ଭୁବନେଶ୍ବର: ଗତ ୨୩ ତାରିଖ ସକାଳୁ ଓଲିଉଡ୍ ନାୟିକା ପ୍ରକୃତି ମିଶ୍ରଙ୍କୁ ଅଭିନେତା ବାବୁସାନଙ୍କ ପତ୍ନୀ ତୃପ୍ତି ଶତପଥୀ ଟଣାଓଟରା କରୁଥିବାର ଏକ ଭିଡିଓ ଭାଇରାଲ୍ ହେବାକୁ ନେଇ ରାଜ୍ୟ ସାରା ଚର୍ଚ୍ଚା ହୋଇଥିଲା। ଏହି ଘଟଣା ପରେ ବାବୁସାନ୍ ଚେନ୍ନାଇ ଯାଇଥିଲେ। ବାବୁସାନ୍ ଆଜି ଭୁବନେଶ୍ବର ଫେରିବା ପରେ ତାଙ୍କ ଘର ସାମ୍ନାରେ ଗଣମାଧ୍ୟମର ପ୍ରତିନିଧି ଓ ତାଙ୍କର ହଜାର ହଜାର ପ୍ରଶଂସକ ପ୍ରବଳ ଭିଡ ଲଗାଇଥିଲେ। ବାବୁସାନ୍ଙ୍କ ଟିକେ ଝଲକ ପାଇଁବା ପାଇଁ ପ୍ରଶଂସକମାନେ ବ୍ୟସ୍ତ ହୋଇପଡ଼ିଥିଲେ। ସେହିପରି ଗଣମାଧ୍ୟମର ପ୍ରତିନିଧିମାନେ ବାବୁସାନ୍ କ’ଣ କହିବେ ତାହା ଜାଣିବା ଲାଗି ଅପେକ୍ଷା କରିଥିଲେ। କିନ୍ତୁ ବାବୁସାନ୍ ଚେନ୍ନାଇରୁ ଆସି ଥକି ପଡ଼ିଥିବାରୁ ଦର୍ଶକ କିମ୍ବା ଗଣାମଧ୍ୟମ ସାମ୍ନାକୁ ଆସିପାରି ନ ଥିଲେ।
ତେବେ ଗଣମାଧ୍ୟମର ସାମ୍ନାକୁ ଆସିପାରି ନ ଥିବାରୁ ବାବୁସାନ୍ଙ୍କ ମା’ ତଥା ଓଲିଉଡର ବରିଷ୍ଠ ଅଭିନେତ୍ରୀ ଅପରାଜିତା ମହାନ୍ତି ଏକ ଭିଡିଓ ବାର୍ତ୍ତା ଜାରି କହିଛନ୍ତି। ସେ କହିଛନ୍ତି, ବାବୁସାନ୍ କ୍ଲାନ୍ତ ହୋଇପଡ଼ିଛି। ତାକୁ ବିଶ୍ରାମ ଦରକାର। ଦୁଇ ଦିନ ବିଶ୍ରାମ ନେଲା ପରେ ଆପଣମାନଙ୍କ ସାମ୍ନାକୁ ଆସିବ। ସବୁ କଥା କହିବ। ଗଣମାଧ୍ୟମର ପ୍ରତିନିଧିଙ୍କୁ ଅନୁରୋଧ କରି ଅପରାଜିତା କହିଛନ୍ତି ଯେ, ମୁଁ ଦୁଇଦିନ ପରେ କହିବି। ବାବୁ ମଧ୍ୟ କହିବ। ଏଠି ଆପଣମାନେ ଠିଆ ହୁଅନ୍ତୁ ନାହିଁ। ଆପଣମାନେ ଖରାରେ ଦୀର୍ଘ ସମୟ ଅପେକ୍ଷା କରିଥିବାରୁ ମୋତେ ଦୁଃଖ ଲାଗୁଛି।
ବର୍ତ୍ତମାନ ବାବୁସାନ୍ ବରମୁଣ୍ଡାସ୍ଥିତ ଘରେ ବାପା ଉତ୍ତମ ମହାନ୍ତି ଓ ମା’ ଅପରାଜିତା ମହାନ୍ତିଙ୍କ ପାଖରେ ଅଛନ୍ତି। ଆଜି ବାବୁସାନ୍ ଯେତେବେଳେ ଘରକୁ ଆସିଲେ ପୁଅକୁ ପାଇ ମା’ ଅପରାଜିତାଙ୍କ ଆଖି ଲୁହରେ ଭରିଯାଇଥିଲା। ବାବୁସାନ ଚେନ୍ନାଇ ଯିବା ପରେ ଗଣମାଧ୍ୟମ ଜରିଆରେ ଅପରାଜିତା ପୁଅକୁ ଘରକୁ ଫେରି ଆସିବାକୁ କହିଥିଲେ ।
ସୂଚନାଯୋଗ୍ୟ, ବାବୁସାନ୍ ଆଜି ସକାଳ ପ୍ରାୟ ୮ଟା ୪୦ ମିନିଟ ସମୟରେ ଭୁବନେଶ୍ବରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚି ଥିଲେ। ତାଙ୍କୁ ଅପେକ୍ଷା କରିଥିବା ଗଣମାଧ୍ୟମ ପ୍ରତିନିଧିଙ୍କୁ ବାବୁସାନ୍ କେବଳ ଏତିକି କହିଥିଲେ ଯେ ମୋତେ ମୋ ବାପାମାଆଙ୍କ ପାଖକୁ ଯିବାକୁ ଦିଅନ୍ତୁ। ତେବେ ଯାହା କହିବା କଥା ତାହା ଠିକ୍ ସମୟରେ କହିବି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/64ff6528-6fce-44fd-a081-3cd40cac14fd.jpg)