ପିଆରଏମ୍‌ ମେଡିକାଲ କର୍ତ୍ତୃପକ୍ଷଙ୍କ ସାଂଘାତିକ ତ୍ରୁଟି : ଶିଶୁ ବଦଳ ହୋଇଗଲା, ଜାଣିପାରିଲେନି

ବାରିପଦା : ବାରିପଦାସ୍ଥିତ ପଣ୍ତିତ ରଘୁନାଥ ମୁର୍ମୁ ସରକାରୀ ମେଡିକାଲ କଲେଜ ଓ ହସ୍‌ପିଟାଲକୁ ନେଇ ବିବାଦ ଥମିବାର ନାଁ ଧରୁନି। ଚିକିତ୍ସା ଅବହେଳା କାରଣରୁ କେତେବେଳେ ରୋଗୀର ମୃତ୍ୟୁ ଅଭିଯୋଗ ଆସିଲାଣି ତ ପୁଣି କେତେବେଳେ ପିଲା ବଦଳ ଅଭିଯୋଗ ଉଠିଲାଣି। ଆଜି ଜନୈକା ମହିଳା ତାଙ୍କ ଶିଶୁକୁ ଟିକା ଦେବା ପାଇଁ ହସ୍‌ପିଟାଲକୁ ଆଣିଥିବାବେଳେ ତାଙ୍କ ପିଲା ମରି ଯାଇଥିବା କୁହାଯାଇଛି। ଯାହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଛି।

ପ୍ରକାଶ ଯେ, ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ ପୋଡ଼ାଅସ୍ତିଆ ଜାମବଣି ଗ୍ରାମର କାର୍ତ୍ତିକ ସିଂଙ୍କ ସ୍ତ୍ରୀ ରଇବାରୀ ସିଂ ଗତ ଏପ୍ରିଲ ୨୬ରେ ବାରିପଦା ହସ୍‌ପିଟାଲରେ ଏକ ପୁତ୍ର ସନ୍ତାନକୁ ଜନ୍ମ ଦେଇ ମେ ୫ରେ ହସ୍‌ପିଟାଲରୁ ଡିସ‌୍‌ଚାର୍ଜ ହୋଇଥିଲେ। ଆଜି ଟିକାକରଣ ଦିବସ ନ ଥିଲେ ମଧ୍ୟ ହସ୍‌ପିଟାଲର ଏସଏନ୍‌ସିୟୁରୁ ଫୋନ୍‌ ଯୋଗେ ଶିଶୁକୁ ଆଣିବାକୁ ସୂଚନା ଦିଆଯାଇଥିଲା। ସେହି ଅନୁସାରେ, ରଇବାରୀ ଆଜି ଅପରାହ୍ନ ସାଢେ଼ ୪ଟା ପାଖାପାଖି ପୁଅକୁ ଧରି ହସପିଟାଲରେ ପହଞ୍ଚିବା ପରେ ଜଣେ ନର୍ସ ତାଙ୍କ ପୁଅକୁ ଟିକା ଦେବାକୁ ଭିତରକୁ ନେଇ ଯାଇଥିଲେ। ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ରଇବାରୀଙ୍କ ପିଲା ମରି ଯାଇଥିବା ସୂଚନା ଦେଇଥିଲେ। ଏହାକୁ ବିଶ୍ବାସ କରିନଥିଲେ ରଇବାରୀ। ତାଙ୍କ ପୁଅ ବଞ୍ଚିଥିବା ଦର୍ଶାଇ ଜୀବିତ ଫେରାଇବାକୁ ଦାବି କରି କନ୍ଦାକଟା କରିଥିଲେ।

ଏ ନେଇ କାର୍ତ୍ତିକ ସିଂଙ୍କ ପିଉସୀ ମଞ୍ଜୁଲତା ସିଂ ବାରିପଦା ଟାଉନ ଥାନାରେ ଲିଖିତ ଅଭିଯୋଗ କରିବା ପରେ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଖବର ଲେଖାଯିବା ପର୍ଯ୍ୟନ୍ତ ହସପିଟାଲ ପରିସରରେ ଉତ୍ତେଜନା ଲାଗି ରହିଥିଲା।

ଅନ୍ୟପକ୍ଷରେ ଯାହା ଜଣାପଡ଼ିଛି, ଏପ୍ରିଲ ୨୬ରେ ହସ୍‌ପିଟାଲରେ ରଇବାରୀ ସିଂଙ୍କ ନାମରେ ଦୁଇଜଣ ମହିଳା ଦୁଇଟି ଶିଶୁପୁତ୍ର ଜନ୍ମ ଦେଇଥିଲେ। ଜଣକର ବାପା କାର୍ତ୍ତିକ ସିଂ ଓ ଅନ୍ୟଜଣକ ହେଲେ ଜଗମୋହନ ସିଂ। କିନ୍ତୁ ମେ ୫ରେ ହସ୍‌ପିଟାଲରୁ ଡିସ୍‌ଚାର୍ଜ ବେଳେ କାର୍ତ୍ତିକଙ୍କ ପତ୍ନୀ ରଇବରୀ ଜଗ‌ମୋହନଙ୍କ ପିଲାକୁ ନେଇ ଯାଇଥିଲେ। ଆଜି ଡାକ୍ତରଖାନା ଏସଏନ୍‌ସିୟୁରେ ଜଣେ ଶିଶୁପୁତ୍ରର ମୃତ୍ୟୁ ଘଟିଥିଲା, ଯେଉଁଥିରେ ଅଭିଭାବକଙ୍କ ଯୋଗାଯୋଗ କାଗଜପତ୍ରରେ କାର୍ତ୍ତିକଙ୍କ ମୋବାଇଲ ନମ୍ବର ଉଲ୍ଲେଖ ରହିଥିଲା। ସେହି ନମ୍ବରକୁ ଡାକ୍ତରଖାନା କର୍ତ୍ତୃପକ୍ଷ ଫୋନ୍ କରି କାର୍ତ୍ତିକଙ୍କୁ କହିଥିଲେ ତାଙ୍କ ଜନ୍ମିତ ଶିଶୁପୁତ୍ର ମରିଯାଇଛି। କିନ୍ତୁ ଏଥିରେ କାର୍ତ୍ତିକ ଓ ତାଙ୍କ ପତ୍ନୀ ରଇବାରୀ ଆଶ୍ଚର୍ଯ୍ୟ ହୋଇଥିଲେ। କହିଥିଲେ ତାଙ୍କ ଶିଶୁପୁତ୍ର ଜୀବିତ ଓ ସେ ଘରେ ଅଛି। କାର୍ତ୍ତିକଙ୍କ ପାଖରେ ଥିବା ଶିଶୁପୁତ୍ରଟି ପ୍ରକୃତରେ ଜଗମୋହନଙ୍କର ବୋଲି ଜାଣିବା ପରେ ଡାକ୍ତରଖାନା କର୍ତ୍ତୃପକ୍ଷ ଅଡୁଆରେ ପଡିଥିଲେ ଏବଂ କୌଶଳ କ୍ରମେ ଶିଶୁକୁ ଟିକା ଦେବାର ଅଛି କହି କାର୍ତ୍ତିକ ଓ ତାଙ୍କ ପତ୍ନୀଙ୍କୁ ଆଜି ଡକାଇଥିଲେ। ପରେ କାର୍ତ୍ତିକଙ୍କୁ ତାଙ୍କ ଜନ୍ମିତ ଶିଶୁପୁତ୍ର ମରି ଯାଇଥିବା ସୂଚନା ଦେବା ସହ ଜଗମୋହନଙ୍କ ଜିମାରେ ତାଙ୍କ ଶିଶୁପୁତ୍ରକୁ ଦେଇଥିବା ଜଣାଯାଇଛି। ତେବେ ଦୀର୍ଘ ୧୭ ଦିନ ହେଲା ଏମିତି ସାଂଘାତିକ ତ୍ରୁଟି ହୋଇଥିଲେ ମଧ୍ୟ ଡାକ୍ତରଖାନା କର୍ତ୍ତୃପକ୍ଷ କେମିତି ଆଜି ପର୍ଯ୍ୟନ୍ତ ଜାଣିପାରିନଥିଲେ ତାହା ଏବେ ସାଧାରଣରେ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସମ୍ବନ୍ଧିତ ଖବର