ଏସ୍‌ସିବିରେ ଶିଶୁ ବଦଳ! : ପରିବାର ପକ୍ଷରୁ ଥାନାରେ ଏତଲା

କଟକ : କଟକ ବଡ଼ ମେଡିକାଲ୍‌ର ଗାଇନିଂ ଓ୍ଵାଡ୍‌ରେ ନବଜାତ ଶିଶୁ ବଦଳ ହୋଇଥିବା ଅଭିଯୋଗ ହୋଇଛି। ମେଡିକାଲ୍‌ କର୍ମଚାରୀ ଶିଶୁପୁତ୍ରକୁ ବଦଳ କରି ଜଣେ ଶିଶୁକନ୍ୟାକୁ ବେଡ୍‌ ଉପରେ ଛାଡ଼ିଥିବା ନେଇ ଆଜି ମଙ୍ଗଳାବାଗ ଥାନାରେ ଅଭିଯୋଗ ହେବା ପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ପୁଲିସ ମେଡିକାଲ୍‌ କର୍ମଚାରୀଙ୍କୁ ପଚରାଉଚରା କରିବା ସହିତ ଘଟଣାର ସତ୍ୟାସତ୍ୟ ପାଇଁ ସିସି କ୍ୟାମେରା ଯାଞ୍ଚ ଆରମ୍ଭ କରିଥିବା ସୂଚନା ମିଳିଛି । ପ୍ରକାଶ ଯେ ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁରରେ ରହୁଥିବା କଟକ ବକ୍ସିବଜାର ନାୟକ ସାହିର ପ୍ରହଲ୍ଲାଦ ମହାପାତ୍ରଙ୍କ ସ୍ତ୍ରୀ ମଧୁସ୍ମିତାଙ୍କୁ ଗତ ୨୬ ତାରିଖରେ ସନ୍ତାନ ପ୍ରସବ ପାଇଁ ବଡ଼ ମେଡିକାଲର ଗାଇନିଂ ଓ୍ଵାଡ୍‌ରେ ଭର୍ତ୍ତି କରାଯାଇଥିଲା। ଅପରାହ୍ନରେ ସିଜରିଂ କରାଯିବା ପରେ ମହିଳା ଜଣଙ୍କ ପ୍ରସବ କରିଥିଲେ। ପରେ ମଧୁସ୍ମିତା ଚିକିତ୍ସିତ ହେଉଥିବା ବେଡ୍‌ ନମ୍ବର ୫୦୬ ନିକଟକୁ ପରିବାର ଲୋକେ ଯିବାକୁ ଚେଷ୍ଟା କରିଥିଲେ ମଧ୍ୟ ମେଡିକାଲ୍‌ କର୍ମଚାରୀ ବାରଣ କରିଥିଲେ।

ପ୍ରହଲ୍ଲାଦଙ୍କ ଅଭିଯୋଗ ଅନୁଯାୟୀ, ପ୍ରାୟ ଏକ ଘଣ୍ଟା କାଳ ନବଜାତ ଶିଶୁର ଲିଙ୍ଗ ସମ୍ପର୍କରେ ପରିବାର ଲୋକଙ୍କୁ ଅବଗତ କରାଯାଇ ନଥିଲା। ତାଙ୍କ ଶାଶୂ ବେଡ୍‌ ନିକଟକୁ ଯିବା ବେଳେ ତାଙ୍କୁ ଭିତରକୁ ଛାଡ଼ି ନଥିଲେ। ତାଙ୍କର ଶିଶୁକନ୍ୟା ପ୍ରସବ ହୋଇଥିବା ମେଡିକାଲ୍‌ ପକ୍ଷରୁ ଅବଗତ କରାଯାଇଥିବା ଅଭିଯୋଗ କରିଛନ୍ତି ପ୍ରହଲ୍ଲାଦ। ମେଡିକାଲ୍‌ କର୍ମଚାରୀ ତାଙ୍କ ପୁତ୍ର ସନ୍ତାନକୁ ବଦଳ କରି କନ୍ୟା ସନ୍ତାନ ବେଡ୍‌ ନିକଟରେ ଛାଡ଼ି ଦେଇଯାଇଥିବା ସନ୍ଦେହ ହେଉଥିବାରୁ ଉକ୍ତ ଶିଶୁର ଡିଏନ୍‌ଏ ପରୀକ୍ଷା ପାଇଁ ପ୍ରହଲ୍ଲାଦ ଲିଖିତ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ଥାନା ଅଧିକାରୀ ଅରୁଣ ସ୍ୱାଇଁ କହିଛନ୍ତି ଯେ ପ୍ରହଲ୍ଲାଙ୍କ ଅଭିଯୋଗ ଆଧାରରେ ଏକ ଷ୍ଟେସନ ଡାଏରୀ ଏଣ୍ଟ୍ରି କରାଯାଇ ଘଟଣାର ତଦନ୍ତ ଚାଲିଛି।

ସମ୍ବନ୍ଧିତ ଖବର