ପୁରୀ : ‘ତମେ ଯେଉଁ ଶିଶୁଟିକୁ ନେଇଛ, ସେ ତୁମ ପୁଅ ନୁହେଁ, ସେ ଜଣେ ଝିଅ। ତୁରନ୍ତ ନେଇଥିବା ଶିଶୁଟିକୁ ସାଙ୍ଗରେ ଧରି ଡାକ୍ତରଖାନାର ଆଇସିୟୁରେ ପହଞ୍ଚ’ ଏପରି ଏକ ଫୋନ୍‌ କଲ୍‌ ପାଇ ଚମକି ପଡ଼ିଥିଲେ ଚନ୍ଦନପୁର ଥାନା ଅଞ୍ଚଳର ସଞ୍ଜୟ ପାଇକରାୟ ଓ ତାଙ୍କ ପତ୍ନୀ ମମତା ପାଇକରାୟ। ସଙ୍ଗେ ସଙ୍ଗେ ଛାନିଆ ହୋଇ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ପହଞ୍ଚିଥିଲେ। ପହଞ୍ଚିବା ମାତ୍ରେ ତାଙ୍କଠାରୁ ଶିଶୁକନ୍ୟାଟିକୁ ତାର ପରିବାର ନେଇଯାଇଥିଲେ। ଆଉ ବ୍ୟସ୍ତ ହୋଇ ଆଇସିୟୁରେ ପହଞ୍ଚି ସଞ୍ଜୟ ତାଙ୍କ ପୁଅକୁ ଖୋଜିଥିଲେ। ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଦୁଇ ନବଜାତ ଶିଶୁଙ୍କ ଅଦଳବଦଳକୁ ନେଇ ସୋମବାର ବିଳମ୍ବିତ ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଖବରପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଛି।

Advertisment

ମିଳିଥିବା ସୂଚନା ଅନୁଯାୟୀ, ଚନ୍ଦନପୁର ଥାନା ଅଞ୍ଚଳର ସଞ୍ଜୟ ପାଇକରାୟ ଓ ତାଙ୍କ ପତ୍ନୀ ମମତା ପାଇକରାୟଙ୍କ ଚାରି ଦିନ ତଳେ ଏକ ପୁତ୍ର ସନ୍ତାନ ଚନ୍ଦନପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ହୋଇଥିଲା। ଶିଶୁଟିର ଓଜନ କମ୍‌ ଥିବାରୁ ତାକୁ ପରିବାର ଲୋକେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟର ଆଇସିୟୁରେ ଭର୍ତ୍ତି କରିଥିଲେ। ମାତ୍ର ଏଠାରେ ଶିଶୁର ସ୍ବାସ୍ଥ୍ୟ ଗୁରୁତର ହେବାରୁ ଡାକ୍ତରଖାନା କର୍ତ୍ତୃପକ୍ଷ ତାକୁ କଟକ ବଡ଼ ଡାକ୍ତରଖାନାକୁ ନେଇଯିବାକୁ ପରାମର୍ଶ ଦେଇଥିଲେ। ଶିଶୁକୁ ନେଇ ଶ୍ରୀ ପାଇକରାୟ ଓ ତାଙ୍କ ପତ୍ନୀ କଟକ ଅଭିମୁଖେ ଯାଉଥିବା ବେଳେ ଅଧାବାଟରେ ପୁରୀ ସଦର ମୁଖ୍ୟ ଚିକିତ୍ସାଳୟରୁ ତାଙ୍କୁ ଫୋନ୍‌ କରି ଫେରିବାକୁ କୁହାଯାଇଥିଲା। ସେମାନେ ଯେଉଁ ଶିଶୁକୁ ନେଇ ଯାଉଛନ୍ତି ସେ ଏକ କନ୍ୟା ସନ୍ତାନ ବୋଲି କୁହାଯାଇଥିଲା। ‌ଶିଶୁର ଅଭିଭାବକ ତୁରନ୍ତ ପୁରୀ ଡାକ୍ତରଖାନା ଫେରି ଆସିଥିଲେ। ଶିଶୁକନ୍ୟାଟିକୁ ତାର ପ୍ରକୃତ ପିତାମାତା ଫେରି ପାଇଥିବା ବେଳେ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କ ଅବହେଳା ଯୋଗୁ ଗୁରୁତର ଶିଶୁପୁତ୍ରଟିକୁ କଟକ ସ୍ଥାନାନ୍ତର ବିଳମ୍ବ ହେଲା ବୋଲି ଅଭିଯୋଗ କରି ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଡାକ୍ତରଖାନା କର୍ତ୍ତୃପକ୍ଷ ବୁଝାସୁଝା କରିବା ପରେ ପରିସ୍ଥିତି ନିୟନ୍ତ୍ରଣକୁ ଆସିଛି। ରାତି ୧୧ଟାରେ ପୁଣି ଶିଶୁପୁତ୍ରଟିକୁ ଧରି କଟକ ଅଭିମୁଖେ ଯାଇଛନ୍ତି।