ଶୁଳିଆପଦା : ପରିତ୍ୟକ୍ତ କୂଅରେ ଗଳି ପଡ଼ିଥିବା ଏକ ହାତୀ ଶାବକକୁ ବନ ବିଭାଗ ଓ ଅଗ୍ନିଶମ କର୍ମଚାରୀଙ୍କ ମିଳିତ ପ୍ରୟାସରେ ଉଦ୍ଧାର କରାଯାଇଛି। ଶୁକ୍ରବାର ବିଳମ୍ବିତ ରାତିରେ ଝାଡ଼ଖଣ୍ଡ ପଟୁ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ବ୍ଲକ ଉଫାଲଗଡ଼ିଆ ପଞ୍ଚାୟତ ବିଶୁଶୋଳ ଗାଁରେ ପଶିଥିଲେ ୧୫ଟି ହାତୀ। ହାତୀପଲରେ ଥିଲେ ୪ଟି ଛୁଆହାତୀ। ହାତୀପଲ କାଳେ କିଛି ଅଘଟଣ ଘଟାଇବେ, ସେ ଆଶଙ୍କାରେ ବନ ବିଭାଗ କର୍ମଚାରୀମାନେ ହାତୀମାନଙ୍କୁ ପାଖ ଜଙ୍ଗଲଆଡ଼କୁ ଘଉଡ଼ାଇଥିଲେ। ତେବେ ଏହି କାର୍ଯ୍ୟ ଜାରି ରହିଥିବା ବେଳେ ଆଜି ଭୋର୍‌ ପ୍ରାୟ ୪ଟା ସମୟରେ ଗୋଟିଏ ହାତୀଛୁଆ ସେଠାରେ ଥିବା ଏକ ୧୫ ଫୁଟ୍ ଗଭୀର ପରିତ୍ୟକ୍ତ କୂଅ ଭିତରେ ଗଳି ପଡ଼ିଥିଲା। ଏହି ଖବର ଜଣାପଡ଼ିବା ପରେ ଗାଁ ଲୋକେ ସେଠାରେ ରୁଣ୍ଡ ହୋଇ ଯାଇଥିଲେ।

Advertisment

publive-image

ସେପଟେ ସଂକୀର୍ଣ୍ଣ କୂଅ ଭିତରେ ହାତୀ ଶାବକଟି ଗଳି ପଡ଼ିବା ପରେ ଆଉ ହଲଚଲ ହୋଇ ପାରିନଥିଲା। ତାକୁ ଉଦ୍ଧାର କରିବା ପାଇଁ ଦମକଳ ବାହିନୀର ସହାୟତା ଲୋଡ଼ିଥିଲା ବନ ବିଭାଗ। ଜେସିବି ମେସିନ୍‌ ସାହାଯ୍ୟରେ ଦୀର୍ଘ ୪ ଘଣ୍ଟା କୂଅକୁ ଚାରିପଟୁ ଖୋଳାଯିବା ପରେ ହାତୀଛୁଆଟି ବାହାରକୁ ଆସି ଜଙ୍ଗଲ ଭିତରକୁ ଦୌଡ଼ି ପଳାଇଥିଲା। ତେବେ ଛୁଆଟିର ଗତିବିଧି ଉପରେ ବନ ବିଭାଗ ନଜର ରଖିବା ସହିତ ମା’ ସହିତ ମିଶାଇବାକୁ ଚେଷ୍ଟା ଜାରି ରଖିଥିବା ଦେଉଳି ରେଞ୍ଜର ରବିନାରାୟଣ ମହାନ୍ତି ସୂଚନା ଦେଇଛନ୍ତି। ଉଦ୍ଧାର କାର୍ଯ୍ୟରେ ଫରେଷ୍ଟର ହରିହର ମାଝୀ, ଜଗଦୀଶ କୁମାର ସାହୁ, ବନରକ୍ଷୀ ବିଜୟ କୁମାର ସାହୁ, ସସ୍ମିତା ଶତପଥୀ, ଜଗବନ୍ଧୁ ନାଏକଙ୍କ ସମେତ ଅଗ୍ନିଶମ ବିଭାଗ କର୍ମଚାରୀମାନେ ସାମିଲ ହୋଇଥିଲେ।