ପୋଲସରା (ଗଞ୍ଜାମ) : ମାଆ… ସ୍ନେହ, ଶ୍ରଦ୍ଧା, ପ୍ରେମ, ମମତାର ଫେଣ୍ଟାଫେଣ୍ଟି ରୂପଟିଏ । ନିଜ ସନ୍ତାନର ରକ୍ଷା ପାଇଁ ସାରା ଦୁନିଆ ସହ ଲଢିବାକୁ ପ୍ରସ୍ତୁତ ହୋଇଯାଏ ମାଆ । ତାର ସୁରକ୍ଷା ପାଇଁ ସବୁ ଦୁଃଖ କଷ୍ଟ, ବିପଦକୁ ସାମ୍ନା କରିଥାଏ । ବେଳେବେଳେ ସନ୍ତାନର ମଙ୍ଗଳ ପାଇଁ, ତାକୁ ଭଲ ସଂସ୍କାର ଦେବାପାଇଁ ତାକୁ ଶାସନ ବି କରେ । ଅଝଟ କଲେ ସ୍ନେହମିଶା ମାଡ ବି ମାରେ । ହେଲେ ମାଆ ଯଦି କ୍ରୋଧର ବଶବର୍ତ୍ତୀ ହୋଇ ଛୁଆକୁ ଜୋର୍ ଆଘାତ ଦେବ ? ଛୁଆର ଜୀବନ ବି ଯାଇପାରେ ।
ଏମିତି ଏକ ଦୁଃଖଦ ଘଟଣା ଘଟିଛି ଗଂଜାମ ପୋଲସରା ଜକର ଗାଁରେ । କିଛିଦିନ ତଳେ ଜକର ଗାଁ ରଘୁନାଥ ସାହିର ବାପଘରକୁ ଆସିଥିଲେ ମମତା ବିଶ୍ୱାଳ । ୩ ବର୍ଷର ପୁଅ ଖାଇବା ପାଇଁ ଅଝଟ କରିବାରୁ ରାଗରେ ପୁଅ ଗାଲରେ ଏକ ଜୋର୍ ଚାପୁଡା ଦେଇଥିଲେ । ଆଉ ଚାପୁଡା ମାଡରେ ଛୁଆଟି ପ୍ରାଣ ହରାଇଛି । ପରେ ଶାଶୁ ଓ ବାପଘର ଲୋକ ବୁଝାମଣା ଭିତରେ ଶିଶୁଟିର ଶବ ସଂସ୍କାର ବି କରିଦେଇଥିବାର ଅଭିଯୋଗ ହୋଇଛି । ଘଟଣା ୩ ଦିନ ତଳର ହୋଇଥିବା ବେଳେ ଏ ସଂପର୍କିତ ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି ।