ଅକ୍ସିଜେନ୍‌ ସିଲିଣ୍ଡର୍‌ ଥାଇ ବି ଲାଗି ପାରିଲାନି, ଶିଶୁ ମୃତ

ଲଇକେରା : ଲଇକେରା ସ୍ବାସ୍ଥ୍ୟକେନ୍ଦ୍ରରେ ଶନିବାର ଏକ ଅଭାବନୀୟ ଘଟଣା କ୍ରମରେ ଜଣେ ଶିଶୁର ଜୀବନ ଚାଲି ଯାଇଛି। ଅକ୍ସିଜେନ୍‌ ସିଲିଣ୍ଡର୍‌ ଥିଲେ ମଧ୍ୟ ହସ୍ପିଟାଲ୍‌ର କର୍ମଚାରୀ ଶିଶୁର ମୁହଁରେ ତାକୁ ଲଗାଇ ପାରି ନଥିଲେ। କର୍ମଚାରୀଙ୍କ ଏହି ଅପାରଗତା ପାଇଁ ଶିଶୁଟିର ଜୀବନ ଚାଲିଯାଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହସ୍ପିଟାଲ୍‌ରେ ଉତ୍ତେଜନା ପ୍ରକାଶ ପାଇଥିଲା।

ସୂଚନା ଅନୁଯାୟୀ ବଲାଙ୍ଗୀର ଜିଲ୍ଲାରୁ ଆସି ସ୍ଥାନୀୟ ଅଞ୍ଚଳରେ ଏକ ହୋଟେଲ୍‌ରେ କାମ କରୁଥିବା ଲିଙ୍ଗରାଜ ଝିବେଲାଙ୍କ ଅଢ଼େଇ ବର୍ଷର ଶିଶୁ ପୁତ୍ର କ୍ରିଷ୍ଣା ଗୁରୁବାର ଅସୁସ୍ଥ ହୋଇପଡ଼ିଥିଲା। ତାକୁ ଲଇକେରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ଚିକିତ୍ସା କରାଯାଇଥିଲା। ଶନିବାର କ୍ରିଷ୍ଣାର କାଶ ହେବା ସହିତ ନିଶ୍ୱାସ ନେବାର ଅସୁବିଧା ହୋଇଥିଲା। ତାକୁ ପୁଣି ଲଇକେରା ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା। ଡାକ୍ତର ଅନୁପସ୍ଥିତ ଥିବାରୁ କମ୍ପାଉଣ୍ଡର୍‌ ଅକ୍ସିଜେନ୍‌ ସିଲିଣ୍ଡର ବ୍ୟବହାର କରିଥିଲେ। କିନ୍ତୁ ସେ ଶିଶୁର ମୁହଁରେ ସିଲିଣ୍ଡର୍‌ ଲଗାଇ ପାରି ନ ଥିଲେ। ବିଳମ୍ବ ହେବାରୁ ପରିବାର ଲୋକ ୧୦୮ ଆମ୍ବୁଲାନ୍‌ସ ଡକାଇ କ୍ରିଷ୍ଣାକୁ ମୁଦ୍ରାଜୋର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନେଇଥିଲେ। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାର ମୃତ୍ୟୁ ହୋଇଯାଇଥିଲା। ଯଦି ଲଇକେରା ସ୍ୱାସ୍ଥ୍ୟକେନ୍ଦ୍ରରେ ଡାକ୍ତର ଉପସ୍ଥିତ ଥାନ୍ତେ କିମ୍ବା କମ୍ପାଉଣ୍ଡର୍‌ ସିଲିଣ୍ଡର ଲଗାଇବା କୌଶଳ ଜାଣିଥାନ୍ତେ ତେବେ ଶିଶୁଟିର ଜୀବନ ବଞ୍ଚି ଯାଇଥାନ୍ତା ବୋଲି ଆଲୋଚନା ହେଉଛି।

ଏ ବିଷୟରେ କମ୍ପାଉଣ୍ଡର୍‌ ମନୋଜ ମିଶ୍ରଙ୍କୁ ପଚାରିବାରୁ ସେ କହିଛନ୍ତି ଆୟୁଷ ଡାକ୍ତର ଆଜି ଅନୁପସ୍ଥିତ ଥିଲେ। ଅକ୍ସିଜେନ୍‌ ସିଲିଣ୍ଡର ଚିକିତ୍ସା କେନ୍ଦ୍ରକୁ ଆସିବା ଦିନରୁ ବ୍ୟବହାର ହୋଇ ନ ଥିଲା। ଜଣେ ସାଇକେଲ ଦୋକାନୀଙ୍କୁ ଡାକି ସିଲିଣ୍ଡର ସଜାଡ଼ିବାକୁ ଚେଷ୍ଟା କରାଯିବାରୁ ଡେରି ହୋଇଯାଇଥିଲା। ଏ ବିଷୟରେ ମେଡିକାଲ ଅଫିସର୍‌ ଡା. ଘନଶ୍ୟାମ ସୋରେନ କହିଛନ୍ତି, ସେ ଆଜି ଟିକାକରଣ କାର୍ଯ୍ୟକ୍ରମରେ ଲଇକେରା ବ୍ଲକ୍‌ରେ ଥିଲେ। ଏ ବିଷୟରେ ସେ କିଛି ଜାଣି ନଥିବା କହିଥିଲେ। ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେବେ ବୋଲି କହିଥିଲେ। ଲଇକେରା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ଡାକ୍ତରଙ୍କ ଅନୁପସ୍ଥିତକୁ ନେଇ ସବୁବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ଏବେ ଜଣେ ଆୟୁଷ ଡାକ୍ତର ଓ କମ୍ପାଉଣ୍ଡର୍‌ଙ୍କ ଦ୍ବାରା ଏଠାରେ ରୋଗୀ ସେବା ଚାଲିଛି। ଡାକ୍ତରଙ୍କ ଅନୁପସ୍ଥିତି ଏବଂ କମ୍ପାଉଣ୍ଡରଙ୍କ ଅପାରଗତା ଯୋଗୁଁ ଜଣେ ଶିଶୁର ଜୀବନ ଚାଲି ଯାଇଥିବା ଅଭିଯୋଗ ହୋଇଛି।

ସମ୍ବନ୍ଧିତ ଖବର