ଛୁଆଙ୍କୁ କାଳ ମୋବାଇଲ୍‌ ଡିସ୍‌ପ୍ଲେ ଲାଇଟ୍‌: ୩ ହଜାର ଶିଶୁଙ୍କ ଦୃଷ୍ଟିଶକ୍ତି କମିଗଲା

ପ୍ରତି ଶହେରେ ୨୦ଜଣଙ୍କ ଆଖି ସମସ୍ୟା, ପାଖ ଜିନିଷ ଦିଶୁଛି, ଦୂରରୁ ଦିଶିପାରୁନି

ରାକେଶ ରୋଷନ ମହାନ୍ତି
ଅନୁଗୁଳ: ଅନୁଗୁଳ ଜିଲ୍ଲା‌ରେ ବର୍ଷକ ଭିତ‌ରେ ହଜାର ହଜାର ଶିଶୁଙ୍କ ଦୃଷ୍ଟି ଶକ୍ତି ଅଚାନକ ହ୍ରାସ ପାଇଛି। ଯାହା ଅଭିଭାବକମାନଙ୍କୁ ଚିନ୍ତାରେ ପକାଇ ଦେଇଛି। ଡାକ୍ତରଙ୍କୁ ଦେଖାଇବା ପରେ ସେମାନଙ୍କ ସମୀପ ଦୃଷ୍ଟି ଓ ଦୂରଦୃଷ୍ଟି ଶକ୍ତି ଗଭୀର ଭାବେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି। ତେବେ ମୋବାଇଲ୍‌କୁ ବେଶୀ ସମୟ ଦେଖିବା ଓ ପରିବେଶ ପ୍ରଦୂଷଣର ପ୍ରଭାବ କୁନି ପିଲାଙ୍କ ଉପରେ ସାଂଘାତିକ ଭାବେ ପଡ଼ୁଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। କେବଳ ଅନୁଗୁଳ ଜିଲ୍ଲ‌ାରେ ଯଦି ଏପରି ସ୍ଥିତି ସାରା ରାଜ୍ୟରେ ସ୍ଥିତି କ’ଣ ଥିବ ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି। ସୂଚନା ମୁତାବକ, ରାଜ୍ୟ ସରକାରଙ୍କ ପକ୍ଷରୁ ଅନୁଗୁଳ ଜିଲ୍ଲାରେ ଗତବର୍ଷ ଜୁନ୍‌ ମାସରୁ ଡିସେମ୍ବର ମାସ ମଧ୍ୟରେ ବିଭିନ୍ନ ସ୍ଥାନରେ କ୍ୟାମ୍ପ ମାଧ୍ୟମରେ ଚକ୍ଷୁ ପରୀକ୍ଷା କରାଯାଇଥିଲା। ଅନୁଗୁଳ, ତାଳଚେର, କଣିହାଁ, ଛେଣ୍ଡିପଦା, କିଶୋରନଗର, ପାଳଲହଡ଼ା ଓ ଆଠମଲ୍ଲିକ ବ୍ଲକ୍‌ର ବିଭିନ୍ନ ସ୍ଥାନରେ ଏହି କ୍ୟାମ୍ପ ଅନୁଷ୍ଠିତ ହୋଇଥିଲା। ସେହିପରି ଜିଲ୍ଲାର ପ୍ରାୟ ସମସ୍ତ ହାଇସ୍କୁଲ୍‌ରେ କୁନି ପିଲାଙ୍କ ଆଖି ପରୀକ୍ଷା କରାଯାଇଥିଲା। ଏହି କ୍ରମରେ ପ୍ରାୟ ଦେଢ଼ ଲକ୍ଷ ପିଲାଙ୍କ ଆଖି ପରୀକ୍ଷା ହୋଇଥିଲା। ତେବେ ସେମାନଙ୍କ ମଧ୍ୟରେ ୨୨ଶହ ପିଲାଙ୍କ ଦୃଷ୍ଟିଶକ୍ତି କମିଥିବା ଜଣାପଡ଼ିଛି। ସେହିପରି ବିଭିନ୍ନ ବେସରକାରୀ ଡାକ୍ତରଖାନା ଓ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଖି ପରୀକ୍ଷା କରାଇବାକୁ ଆସିଥିବା ପ୍ରାୟ ହଜାରେ ପିଲାଙ୍କ ଦୃଷ୍ଟିଶକ୍ତି କମିଥିବା ଜଣାପଡ଼ିଛି। ଶିଳ୍ପ ସମୃଦ୍ଧ ଜିଲ୍ଲାରେ କୁନି ପିଲାଙ୍କ ଦୃଷ୍ଟିଶକ୍ତି କମିଯିବା ଭଳି ଅତି ସାଂଘାତିକ ଚିତ୍ର ସମସ୍ତଙ୍କୁ ଚିନ୍ତାରେ ପକାଇ ଦେଇଛି। ଜିଲ୍ଲା ସ୍ବାସ୍ଥ୍ୟବିଭାଗ ପାଇଁ ମଧ୍ୟ ଏହା ଏକ ବଡ଼ ଆହ୍ବାନ ପାଲଟିଛି। ଗଲା ୧୦ବର୍ଷ ଭିତ‌ରେ ଏଭଳି ସ୍ଥିତି କେବେ ସୃଷ୍ଟି ହୋଇ ନଥିଲା। ଏତେ ସଂଖ୍ୟକ ପିଲାଙ୍କ ଦୃଷ୍ଟିଶକ୍ତି ବର୍ଷକ ଭିତରେ କମିଯିବା ଜିଲ୍ଲ‌ାରେ ପ୍ରଥମ ବୋଲି ଜଣାପଡ଼ିଛି।

ପ୍ରତି ଶହେରେ ୨୦ଜଣଙ୍କ ଆଖି ସମସ୍ୟା
ପାଖ ଜିନିଷ ଦିଶୁଛି, ଦୂରରୁ ଦିଶିପାରୁନି
ସଠିକ୍‌ ପରୀକ୍ଷାକୁ ନେଇ ବି ସନ୍ଦେହ ରହିଛି

ଅନ୍ୟପକ୍ଷରେ, ସର୍ବ ଶିକ୍ଷା ଅଭିଯାନ ଓ ଅନ୍ୟାନ୍ୟ ସୂତ୍ରରୁ ସ୍କୁଲ୍‌ ପିଲାଙ୍କ ଆଖି ପରୀକ୍ଷା ପରେ ଚଷମା ବ୍ୟବହାର ପାଇଁ ଦିଆଯାଇଛି। ଗତ ଡିସେମ୍ବର ସୁଦ୍ଧା ପ୍ରାୟ ୨ହଜାର ଚଷମା ବାଣ୍ଟି ଦିଆଯାଇଛି। ପୁଣି ଜୁନ୍‌ ମାସ ଭିତରେ ଆଉ ଗୋଟିଏ ଦଫାରେ ହଜାରେ ଚଷମା ଆସି ବାଣ୍ଟିବାକୁ ଯୋଜନା ଥିବା ଜଣାପଡ଼ିଛି। ତେବେ ଦେଢ଼ ଲକ୍ଷ ପିଲାଙ୍କୁ ସ୍କ୍ରିନିଂ କରାଯାଇଥିବାବେଳେ ସେମାନଙ୍କ ମଧ୍ୟରୁ ୩ହଜାର ପିଲାଙ୍କ ଦୃଷ୍ଟିଶକ୍ତି କମିବା ଯେତିକି ଗୁରୁତ୍ବପୂର୍ଣ୍ଣ ନୁହେଁ, ଜିଲ୍ଲାରେ ମାତ୍ର ୨ ଜଣ ଚକ୍ଷୁ ବିଶେଷଜ୍ଞ ଥିବାରୁ ଉକ୍ତ ସ୍କ୍ରିନିଂ ଠିକ୍ ଭାବେ ହୋଇଛି କି ନାହିଁ ତାହା ବେଶୀ ଗୁରୁତ୍ବପୂର୍ଣ୍ଣ। ମିଳିଥିବା ସୂଚନା ଅନୁସାରେ, ପାରମ୍ପରିକ ପଦ୍ଧତିରେ ସ୍କୁଲ୍‌ମାନଙ୍କରେ ଉକ୍ତ ଭିଜନ୍‌ ଟେଷ୍ଟ ହୋଇଥିଲା। ‌ସେଠାରେ ଦୃଷ୍ଟିଶକ୍ତି କମିବା ସନ୍ଦେହ ହେବାରୁ ପ୍ରାୟ ୧୫ହଜାର ପିଲାଙ୍କର ପୁନର୍ବାର ଚକ୍ଷୁ ପରୀକ୍ଷା ହୋଇଥିଲା। ସେମାନଙ୍କ ମଧ୍ୟରୁ ୨୨ଶହ ପିଲାଙ୍କୁ ଚିହ୍ନଟ କରାଯାଇ ଚଷମା ବ୍ୟବହାର କରିବାକୁ ଦିଆଯାଇଥିବା ଜଣାପଡ଼ିଛି। ଏହି ଚକ୍ଷୁ ପରୀକ୍ଷା ଦ୍ବାରା ଅତି ସାଂଘାତିକ ପ୍ରସଙ୍ଗ ପଦାକୁ ଆସିଛି। ତାହା ହେଉଛି ଯେଉଁ ୧୫ହଜାର ପିଲାଙ୍କୁ ଚୂଡ଼ାନ୍ତ ସ୍କ୍ରିନିଂ କରାଯାଇଥିଲା, ସେମାନଙ୍କୁ ପାଖ ଜିନିଷ ଦିଶୁଥିଲେ ମଧ୍ୟ ଦୂର ଜିନିଷ ‌ଭଲ ଦିଶୁନାହିଁ। ଡାକ୍ତରୀ ଭାଷାରେ ସେମାନଙ୍କର ସମୀପ ଦୃଷ୍ଟି ତ ଠିକ୍‌ ଅଛି ଦୂର ଦୃଷ୍ଟି ଶକ୍ତି ସେମାନେ ହରାଇ ବସିଛନ୍ତି। ୭ରୁ ୧୬ବର୍ଷ ବୟସର ଅଧିକାଂଶ ପିଲା ଏହି ତାଲିକାରେ ରହିଛନ୍ତି। ଅଧିକ ସମୟ ମୋବାଇଲ୍‌ ଦେଖିବା, ଟିଭି କିମ୍ବା କମ୍ପ୍ୟୁଟର୍‌ ସ୍କ୍ରିନ୍‌କୁ ଅଧିକ ସମୟ ଅତି ପାଖରୁ ଦେଖିବା ଏହାର ଏକ ପ୍ରମୁଖ କାରଣ ବୋଲି ବିଶେଷଜ୍ଞ କହିଛନ୍ତି। ସେହିପରି ଅନୁଗୁଳ ଜିଲ୍ଲାରେ ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଏହାର ପ୍ରଭାବ ଶିଶୁମାନଙ୍କ ଆଖି ଉପରେ ପଡ଼ୁଥିବା ସେମାନେ କହିଛନ୍ତି।
ଅଭିଭାବକମାନେ ନିଜ ପିଲାମାନଙ୍କୁ ଯଥାସମ୍ଭବ ମୋବାଇଲ, ଟିଭି ଓ କମ୍ପ୍ୟୁଟର୍‌ଠାରୁ ଦୂରେଇ ରଖିଲେ ଓ ଭିଟାମିନ୍‌ଯୁକ୍ତ ଖାଦ୍ୟ ଅଧିକ ପରିମାଣର ଖାଇବାକୁ ଦେଲେ ଏହା ବହୁ ପରିମାଣରେ ଉପାଦେୟ ହୋଇପାରିବ ବୋଲି ଚକ୍ଷୁ ବିଶେଷଜ୍ଞ କହିଛନ୍ତି।

ସମ୍ବନ୍ଧିତ ଖବର