ଘଟଗାଁ : କେନ୍ଦୁଝର ଜିଲ୍ଲା ଘଟଗାଁ ରେଞ୍ଜ ଢେଙ୍କିକୋଟ ସେକ୍ସନ ଅନ୍ତର୍ଗତ ସାନ୍ତରାପୁର ପଞ୍ଚାୟତର ମେଣ୍ଢାମୁଣ୍ଡି ସାହିରେ ଗତକାଲି ରାତିରେ ଦନ୍ତାହାତୀ ଆକ୍ରମଣରେ ଶିଶୁକନ୍ୟାର ମୃତ୍ୟୁ ଘଟିଥିବା ବେଳେ ବାପା, ମା’ ଓ ଭଉଣୀ ଗୁରୁତର ଆହତ ହୋଇଛନ୍ତି।
ଗତକାଲି ରାତିରେ ଏକ ଦନ୍ତାହାତୀ ମେଣ୍ଢାମୁଣ୍ଡି ସାହିରେ ପଶି ଉତ୍ପାତ କରିଥିଲା। ଗାଁର ଡକ ମୁଣ୍ଡାଙ୍କ ଘର ଭାଙ୍ଗି ଦେଇଥିଲା। ଫଳରେ, ଘରେ ଶୋଇଥିବା ଡକ, ସ୍ତ୍ରୀ ରଶ୍ମିତା (୨୫), ବଡ଼ଝିଅ ସୁନାଲି (୬) ଓ ସାନଝିଅ ମାନସୀ (୧)ଙ୍କ ଉପରେ କାନ୍ଥ ପଡ଼ିଯାଇଥିଲା। ସମସ୍ତେ ମାଟିକାନ୍ଥ ତଳେ ଚାପି ହୋଇ ରହିଯାଇଥିଲେ। ଗ୍ରାମବାସୀ ସମସ୍ତଙ୍କୁ ଉଦ୍ଧାର କରି କେନ୍ଦୁଝର ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ମାନସୀଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ଚିକିତ୍ସିତ ହେଉଛନ୍ତି।
ଘଟଣା ସମ୍ପର୍କରେ ଘଟଗାଁ ରେଞ୍ଜର ପ୍ରଭାତ କୁମାର କୁଅଁରଙ୍କୁ ପଚାରିବାରୁ, ମୃତ ଶିଶୁର ପରିବାରକୁ ୪୦ ହଜାର ଟଙ୍କା ପ୍ରଦାନ କରାଯାଇଛି। ଆହତଙ୍କୁ ୫ ହଜାର ଟଙ୍କା ସହାୟତା ଯୋଗାଇ ଦିଆଯିବା ସହ ଚିକିତ୍ସା ଖର୍ଚ୍ଚ ବନବିଭାଗ ବହନ କରିବ ବୋଲି କହିଛନ୍ତି। କେନ୍ଦୁଝର ଡାକ୍ତରଖାନାରେ ଶିଶୁକନ୍ୟାର ଶବ ବ୍ୟବଚ୍ଛେଦ କରାଯାଇଛି। ଖବର ପାଇ ଜିଲ୍ଲାପରିଷଦ ସଭ୍ୟ ରଂଜିତ ନାୟକ ଘଟଣାସ୍ଥଳରେ ପହଞ୍ଚି କ୍ଷତିଗ୍ରସ୍ତ ପରିବାରଙ୍କୁ ସମବେଦନା ଜଣାଇଛନ୍ତି।
ଏଠାରେ ସୂଚନାଯୋଗ୍ୟ ଯେ ଦନ୍ତାଟି ଉନ୍ମତ୍ତ ହୋଇ ଏଣେତେଣେ ବୁଲୁଛି। ଲୋକେ ଭୟଭୀତ ହୋଇପଡ଼ିଛନ୍ତି। ଦନ୍ତାଟିକୁ ଅଟେଇ ସଂରକ୍ଷିତ ଜଙ୍ଗଲକୁ ଘଉଡ଼ାଇ ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।