କଟକ : ଶିଶୁଭବନରେ ତୃତୀୟ ବିରଳ ଶିଶୁ

କଟକ : ‘ଗଙ୍ଗା-ଯମୁନାଙ୍କ ପରେ ଶିଶୁଭବନରେ ଆଜି ତୃତୀୟ ବିରଳ ନବଜାତ ଶିଶୁପୁତ୍ର ଭର୍ତ୍ତି ହୋଇଛି। ଶିଶୁଟିର ଅନ୍ତନଳୀ, ଲିଭର ବାହାରେ ରହିଥିବା କୁହାଯାଉଛି। ଏଭଳି ବିରଳ ଶିଶୁର ଚିକିତ୍ସା ପାଇଁ ଏବେ ଶିଶୁଭବନ କର୍ତ୍ତୃପକ୍ଷ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରି ଚିକିତ୍ସା ଆରମ୍ଭ କରିଛନ୍ତି। ଡାକ୍ତରୀ ଭାଷାରେ ଏହାକୁ ‘ଓମ୍‌ଫାଲୋସିଲ୍‌ କିମ୍ବା ଗ୍ୟାଷ୍ଟ୍ରୋସିସି କୁହାଯାଏ ବୋଲି ସୂଚନା ମିଳିଛି।

ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍ଲା କୁଳଢ଼ା ଗୋପିନାଥପୁରର ସୁଜାତା ଗୌଡ଼ଙ୍କଠାରୁ ଗଲାକାଲି ରାତି ପ୍ରାୟ ୨ଟା ବେଳେ ଏକ ଶିଶୁପୁତ୍ର ବ୍ରହ୍ମପୁରର ଏମ୍‌କେସିଜି ହସ୍‌ପିଟାଲ୍‌ରେ ଜନ୍ମ ହୋଇଥିଲା। ଶିଶୁର ସ୍ବାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ତାକୁ ହସ୍‌ପିଟାଲ୍‌ କର୍ତ୍ତୃପକ୍ଷ କଟକକୁ ପଠାଇଥିଲେ। ଶିଶୁଟିକୁ ପ୍ରଥମେ କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପରେ ଆଜି ଅପରାହ୍ନରେ ଅଧିକ ଚିକିତ୍ସା ପାଇଁ ଶିଶୁଭବନକୁ ପଠାଇ ଦିଆଯାଇଛି। ଏବେ ଶିଶୁପୁତ୍ରକୁ କାଜୁଆଲିଟିର ବେଡ୍‌ ନମ୍ବର ୩୫ରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ଶିଶୁରୋଗ ବିଶେଷଜ୍ଞଙ୍କ କହିବା ଅନୁଯାୟୀ, ଏହାକୁ ‘ଡେଭଲପମେଣ୍ଟାଲ ଆବନର୍ମାଲ’ ବି କୁହାଯାଏ। ମା ପେଟରେ ଏଭଳି ସମସ୍ୟା ଦେଖା ଦେଇଥାଏ। କିନ୍ତୁ ଅପରେସନ କରି ଶିଶୁର ପେଟ ଭିତରେ ଅନ୍ତନଳୀ ଓ ଲିଭର‌୍‌ ଭର୍ତ୍ତି କରାଯାଇପାରିବ। ଏମିତି ହେଲେ ଛୁଆ ବଞ୍ଚିବାର ସମ୍ଭାବନା ରହିଛି। କିନ୍ତୁ ଅନ୍ୟ ଅଙ୍ଗପ୍ରତ୍ୟେଙ୍ଗ ଠିକ୍‌ ନଥିଲେ ଅସୁବିଧା ହୋଇପାରେ। ହେଲେ, ଏବେ ଯେହେତୁ ଅନ୍ତନଳୀ ପେଟ ବାହାରେ ରହିଛି, ସ˚କ୍ରମଣ ହେବାର ଯଥେଷ୍ଟ ଆଶଙ୍କା ରହିଛି। ଠିକ୍‌ ସମୟରେ ଆଣ୍ଟିବାୟୋଟିକ୍‌ ଦିଆ ନ ଗଲେ ଶିଶୁର ଜୀବନ ପ୍ରତି ବିପଦ ବଢ଼ିବାର ଆଶଙ୍କା ରହିଛି ବୋଲି ଶିଶୁଭବନର ଜଣେ ବରିଷ୍ଠ ଡାକ୍ତର ସୂଚନା ଦେଇଛନ୍ତି।

ସୂଚନାଯୋଗ୍ୟ, ଶିଶୁଭବନରେ ଏଭଳି ବିରଳ ଯମଜ ଶିଶୁ ‘ଗଙ୍ଗା-ଯମୁନା ପ୍ରଥମ ଥର ୨୦୧୮ ଡିସେମ୍ବର ୨ ତାରିଖରେ ଭର୍ତ୍ତି ହୋଇଥିଲେ। ନୟାଗଡ଼ ଜିଲ୍ଲା ଖାଲିଆପାଟଣା ଅଞ୍ଚଳର ସୁମିତ୍ରା ଦତ୍ତଙ୍କ ଉକ୍ତ ଯମଜ ଶିଶୁଙ୍କ ପେଟ ଓ ଛାତି ଯୋଡ଼ି ହୋଇ ରହିଥିଲା। ଶିଶୁଦ୍ବୟଙ୍କର ଏଭଳି ଶରୀର ଗଠନକୁ ଡାକ୍ତରୀ ଭାଷାରେ ‘ଖୋରାକୋ ଓମ୍‌ଫାଲୋପାଗସ୍‌’ ବୋଲି କୁହାଯାଉଛି। ୨୧ ଦିନ ଶିଶୁଭବନରେ ଚିକିତ୍ସିତ ହେବା ପରେ ୨୧ ତାରିଖରେ ଯାଆଁଳା ଭଉଣୀଙ୍କ ମୃତ୍ୟୁ ହୋଇଥିଲା। ହୃତପିଣ୍ତରୁ ଠିକ୍‌ ଭାବେ ଶରୀରକୁ ରକ୍ତ ସ˚ଚାଳନ ନହେବାରୁ ମୃତ୍ୟୁ ହୋଇଥିଲା। ଦ୍ବିତୀୟ ଥର ୨୦୧୯ ଜୁଲାଇ ୧ ତାରିଖରେ ଆଉ ଏକ ‘ଗଙ୍ଗା-ଯମୁନା ଶିଶୁଭବନରେ ଭର୍ତ୍ତି ହୋଇଥିଲେ। ଢେଙ୍କାନାଳ ଜିଲ୍ଲା ପର୍ଜଙ୍ଗ ଥାନା ଖାଲପାଳ ଗାଁର ରେଣୁବାଳା ବେହେରାଙ୍କ ଏହି ଯମଜ ଶିଶୁକନ୍ୟାଙ୍କ ଛାତି ଓ ପେଟ ଯୋଡ଼ି ହୋଇଥିବା ଦେଖିବାକୁ ମିଳିଥିଲା। ଉଭୟ ଗୋଟିଏ ହୃଦୟ ଓ ଯକୃତ ସେୟାର କରିଥିଲେ। ଏହାକୁ ମଧ୍ୟ ‘ଖୋରାକୋ ଓମ୍‌ଫାଲୋପାଗସ୍‌’ କୁହାଯାଏ। ତେବେ ଜୁଲାଇ ୫ ତାରିଖରେ ‘କମ୍ଲେକ୍ସ କା଼ଡିଆକ୍‌ ମାଲ୍‌ଫର୍ମେସନ୍‌ ଅର୍ଥାତ ଏକ ପ୍ରକାର ହୃଦୟ ଗଠନରେ ଜଟିଳ ତ୍ରୁଟି ଥିବାରୁ ମୃତ୍ୟୁ ହୋଇଥିଲା। ଆଜିର ଘଟଣା ପରେ ତୃତୀୟ ଥର ଶିଶୁଭବନରେ ବିରଳ ଶିଶୁ ଭର୍ତ୍ତି ହୋଇଛନ୍ତି। ତେବେ ଶିଶୁର ଆସନ୍ତାକାଲି ସମସ୍ତ ପ୍ରକାର ପରୀକ୍ଷା କରାଯିବାକୁ ଡାକ୍ତରୀ ଟିମ୍‌ ଯୋଜନା କରୁଥିବା ସୂଚନା ମିଳିଛି। ଶ୍ରଦ୍ଧା ଫାଉଣ୍ତେସନ୍‌ର ପ୍ରତିଷ୍ଠାତା ଏବ˚ ସଭାପତି ପୂଜା ପ୍ରିୟଦର୍ଶିନୀ, ଅବିନାଶ ସେନାପତି, ମାନସ ରଞ୍ଜନ ଦାସ, ସ˚ଗ୍ରାମ କେଶରୀ ଦାସ, ବିଶ୍ବଜିତ ଜେନା, ସୁଚିନ୍ତନ ମଲ୍ଲ, ଜଗନ୍ନାଥ ସାହୁ ପ୍ରମୁଖ ଏବେ ଶିଶୁର ଚିକିତ୍ସା ଦାୟିତ୍ବ ନିଆଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର