ରାଉରକେଲା: ବାସନ୍ତୀ କଲୋନି ମାଲଗୋଦାମ ଆଇସ୍ ଫ୍ୟାକ୍ଟ୍ରି ବସ୍ତିରୁ ଏକ ୪ ବର୍ଷର ଶିଶୁକନ୍ୟାକୁ ଶିଶୁ ମଙ୍ଗଳ ସମିତି (ସିଡବ୍ଲ୍ୟୁସି) ଓ ଚାଇଲ୍ଡ ଲାଇନ୍ ଟିମ୍ ଉଦ୍ଧାର କରିଛନ୍ତି। ଉଦ୍ଧାର ଶିଶୁକନ୍ୟାକୁ ବିଶ୍ରା ଆସିୟାନା କଲୋନିସ୍ଥିତ ‘ଓପନ୍ ସେଣ୍ଟର’ରେ ରଖାଯାଇଛି। ଶିଶୁକନ୍ୟାକୁ ଘରେ ରଖିଥିବା ମହିଳା ଓ ତାଙ୍କ ସମ୍ପର୍କୀୟଙ୍କୁ ସିଡବ୍ଲ୍ୟୁସି ଟିମ୍ ପଚରାଉଚୁରା କରୁଛନ୍ତି। ମିଳିଥିବା ସୂଚନା ମୁତାବକ ବଣାଇ ରାଜାମୁଣ୍ଡାର ଜଣେ ମହିଳା ଓ ତାଙ୍କ ସମ୍ପର୍କୀୟ ୧୫ ଦିନ ତଳେ ବଡବିଲର ସମ୍ପର୍କୀୟଙ୍କ ଘରକୁ ବୁଲିବାକୁ ଯାଇଥିଲେ।
ଘରକୁ ଫେରିବାକୁ ସମ୍ପର୍କୀୟଙ୍କ ସହ ବଡବିଲ ଷ୍ଟେସନରେ ଟ୍ରେନ୍କୁ ଅପେକ୍ଷା କରିଥିଲେ। ୪ ବର୍ଷର ଶିଶୁକନ୍ୟା ଏକାକୀ ଛିଡ଼ାହୋଇ କାନ୍ଦୁଥିବା ଦେଖି ମହିଳା ଓ ତାଙ୍କ ସମ୍ପର୍କୀୟ ସେଠାକୁ ଯାଇଥିଲେ। ସେମାନେ ଶିଶୁକନ୍ୟାକୁ ସାଥୀରେ ବଣାଇ ରାଜାମୁଣ୍ଡାକୁ ନେଇ ଆସିଥିଲେ। ୪/୫ ଦିନ ରାଜାମୁଣ୍ଡାରେ ରଖିବା ପରେ ଶିଶୁକନ୍ୟାଙ୍କୁ ରାଉରକେଲା ବାସନ୍ତୀ କଲୋନି ଆଇସ୍ ଫ୍ୟାକ୍ଟ୍ରି ବସ୍ତିରେ ଥିବା ସମ୍ପର୍କୀୟଙ୍କ ଘରେ ଛାଡ଼ି ଚାଲିଯାଇଥିଲେ। କୌଣସି ସୂତ୍ରରୁ ଖବର ପାଇ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ଚାଇଲ୍ଡଲାଇନ୍ ଓ ସିଡବ୍ଲ୍ୟୁସିକୁ ସୂଚନା ଦେଇଥିଲେ। ଆଜି ଉଭୟ ଟିମ୍ ସେଠାରେ ପହଞ୍ଚି ଶିଶୁକନ୍ୟାଙ୍କୁ ଉଦ୍ଧାର କରିଥିଲେ। ତେବେ ଶିଶୁକନ୍ୟା ବଡବିଲ ଷ୍ଟେସନକୁ କେମିତି ଆସିଲା, ସେ ସଂପର୍କରେ ମହିଳାଙ୍କୁ ସିଡବ୍ଲ୍ୟୁସି ସଦସ୍ୟ ପଚରାଉଚୁରା କରୁଛି।