ବଲାଙ୍ଗୀର ମେଡିକାଲରେ ଶିଶୁ ଅଦଳବଦଳ : ଗୁରୁତର ଶିଶୁର ମୃତ୍ୟୁ

ବଲାଙ୍ଗୀର : ପ୍ରତିଦିନ ବିଭିନ୍ନ ଅବ୍ୟବସ୍ଥା ଘେରରେ ରହୁଥିବା ବଲାଙ୍ଗୀର ମେଡିକାଲ କଲେଜରେ ପୁଣି ଏକ ବିରାଟ ଅବ୍ୟବସ୍ଥା ସାମ୍ନାକୁ ଆସିଛି। ମେଡିକାଲର ଏସଏନସିୟୁ ବିଭାଗରେ ଭର୍ତି ହୋଇଥିବା ୨ ଗୁରୁତର ଶିଶୁଙ୍କ ଅଦଳବଦଳ ହୋଇଥିବାବେଳେ ଜଣେ ଶିଶୁଙ୍କ ବୁର୍ଲା ମେଡିକାଲରେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏ ନେଇ ମୃତ ଶିଶୁର ବାପା-ମା’ ବଲାଙ୍ଗୀର ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି।

ଅଭିଯୋଗ ଅନୁସାରେ, ବଲାଙ୍ଗୀର ଜିଲ୍ଲା ଦେଓଗାଁ ବ୍ଲକ ଉଡ଼ାର ପ˚ଚାୟତ ବ୍ରାହ୍ମଣୀପାଲି ଗ୍ରାମର ଆଦିବାସୀ ଯୁବକ ପବିତ୍ର ଖଡ଼ିଆ(୩୫)ଙ୍କ ପତ୍ନୀ ପଙ୍କଜିନୀ(୨୬)ଙ୍କ ପ୍ରସବ ବେଦନା ହେବାରୁ ଗତ ୨୫ ତାରିଖ ଦିନ ରାତିରେ ତାଙ୍କୁ ବଲାଙ୍ଗୀର ମେଡିକାଲରେ ଭର୍ତି କରାଯାଇଥିଲା। ଶାରୀରିକ ଅସୁବିଧା କାରଣରୁ ୨୬ ତାରିଖ ଭୋର ୪ଟାରେ ପଙ୍କଜିନୀଙ୍କ ଅସ୍ତ୍ରୋପଚାର ମାଧ୍ୟମରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା।

ଠିକ୍‌ ସେହି ସମୟରେ ଏସ୍‌ଏନ୍‌ସିୟୁରେ ପୁଇନ୍ତଲା ଥାନା ଲୁକାପଡ଼ାର ପଙ୍କଜିନୀ ଗଡ଼ତିଆ ନାମକ ଜଣେ ମହିଳାଙ୍କର ନବଜାତ ଶିଶୁ ମଧ୍ୟ ଭର୍ତି ହୋଇଥିଲା। ତେବେ ଉଭୟ ଶିଶୁ ମଧ୍ୟରୁ ଜଣଙ୍କର ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଥିବାରୁ ୨୬ ତାରିଖ ରାତିରେ ପବିତ୍ର ଖାଇବାକୁ ଯାଇଥିବାବେଳେ ତାଙ୍କ ଶିଶୁକୁ ନେଇ ଗଡ଼ତିଆ ପରିବାର ଭୁଲରେ ବୁର୍ଲା ଚାଲି ଯାଇଥିଲେ। କିନ୍ତୁ ସେଠାରେ ପହ˚ଚିବା ପରେ ଉକ୍ତ ଶିଶୁର ମୃତ୍ୟୁ ହୋଇ ଯାଇଥିଲା। ଏହାପରେ ତାଙ୍କ ପରିବାର ବର୍ଗ ଏ ନେଇ ମେଡିକାଲକୁ ଜଣାଇବା ପରେ ମେଡିକାଲ କର୍ତୃପକ୍ଷ ପବିତ୍ରଙ୍କୁ ପିଲା ବଦଳି ଯାଇଥିବା କହିଥିଲେ ଓ ବୁର୍ଲା ଯିବାକୁ କହିଥିଲେ। ଆଜି ବୁର୍ଲା ମେଡିକାଲରେ ପହ˚ଚିବା ପରେ ପିଲାର ମୃତ୍ୟୁ ହୋଇ ସାରିଥିବା ପବିତ୍ର ଜାଣିବାକୁ ପାଇଥିଲେ। ଏହାକୁ ନେଇ ମେଡିକାଲ ପରିସରରେ ଉତ୍ତେଜନା ପ୍ରକାଶ ପାଇଥିବାବେଳେ ପୁଲିସ୍‌ ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର