୨୦ ଘଣ୍ଟାର ଅପରେସନ ପରେ ହାତୀଶାବକ ଉଦ୍ଧାର

ବେତନଟୀ: ପଶ୍ଚିମବଙ୍ଗ ସୀମାରେ ବୁଲୁଥିବା ଝାଡ଼ଖଣ୍ଡୀ ହାତୀପଲରୁ ଏକ ଦେଢ଼ବର୍ଷର ଅଣ୍ଡିରା ଶାବକ ଗତକାଲି ୯୦ କିମି ଦୂର ବେତନଟୀ ରେଞ୍ଜକୁ ବାଟହୁଡ଼ି ଚାଲି ଆସିଥିଲା। ତେବେ ଝାଡ଼ଖଣ୍ଡୀ ହାତୀପଲ ଭାଗ ଭାଗ ହୋଇ ବୁଲୁଥିବାରୁ ଏହି ଶାବକର ମା’କୁ ଚିହ୍ନଟ କରିବା ସହଜ ହେବନି। ଅନ୍ୟ କେଉଁ ଦଳରେ ଛାଡ଼ିଲେ ଶାବକଟିକୁ ଅନ୍ୟ ହାତୀମା‌ନେ ଆକ୍ରମଣ କରିବେ। ଏପଟେ କ୍ଷୀର ଖାଉଥିବା ହାତୀ ଶାବକଟିକୁ ତୁରନ୍ତ ଖାଦ୍ୟ ଦରକାର। ଏ ସବୁକୁ ଦୃଷ୍ଟିରେ ରଖି ଆଜି ତାକୁ ଉଦ୍ଧାର କରି ନିଜ ହେପାଜତକୁ ନେଇଛି ବନ ବିଭାଗ।

ସୂଚନାଯୋଗ୍ୟ; ଏହି ଶାବକଟି ଗତକାଲି ଖଡ଼ିଶୋଳ ଅଞ୍ଚଳରେ ପହଞ୍ଚିବା ପରେ ତାକୁ ଦେଖିବାକୁ ଶହଶହ ଲୋକ ରୁଣ୍ଡ ହୋଇଥିଲେ। ଖବର ପାଇ ବନ ବିଭାଗର ଏକ ସ୍ବତନ୍ତ୍ର ଟିମ୍‌ ହାତୀଶାବକ ଉପରେ ନଜର ରଖିଥିଲା। ତେବେ ଶାବକଟିକୁ ମଣିଷ ଥରେ ଛୁଇଁଦେଲେ ଏହା ଆଉ ଦଳକୁ ଫେରି ପାରିବନି ବୋଲି ଜାଣିଥିବାରୁ ବନ ବିଭାଗ ତାକୁ ଛୁଇଁ ନଥିଲା। ହାତୀଟି ରାତିରେ ଖଡ଼ିଶୋଳରୁ ଗରୁଡ଼ବସା, ତୁଳସୀଚୌରା, ସଠିଲୋ ହୋଇ ବେତନଟୀ ବଜାର ଅଭିମୁଖେ ଆସିଥିଲା। ବେତନଟୀ ରେଞ୍ଜ ଅଧିକାରୀ ଘନଶ୍ୟାମ ସିଂଙ୍କ ନେତୃତ୍ବରେ ବିଭାଗୀୟ କର୍ମଚାରୀ ଶାବକଟିକୁ ବେତନଟୀ ରେଞ୍ଜ କାର୍ଯ୍ୟାଳୟ ଅଭିମୁଖେ ବାଟ କଢ଼ାଇ ଆଣିଥିଲେ। ଆଉ ସେ କାର୍ଯ୍ୟାଳୟ ପରିସରରେ ପଶିଯିବା ପରେ ଫାଟକ ବନ୍ଦ କରି ଦିଆଯାଇଥିଲା। ଉଚ୍ଚ କର୍ତ୍ତୃପକ୍ଷଙ୍କ ନିର୍ଦ୍ଦେଶରେ ଏସିଏଫ ରବିନାରାୟଣ ମହାନ୍ତି, ଶିମିଳିପାଳ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପର ଏସିଏଫ ବିଦ୍ୟାସାଗରଙ୍କ ନେତୃତ୍ବରେ ଏକ ଟିମ୍‌ ଆଜି ବେତନଟୀରେ ପହ‌ିଞ୍ଚିଥିଲା। ଶାବକଟି ଖାଦ୍ୟ ନଖାଇ ଦୁର୍ବଳ ହୋଇ ପଡ଼ୁଥିବା ଦେଖି ଶେଷ‌ରେ ବନ ବିଭାଗ ଏହାର ଲାଳନପାଳନ ଦାୟିତ୍ବ ନେବ ବୋଲି ସ୍ଥିର ହୋଇଥିଲା। ପ୍ରାଣୀ ଚିକିତ୍ସକ ପୀୟୂଷ ସୋରେନ ଶାବକଟିର ସ୍ବାସ୍ଥ୍ୟାବସ୍ଥା ଯାଞ୍ଚ୍‌‌ କରିଥିଲେ। ଏହାର ଉଚ୍ଚତା ୪ ଫୁଟ୍‌ ୬ ଇ‌ଞ୍ଚ ଓ ଏହା ମା’ କ୍ଷୀର ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ ବୋଲି ଡାକ୍ତର ରିପୋର୍ଟ ଦେବାପରେ ଶାବକଟିକୁ ଲାକ୍ଟୋଜେନ ଖାଇବାକୁ ଦିଆ ଯାଇଥିଲା। ଏହାପରେ ଶାବକଟି ସତେଜ ହୋଇଥିଲା। ତେବେ ପ୍ରଥମଥର ମଣିଷ ହାତର ସ୍ପର୍ଶ ପାଇବା ପରେ ସେ ଚିତ୍କାର କରିଥିଲା। ତାକୁ ନିୟନ୍ତ୍ରଣ କରିବା ପାଇଁ ୧୦ଜଣ କର୍ମଚାରୀ ନାକେଦମ ହୋଇଥିଲେ। ଶେଷରେ ଶାବକଟିକୁ ଏକ କ୍ରେନ୍‌ ଯୋଗେ ଗାଡ଼ିରେ ଲୋଡ୍‌ କରି ପିଠାବଟା ରେଞ୍ଜ ମୁଖ୍ୟାଳୟକୁ ସ୍ଥାନାନ୍ତର କରାଯାଇଛି। ଏହି ଶାବକଟି ସାମାନ୍ୟ ବଡ଼ ହେଲେ କୁଙ୍କି ହାତୀ ବବ୍‌ଲୁ ସହିତ ସେଠାରେ ପ୍ରଶିକ୍ଷଣ ନେବ ବୋଲି ଜଣାପଡ଼ିଛି।

ଏ ନେଇ ଡିଏଫଓ ସନ୍ତୋଷ ଯୋଶୀଙ୍କ କହିବା ହେଲା ପ୍ରଥମେ ଶାବକଟି ସ୍ବାଭାବିକ ଭାବେ ଖାଦ୍ୟପେୟ ଗ୍ରହଣ କରୁ; ଉପରିସ୍ଥ ଅଧିକାରୀଙ୍କ ସହିତ ଆଲୋଚନା ପରେ ତାର ନାମକରଣ କରାଯିବ ଓ ପରେ ପ୍ରଶିକ୍ଷଣ ବାବଦରେ ଚିନ୍ତା କରାଯିବ ବୋଲି ସେ କହିଥିଲେ।

ସମ୍ବନ୍ଧିତ ଖବର