ଜେଲ୍‌ରେ ଥିବା ଶିଶୁଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ

ପିତାମାତାଙ୍କ ସହ ଜେଲ୍‌ରେ ଥିବା ଶିଶୁଙ୍କ ପାଇଁ ଜାରି ହେଲା ଗାଇଡଲାଇନ୍‌

ଭୁବନେଶ୍ବର : ଜେଲ୍‌ରେ ନିଜ ପିତାମାତାଙ୍କ ସହ ରହୁଥିବା ଶିଶୁଙ୍କୁ ଏଣିକି ମିଳିବ ମଧ୍ୟାହ୍ନ ଭୋଜନର ସୁବିଧା। ଏହାସହ ଶିଶୁଟି ଯଦି ଜେଲ୍‌ ବାହାରେ ରହୁଥାଏ ଓ ତା’ର ପିତାମାତା ଅତିକମ୍‌ରେ ୬୦ଦିନ ଜେଲ୍‌ରେ ରହିଥାନ୍ତି ତାହାଲେ ସଂପୃକ୍ତ ଶିଶୁକୁ ମଧ୍ୟ ଏହି ସୁବିଧା ମିଳିପାରିବ। ପିତାମାତାଙ୍କ ସହ ଜେଲ୍‌/ଜେଲ୍‌ ବାହାରେ ଥିବା ଶିଶୁଙ୍କ କଲ୍ୟାଣ ପାଇଁ ରାଜ୍ୟ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ନୂଆ ଗାଇଡଲାଇନ୍ ଜାରି କରାଯାଇଛି।

ନୂଆ ଗାଇଡଲାଇନ୍‌ରେ ବିଶେଷଭାବେ ୦-୬ବର୍ଷର ଶିଶୁଙ୍କୁ ଗୁରୁତ୍ବ ଦିଆଯାଇଛି। ଜୁଭେନାଇଲ ଆଇନ ଅନୁଯାୟୀ ଜେଲ୍‌ ବାହାରେ ଥିବା ଯେଉଁ ଶିଶୁମାନଙ୍କ ପାଇଁ ଶିଶୁ କଲ୍ୟାଣ କମିଟି(ସିଡବ୍ଲୁସି) ପକ୍ଷରୁ ସ୍ବତନ୍ତ୍ର ଯତ୍ନ ଓ ସୁରକ୍ଷା(ସିଏନ୍‌ସିପି) ଘୋଷଣା ହୋଇଛି ସେମାନେ ମଧ୍ୟ ଏହି ଯୋଜନାର ସୁବିଧା ନେଇପାରିବେ। ଆବଶ୍ୟକ ସୁବିଧା ସୁଯୋଗ ପ୍ରଦାନ କରିବା ପାଇଁ ସ୍ଥାନୀୟ ଜିଲ୍ଲାପାଳ ଜେଲ୍‌ ନିକଟସ୍ଥ ଏକ ଅଙ୍ଗନବାଡ଼ି କେନ୍ଦ୍ରକୁ ନୋଡାଲ କେନ୍ଦ୍ର ଭାବେ ଘୋଷଣା କରି‌ବେ। ଯଦି କୌଣସି ଜେଲ୍‌ରେ ଅଧିକ ଶିଶୁ ରହିଥିବା ନଜରକୁ ଆସେ ତାହାହେଲେ ଜେଲ୍ ମାନୁଆଲ ଅନୁସାରେ ସେଠାରେ ଅସ୍ଥାୟୀ ଭାବେ ଏକ ଅଙ୍ଗନବାଡ଼ି କେନ୍ଦ୍ର ଖୋଲାଯିବ। ଯେଉଁ ଅଙ୍ଗନବାଡ଼ି କେନ୍ଦ୍ରରେ କମ୍ ପିଲା ଥିବେ ସେଠାରେ କାର୍ଯ୍ୟରତ କର୍ମଚାରୀଙ୍କୁ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ରରେ କାର୍ଯ୍ୟ କରିବାକୁ ନିର୍ଦେଶ ଦିଆଯାଇଛି। ଜେଲ୍‌ରେ ପିତାମାତାଙ୍କ ସହ ଥିବା ଶିଶୁକୁ ଆବଶ୍ୟକ ପୁଷ୍ଟିକର ଓ ଟିକାକରଣ ସୁବିଧା ଯୋଗାଇ ଦିଆଯିବ।

ଅଧିକ ଶିଶୁ ଥିବା ଜେଲ୍‌ରେ ଖୋଲିପାରିବ ଅସ୍ଥାୟୀ ଅଙ୍ଗନବାଡ଼ି କେନ୍ଦ୍ର

ସେହିପରି ୬ବର୍ଷର ଶିଶୁକୁ ମା’ର ଅନୁମତି କ୍ରମେ ଅଭିଭାବକଙ୍କ ନିକଟରେ ରହିବାର ସୁଯୋଗ ଦିଆଯିବ। ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍‌(ଡିସିପିୟୁ) ଜେଲ୍‌ ଭିତରେ ଶିଶୁ ଓ ଅଭିଭାବକଙ୍କୁ କାଉନସେଲିଂ କରିବେ। ୬-୧୪ବର୍ଷର ଶିଶୁଙ୍କ ପାଇଁ ସ୍କୁଲ ଶିକ୍ଷା ବାଧ୍ୟତାମୂଳକ କରାଯାଇଛି। ଯଦି ଶିଶୁଟି କୌଣସି ସ୍କୁଲରେ ଆଡମିସନ୍‌ ନେଇ ନାହିଁ ତାହାଲେ ସରକାରୀ ସୁବିଧା ପାଇବାର ୬ମାସ ଭିତରେ ଅଭିଭାବକ ଶିଶୁର ସ୍କୁଲ ଆଡମିସନ୍‌କୁ ସୁନିଶ୍ଚିତ କରିବେ। ଜେଲ୍‌ ବାହାରେ ଥିବା ଶିଶୁଟି ଯଦି ସିଏନ୍‌ସିପି ବୋଲି ଚିହ୍ନଟ ହୁଅନ୍ତି ତାହାଲେ ରାଜ୍ୟରେ ଉପଲବ୍ଧ ହେଉଥିବା ବିଭିନ୍ନ ଆନୁଷ୍ଠାନିକ ଓ ଅଣ ଆନୁଷ୍ଠାନିକ ସୁବିଧା ଯୋଗାଇ ଦିଆଯିବ। ଅଣ ଆନୁଷ୍ଠାନିକ ଯତ୍ନ ଭାବେ ଶିଶୁଟିକୁ ବିଜୁ ଶିଶୁ ସୁରକ୍ଷା ଯୋଜନା(ବିଏସ୍‌ଏସ୍‌ୱାଇ), ଫୋଷ୍ଟର କେୟାର ଭଳି ସୁବିଧା ମିଳିପାରିବ। ସିଡବ୍ଲୁସି ଯଦି ଶିଶୁଟିକୁ ଶିଶୁ ଯତ୍ନ ପ୍ରତିଷ୍ଠାନ(ସିସିଆଇ)ରେ ରହିବା ଲାଗି ନିର୍ଦେଶ ଦିଅନ୍ତି ତାହାଲେ ଶିଶୁଟିକୁ ରାଜ୍ୟରେ ପରିଚାଳିତ ସିସିଆଇରେ ରଖାଯିବ। ଏହାସହ ଅତିକମ୍‌ରେ ମାସକରେ ଥରେ ଅଭିଭାବକ ନିଜର ଶିଶୁ ସହ ଯେପରି ବ୍ୟକ୍ତିଗତ/ଟେଲିଫୋନ୍ ଜରିଆରେ କଥା ହୋଇପାରିବେ ଡିସିପିୟୁ ଏହାର ବ୍ୟବସ୍ଥା କରିବାକୁ କୁହାଯାଇଛି। ପ୍ରତି ୩ମାସରେ ଥରେ ଜିଲ୍ଲା/‌ସର୍କଲ ଜେଲ ପ୍ରଶାସନ ଶିଶୁଙ୍କ ସଂଖ୍ୟା, ଲିଙ୍ଗ, ବୟସ ସହିତ ଶିଶୁର ଆବଶ୍ୟକ ହେଉଥିବା ମାନସିକ ସ୍ବାସ୍ଥ୍ୟ ସେବା ଯେପରି ମିଳିପାରିବ ତାହାକୁ ସିଡିଏମ୍‌ଓଙ୍କ ସହିତ ଆଲୋଚନା କରି ସୁନିଶ୍ଚିତ କରିବେ।

ଡିସିପିୟୁ ଏହି ଯୋଜନା ଅଧୀନରେ ସୁବିଧା ପାଉଥିବା ଶିଶୁଙ୍କ ବ୍ୟକ୍ତିଗତ ସୂଚନା ରଖିବା ସହିତ ସେମାନଙ୍କ ଶିକ୍ଷା ଓ ସ୍ବାସ୍ଥ୍ୟ ଉପରେ ନଜର ରଖିବେ। ଜେଲ୍‌ ବାହାରେ ପରିବାର ସହ ରହୁଥିବା ଶିଶୁଙ୍କ ମାସିକ ରିପୋର୍ଟ ସହିତ ଜେଲ୍‌ରେ ଥିବା ଶିଶୁଙ୍କୁ ମିଳୁଥିବା ସେବାର ନିରୀକ୍ଷଣ ମିଳିତ ଭାବେ ସିଡବ୍ଲୁସି ଓ ଡିସିପିୟୁ କରିବେ ବୋଲି ଗାଇଡଲାଇନ୍‌ରେ କୁହାଯାଇଛି।

ସମ୍ବନ୍ଧିତ ଖବର