ଅନୁଗୁଳ : ଆଉ ତିନିଟା ଦିନରେ ଗେଟ୍ ଖୋଲିବ ହୀରାକୁଦ ଜଳଭଣ୍ଡାର। ଉଛୁଳିବ ଟିକରପଡ଼ା ସାତକୋଶିଆ ଗଣ୍ଡ। ତା ପୂର୍ବରୁ ସାତକୋଶିଆ କର୍ତୃପକ୍ଷ ମହାନଦୀ ଗଣ୍ଡରୁ ନବଜାତ ଘଡ଼ିଆଳ ଛୁଆଙ୍କୁ ଉଠାଇ ଆଣିଛନ୍ତି। ମା କୋଳରୁ ଶାବକଙ୍କୁ ଛଡ଼ାଇ ଆଣି କୁଣ୍ଡ ଭିତରେ ସୁରକ୍ଷିତ ରଖିଛନ୍ତି। ବନ୍ୟାସ୍ରୋତରେ ଭାସିଯିବା ଆଶଙ୍କାରେ ସାତକୋଶିଆ କର୍ତୃପକ୍ଷ ଏ ପ୍ରକାର ପଦକ୍ଷେପ ଗ୍ରହଣ କରିଥିବା ବେଳେ ପ୍ରକୃତି କୋଳରେ ଜନ୍ମ ହୋଇଥିବା ଏ ଶାବକଙ୍କ ପାଇଁ ସାତକୋଶିଆ କର୍ତୃପକ୍ଷଙ୍କ ଏ ପ୍ରକାର ନିଷ୍ପତ୍ତି କେତେ ଦୂର ଠିକ୍ ତାହାକୁ ନେଇ ପରିବେଶବିତ୍ଙ୍କ ମଧ୍ୟରେ ପ୍ରଶ୍ନ ଉଠିଛି।
ବେଶି ଦିନର କଥା ନୁହେଁ, ଗଲା ମେ ୨୫ତାରିଖରେ ସାତକୋଶିଆ ଗଣ୍ଡରେ ତୃତୀୟ ଥର ପାଇଁ ମା ଘଡ଼ିଆଳ ଅଣ୍ଡା ଫୁଟାଇ ପ୍ରାୟ ୩୫ଟି ଶାବକଙ୍କୁ ଜନ୍ମ ଦେଇଛି। ଖରା ପରେ ବର୍ଷା ଭଳି ଘଡ଼ିଆଳ ଶାବକଙ୍କ ଜନ୍ମ ପରେ ପରେ ମହାନଦୀରେ ବନ୍ୟା ଆସିବା ସ୍ବାଭାବିକ କଥା। ଗଲା ତିନିବର୍ଷ ହେଲା ଘଡ଼ିଆଳ ଶାବକଙ୍କ ଜନ୍ମ ପରେ ପରେ ପ୍ରକୃତିରେ ଏହି ପରିବର୍ତ୍ତନ ଆସୁଛି। ସାତକୋଶିଆ କର୍ତୃପକ୍ଷ ଗଲାବର୍ଷ ମଧ୍ୟ ବନ୍ୟା ପୂର୍ବରୁ ଶାବକଙ୍କୁ ଟିକରପଡ଼ା ସ୍ଥିତ ଘଡ଼ିଆଳ ରିସର୍ଚ୍ଚ ପ୍ରକଳ୍ପ(ଗ୍ରାକୋ)କୁ ନେଇ ଆସିଥିଲେ। ଏ ବର୍ଷ ବି ସେୟା କରିଛନ୍ତି। ସାତକୋଶିଆ ଗଣ୍ଡକୁ ହୀରାକୁଦ ଡ୍ୟାମ୍ ପାଣି ପହଞ୍ଚିବା ପୂର୍ବରୁ ସାତକୋଶିଆ କର୍ତୃପକ୍ଷ ମୋଟ୍ ୩୫ଟି ଶାବକଙ୍କ ମଧ୍ୟରୁ ୨୦ଟି ଛୁଆଙ୍କୁ ନଦୀରୁ ବାହାରକୁ ଆଣିଛନ୍ତି। ବନ୍ୟା ପାଣିରେ ଘଡ଼ିଆଳ ଶାବକ ଭାସିଯିବାର ଭୟ ରହିଛି। ଏ ଭୟକୁ ଟାଳିବା ପାଇଁ ବନ ବିଭାଗ ପକ୍ଷରୁ ଏ ପ୍ରକାର ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି।
ଗୁରୁତ୍ବପୂର୍ଣ୍ଣ କଥା ହେଲା, ଗତବର୍ଷ ବନ୍ୟା ଭୟରେ ଘଡ଼ିଆଳ ଶାବକଙ୍କୁ ସାତକୋଶିଆ କର୍ତୃପକ୍ଷ କୁଣ୍ଡକୁ ଆଣିଥିଲେ। କିନ୍ତୁ, କୁଣ୍ଡରେ ଶାବକ ସୁରକ୍ଷିତ ନ ଥିଲେ। ବନ୍ୟା ଛାଡ଼ିଗଲା ପରେ କୁଣ୍ଡରୁ ନେଇ ଗଣ୍ଡରେ ଛାଡ଼ିଲା ବେଳକୁ ବି କିଛି ଛୁଆ ମରିଯାଇଥିଲେ। ପ୍ରକୃତିରେ ଜନ୍ମ ହୋଇଥିବା ଶାବକ ଏବଂ କୁଣ୍ଡରେ ବଢ଼ିଥିବା ଘଡ଼ିଆଳଙ୍କ ମଧ୍ୟରେ ତଫାତ୍ ହେଲା, ଗଣ୍ଡରେ ଥିବା କୁମ୍ଭୀର ନିଜେ ଶିକାର କରି ଖାଏ, କିନ୍ତୁ କୁଣ୍ଡରେ ବଢ଼ିଥିବା କୁମ୍ଭୀରକୁ କଟା ମାଛ ଦିଆଯାଏ। ଯେଉଁଥିପାଇଁ କୁଣ୍ଡରେ ବଢ଼ିଥିବା କୁମ୍ଭୀର ମହାନଦୀ ଭଳି ବିରାଟ ବଡ଼ ଗଣ୍ଡରେ ତିଷ୍ଠି ପାରନ୍ତି ନାହିଁ। ନିକଟରେ ପ୍ରୋଜେକ୍ଟ ‘ଘଡ଼ିଆଳରେ ନନ୍ଦନକାନନରେ କୁଣ୍ଡରେ ବଢ଼ିଥିବା କୁମ୍ଭୀରଙ୍କୁ ସାତକୋଶିଆ ଗଣ୍ଡରେ ଛଡ଼ାଯିବାରୁ ସେହି ଅବସ୍ଥା ହେଲା। ଗତବର୍ଷ ସାତକୋଶିଆ କର୍ତୃପକ୍ଷ ବି ଗଣ୍ଡରୁ ଶାବକମାନଙ୍କୁ ଆଣି କୁଣ୍ଡରେ କଟା ମାଛ ଦେଇ ପୋଷୁଥିଲେ। ଚଳିତବର୍ଷ ଯଦିଓ କଟା ମାଛ ବଦଳରେ ଜୀବନ୍ତ ମାଛ ଶିକାର କରି ଖାଇବା ପାଇଁ ଶାବକମାନଙ୍କ ଲାଗି ବ୍ୟବସ୍ଥା କରାଯାଇଛି, ତଥାପି କୁଣ୍ଡରେ ମହାନଦୀ ଗଣ୍ଡର କୁମ୍ଭୀର ଶାବକଙ୍କୁ ଲାଳନପାଳନ ସେମାନଙ୍କୁ ପୋଷାରେ ପରିଣତ କରିଦେବନି ତ? ତାହାକୁ ନେଇ ସନ୍ଦେହ ଉପୁଜିଛି।