ଢେଙ୍କାନାଳ/ଗଁଦିଆ : ଢେଙ୍କାନାଳ ଜିଲ୍ଲା କପିଳାସ ପ୍ରାଣୀ ଉଦ୍ଧାର କେନ୍ଦ୍ରରେ ୧୬ ଦିନ ଧରି ଚିକିତ୍ସିତ ହେଉଥିବା ଗୋଠଛଡ଼ା ଅସୁସ୍ଥ ମାଈ ହାତୀ ଛୁଆର ରବିବାର ବିଳିମ୍ବିତ ରାତିରେ ମୃତ୍ୟୁ ହୋଇଯାଇଛି।

Advertisment

ବନ ବିଭାଗ ସୂଚନା ଅନୁଯାୟୀ, ହାତୀ ଦଳରୁ ଦେଢ଼ବର୍ଷ ବୟସର ହାତୀଛୁଆ ଗତ ୧୦ ତାରିଖରୁ ଅଲଗା ହୋଇ କପିଳାସ ରାସ୍ତାର ମେଘା ସଂରକ୍ଷିତ ଜଙ୍ଗଲରେ ବୁଲୁଥିଲା। ବନ ବିଭାଗ ତାର ଗତିବିଧି ଉପରେ ନଜର ରଖିଥିବା ବେଳେ ସେ ଅସୁସ୍ଥ ହୋଇପଡ଼ିଥିଲା। ତାକୁ ଅଂଶୁଘାତ ହୋଇଥିବା ସନ୍ଦେହ କରି କପିଳାସ ପ୍ରାଣୀ ଉଦ୍ଧାରକାରୀ ଦଳଙ୍କ ସହାୟତରେ ବନ କର୍ମଚାରୀ ଏବଂ  ଡାକ୍ତରୀ ଦଳ ୧୭ ତାରିଖରେ ଟ୍ରାଙ୍କୁଲାଇଜ୍ କରି ଚିକିତ୍ସା କରୁଥିଲେ। ତା ପାଟିରେ ଘା ହୋଇଥିବା ଜଣାପଡ଼ିବା ପରେ ଅଧିକ ଚିକିତ୍ସା ପାଇଁ ତାକୁ କପିଳାସ ପ୍ରାଣୀଉଦ୍ୟାନ ସ୍ଥିତ ହାତୀ ଉଦ୍ଧାର କେନ୍ଦ୍ରକୁ  ନିଆଯାଇଥିଲା। ଭୁବନେଶ୍ୱର ଓୟୁଏଟିର ଡାକ୍ତର ଓ ତାଙ୍କ ସହଯୋଗୀ ଡାକ୍ତର ଏବଂ କପିଳାସ ଚିଡ଼ିଆଖାନାର ଡାକ୍ତର ମିଳିତ ଭାବେ ହାତୀ ଛୁଆର ଚିକିତ୍ସା କରିବା ସହ ତା ପାଟିରେ ହୋଇଥିବା ଘାର ଅସ୍ତ୍ରୋପଚାର କରିଥିଲେ। ଡାକ୍ତରଙ୍କ ପରାମର୍ଶକ୍ରମେ ହାତୀଛୁଆର ଚିକିତ୍ସା ଚାଲୁଥିଲା। ଗତକାଲି ରାତିରେ ତାର ମୃତ୍ୟୁ ହେବା ପରେ ବ୍ୟବଚ୍ଛେଦ କରାଯାଇ ମୃତଦେହକୁ ସେହିଠାରେ ପୋତି ଦିଆଯାଇଛି। ତାର ନମୁନା ସଂଗ୍ରହ କରି ଭୁବନେଶ୍ୱର ଓୟୁଏଟିକୁ ପଠାଯାଇଛି ବୋଲି ଜିଲ୍ଲା ବନଖଣ୍ଡ ଅଧିକାରୀ ସୁମିତ୍ କର ସୂଚନା ଦେଇଛନ୍ତି।