ପଜିଟିଭ୍‌ ନଥାଇ ବି କୋଭିଡ୍‌ କେୟାର କେନ୍ଦ୍ରରେ ରହୁଛନ୍ତି ଶିଶୁ

ସମ୍ବଲପୁର : କରୋନା ମହାମାରୀ ବେଳେ ରାଜ୍ୟ ଓ କେନ୍ଦ୍ର ସରକାର ଶିଶୁ ଓ ବୟସ୍କମାନଙ୍କ ସୁରକ୍ଷା ଉପରେ ସବୁଠାରୁ ଅଧିକ ଗୁରୁତ୍ବ ଦେଉଛନ୍ତି। ଲକ୍‌ଡାଉନ୍‌ ବେଳେ ଏମାନେ ଯେପରି ଘରର ସୁରକ୍ଷା ବଳୟରୁ ପଦାକୁ ନ ବାହାରନ୍ତି ତା ଉପରେ ଧ୍ୟାନ ଦେବାକୁ ପରାମର୍ଶ ଦେଉଛନ୍ତି। ଅନ୍‌ଲକ୍‌ ବେଳେ ବି ଏମାନଙ୍କ ସୁରକ୍ଷାକୁ ପ୍ରାଥମିକତା ଦିଆଯାଉଛି। ରୋଗ ଭୂତାଣୁ ଓ ସଂକ୍ରମିତଙ୍କଠାରୁ ଏମାନଙ୍କୁ ଦୂରରେ ରଖିବାକୁ ସରକାରୀ ନିର୍ଦେଶନାମାରେ କୁହାଯାଉଛି। କିନ୍ତୁ ସମ୍ବଲପୁରରେ ଖୋଦ୍‌ ସରକାରୀ ବ୍ୟବସ୍ଥା ଭିତରେ ବି ଛୋଟ ପିଲାମାନଙ୍କୁ ସଂକ୍ରମିତଙ୍କ ସାଙ୍ଗରେ ରଖାଯିବା ଘଟଣା ସବୁଆଡ଼େ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭିସୁଟ୍‌ସ୍ଥିତ କୋଭିଡ୍‌ କେୟାର ସେଣ୍ଟରରେ ଏହା ଦେଖିବାକୁ ମିଳିଛି। ପଜିଟିଭ୍‌ ନ ଥିଲେ ବି ଏଠାରେ କିଛି ଶିଶୁ ରହିଥିବା ଜଣାପଡ଼ିଛି।

ବୁଧବାର ସହରର କୁଷ୍ଠାପଡ଼ାରୁ କିଛି କରୋନା ଆକ୍ରାନ୍ତଙ୍କୁ ଭିସୁଟ୍‌ କୋଭିଡ୍‌ କେୟାର କେନ୍ଦ୍ରକୁ ପଠାଯାଇଥିଲା। ଏହି ଆକ୍ରାନ୍ତଙ୍କ ମଧ୍ୟରୁ କିଛି କେନ୍ଦ୍ରର ଅବ୍ୟବସ୍ଥା ସଂପର୍କରେ ଅଭିଯୋଗ କରିବା ସହ ଭିଡିଓ ଭାଇରାଲ୍‌ କରିଥିଲେ। ପଡ଼ାର ଏକ ଦମ୍ପତି ପଜିଟିଭ୍‌ ଚିହ୍ନଟ ହୋଇ ଏହି କେନ୍ଦ୍ରକୁ ଆସିଥିବା ବେଳେ ସେମାନଙ୍କ ଦୁଇ ଶିଶୁଙ୍କୁ ମଧ୍ୟ ସେଠାକୁ ନିଆଯାଇଥିବା ଭାଇରାଲ ଭିଡିଓରେ ଦର୍ଶାଯାଇଛି। ମାତ୍ର ଶିଶୁମାନେ ପଜିଟିଭ୍‌ ଚିହ୍ନଟ ହୋଇନାହାନ୍ତି। ଏହା ପୂର୍ବରୁ ମଧ୍ୟ କରୋନା ଆକ୍ରାନ୍ତ ଅନ୍ୟ ଏକ ଦମ୍ପତିଙ୍କ କୁନିଝିଅକୁ ସଂପର୍କୀୟମାନେ ନ ରଖିବାରୁ ଝିଅଟି କୋଭିଡ୍‌ କେନ୍ଦ୍ରରେ ସେମାନଙ୍କ ସହ ରହୁଛି। ମାନବିକତା ଦୃଷ୍ଟିରୁ ଶିଶୁମାନଙ୍କୁ ସେଠାରେ ରଖିବାକୁ ଅନୁମତି ଦିଆଯାଉଥିବା କର୍ତ୍ତୃପକ୍ଷ କହୁଛନ୍ତି। ମାତ୍ର ଏହି ଶିଶୁଙ୍କ ସୁରକ୍ଷା ପ୍ରତି ଆଖି ବୁଜି ଦିଆଯାଉନାହିଁ ତ ବୋଲି ବିଭିନ୍ନ ମହଲରୁ ପ୍ରଶ୍ନ ଉଠିଲାଣି। ଛୋଟ ପିଲାଙ୍କ ରୋଗ ପ୍ରତିରୋଧକ ଶକ୍ତି କମ୍‌ ରହୁଥିବାରୁ ସେମାନଙ୍କୁ କରୋନା ସଂକ୍ରମିତମାନଙ୍କ ସହ କିପରି ରଖାଯାଉଛି ବୋଲି ସିଧାସଳଖ ଲୋକେ ପ୍ରଶ୍ନ କଲେଣି।

ସମ୍ବନ୍ଧିତ ଖବର