ୍ଠାନ ଆଗ୍ରହ ପ୍ରକାଶ କରିଛନ୍ତି। ଢେଙ୍କାନାଳ ଜିଲ୍ଲା, କାମାକ୍ଷାନଗର ଅଞ୍ଚଳର ନବମ‌ ଶ୍ରେଣୀର ଛାତ୍ର ଚିଣ୍ଟୁ ୧୧ କେଭି ବିଦ୍ୟୁତ ତ‌ାର ସଂସ୍ପର୍ଶରେ ଆସି ଗୁରୁତର ଆହତ ହୋଇଥିଲେ। ପରେ ତାଙ୍କୁ ଚିକତ୍ସା ପାଇଁ କଟକ ଅଣାଯାଇଥିଲା। ଗତ ସପ୍ତାହରେ କଟକ ବଡ଼ମେଡିକାଲରେ ଚିଣ୍ଟୁର ଅସ୍ତ୍ରୋପଚାର କରାଯାଇ ଦୁଇ ହାତ ଓ ଡାହାଣ ଗୋଡ କଟାଯାଇଥିଲା।

ସେପଟେ ଏଭଳି ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିବା ଚିଣ୍ଟୁକୁ ଏ ଯାଏ ବିଦ୍ୟୁତ୍ ବିଭାଗ ସହାୟତା କି ସମବେଦନା ଜଣାଇନଥିବାରୁ ମାନବାଧିକାର କର୍ମୀ ଜୟନ୍ତ ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ବିଦ୍ୟୁତ ବିଭାଗ ନାମରେ ଏ ନେଇ ସେ ଆସନ୍ତାକାଲି ୫୦ଲକ୍ଷ ଟଙ୍କାର କ୍ଷତିପୂରଣ ଦାବି କରି ଏକ ମାମଲା ରୁଜୁ କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର