ଯାଜପୁର ସଦର: ନଗଡ଼ା ଅପପୁଷ୍ଟି ଅପବାଦ ପରେ ଶିଳ୍ପ ସମୃଦ୍ଧ ଯାଜପୁର ଜିଲ୍ଲା ଟାଉନ ଥାନା ଅଞ୍ଚଳରେ ପିଲା ବିକ୍ରି ଅଭିଯୋଗକୁ ନେଇ ତନାଘନା ଆରମ୍ଭ ହୋଇଛି। ଦାରିଦ୍ର୍ୟ ଯୋଗୁଁ ମା’ ନିଜ ଶିଶୁପୁତ୍ରକୁ ଅନ୍ୟଜଣକୁ ମାତ୍ର ୭ ହଜାର ଟଙ୍କାରେ ବିକ୍ରି କରିଥିବା ବେଳେ ଚାଇଲ୍ଡଲାଇନ୍ ଶିଶୁପୁତ୍ରଟିକୁ ଉଦ୍ଧାର କରିଛି। ଅନ୍ୟପକ୍ଷରେ ପିଲାଟିକୁ କିଣିଥିବା ଦମ୍ପତିଙ୍କୁ ପୁଲିସ ଅଟକ ରଖିଛି। ସୂଚନା ଅନୁସାରେ, ଯାଜପୁର ଟାଉନ ଥାନା ଅନ୍ତର୍ଗତ ବିରଜା ମନ୍ଦିର ନିକଟରେ ବିକ୍ରମ ମୁଣ୍ଡା ଓ ପତ୍ନୀ ଜଙ୍ଗା ମୁଣ୍ଡା ଅନେକ ବର୍ଷରୁ ରହି ଆସୁଛନ୍ତି। ମାସକ ତଳେ ସେମାନଙ୍କର ଏକ ପୁଅ ଜନ୍ମ ହୋଇଥିଲା। ଦାରିଦ୍ର୍ୟ ଯୋଗୁଁ ଉଭୟଙ୍କର ଚଳିବାରେ ସମସ୍ୟା ହେବାରୁ ଜଙ୍ଗା ତାଙ୍କ ଶିଶୁପୁତ୍ରକୁ ଟାଉନ ଥାନା ଅଙ୍କୁଲା ଅଞ୍ଚଳର ମୋହନ ଜେନାଙ୍କୁ ରଖିବାକୁ ଦେଇଥିଲେ। ମୋହନ ପିଲାକୁ ନିଜ ପାଖରେ ନ ରଖି ସମ୍ପର୍କୀୟ ଟାଉନ ଥାନା ଅନ୍ତର୍ଗତ ହଳଦିପଦା ଅଞ୍ଚଳର ଜଳିଆ ଜେନାଙ୍କୁ ଦେଇଥିଲେ।
ଏହାର ପ୍ରତିବଦଳରେ ମୋହନ ଶିଶୁପୁତ୍ରର ମା’ଙ୍କୁ ୭ ହଜାର ଟଙ୍କା ଦେଇଥିଲେ। ତେବେ ମା’ ଜଙ୍ଗା ମୁଣ୍ଡା ପୁଅକୁ ସ୍ତନ୍ୟପାନ କରାଇବାକୁ ଯାଉଥିଲେ। ମାତ୍ର ଶିଶୁପୁତ୍ରକୁ ରଖିଥିବା ଜଳିଆଙ୍କ ପରିବାର ପକ୍ଷରୁ ଶିଶୁର ମା’ଙ୍କୁ ସ୍ତନ୍ୟପାନ କରାଇବାକୁ ବାରଣ କରାଯାଇଥିଲା। ପରେ ଜଙ୍ଗା ନିଜ ପୁଅକୁ ଫେରାଇ ଦେବାକୁ କହିଥିଲେ। ମାତ୍ର ଜେନା ପରିବାର ଟଙ୍କା ଦେଇ ପିଲା କିଣିଥିବାରୁ ପିଲାକୁ ଫେରାଇବାକୁ ମନା କରି ଦେଇଥିଲେ। ଏ ସଂପର୍କରେ ଖବର ପାଇବା ପରେ ଥାନା ଅଧିକାରୀ ଶରତ ପାତ୍ର ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇଥିଲେ। ଆଜି ଶିଶୁ ସୁରକ୍ଷା ଅଧିକାରୀ ନିରଞ୍ଜନ କରଙ୍କ ନିର୍ଦ୍ଦେଶକ୍ରମେ ଚାଇଲ୍ଡ ଲାଇନ୍ର ସଂଯୋଜକ ବରେନ୍ଦ୍ର ଦାଶ ଓ ପୁଲିସ ମିଳିତ ଭାବେ ଚଢ଼ଉ କରି ଶିଶୁପୁତ୍ରକୁ ଉଦ୍ଧାର କରି ଥାନାକୁ ଆଣିଥିଲେ। ଆସନ୍ତାକାଲି ଶିଶୁ ମଙ୍ଗଳ କମିଟିରେ ଶିଶୁକୁ ହାଜର କରାଯିବ ବୋଲି ଜଣାପଡ଼ିଛି।